Unknown

 

 

 

 

 

 

 

 

 

ଘୋଡ଼ା ନାଚ

ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ

 

ପ୍ରାଗଭାଷା

 

ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ଆମ ସମୟର ଜଣେ ଦରଦୀ ଗଦ୍ୟକାର । ହାସ୍ୟରସ ତାଙ୍କ ରଚନାର ମହାର୍ଘ ବିଭୂଷଣ । ‘ଘୋଡ଼ାନାଚ' ଶୀର୍ଷକ ପାଣ୍ଡୁଲିପି, ଯାହା ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଏବେ ପ୍ରକାଶିତ, ତାରି ପୃଷ୍ଠାଙ୍କନର ଗୁରୁଦାୟିତ୍ୱ ଲକ୍ଷ୍ମୀକାନ୍ତ ବାବୁଙ୍କୁ ଇତି ପୂର୍ବରୁ ଦିଆଯାଇଥିଲା । ସେ ଏହାକୁ ସୁଚାରୁ ରୂପେ ସମ୍ପାଦନ କରିଛନ୍ତି । ତେଣୁ ସେ ଆମ ସଭିଙ୍କର ଧନ୍ୟବାଦାର୍ହ ।

 

ଭାରତ ବର୍ଷ ତଥା ଓଡ଼ିଶାର ଯେକୌଣସି ଗ୍ରାମାଞ୍ଚଳକୁ ଯାଆନ୍ତୁ, ସେଠି ମନୁଷ୍ୟ ସଭ୍ୟତାର ଆଦିମ କାହାଣୀ ସବୁ ଉଙ୍କି ମାରୁଥିବା ସୁନିଶ୍ଚିତ । ପୁନଶ୍ଚ ସେ କାହାଣୀର ଆଧାର ବିଦେଶୀ ରୁଚି ସମ୍ବଳିତ ଖାଦ୍ୟ, ପୋଷାକ, ରୀତିନୀତି ଉପରେ ପର୍ଯ୍ୟବସିତ ନୁହେଁ । ଆମ ସଂସ୍କୃତିରେ ଗେଣ୍ଡୁଫୁଲ, ନାଲି ଚଣା, ଗଜା ମୁଗ ଭଳି ସାମଗ୍ରୀ ନିୟନ୍ତ୍ରଣ କରନ୍ତି ପ୍ରଥମାଷ୍ଟମୀ, ଦୋଳପୂର୍ଣ୍ଣମୀ, ମାଣଓଷା ଭଳି ଶୁଭଦିନର ଖୋରାକିମାନଙ୍କୁ । ସେଇ ପରିପ୍ରେକ୍ଷୀରେ ଓଷା, ଯାତ୍ରା, ଦୋଳ ତଥା ଲୀଳା ଯାହାକିଛି କୁହାଯାଉ ନା କାହିଁକି, ତାରି ଅନ୍ତରାଳରେ ରହିଛି ଘୋଡ଼ାନାଚ ଯାହା ଚଇତି ଘୋଡ଼ା ନାଟର ଅନୁପୂରକ । ସଙ୍ଗୀତ ଓ ନୃତ୍ୟକଳାର ଏହି ଭତ୍ସାହଭରା ଦୃଶ୍ୟପଟ ସହସ୍ର ଦେଖଣାହାରିଙ୍କୁ ମନୋରଂଜକ ଭାବେ ଆପ୍ୟାୟିତ କରି ଆସୁଛି ଯୁଗ ଯୁଗ ଧରି । କାଳକ୍ରମେ ଏହା ପ୍ରସରି ଯାଇଛି ଗାଆଁଠୁ, ଗାଆଁ ଓ ଦୂରବର୍ତ୍ତୀ ସ୍ଥାନମାନଙ୍କୁ । ବହୁ ନୂତନ ପିଢ଼ି ପରେ ପିଢ଼ି ପ୍ରତିଭାଧର ଏଥିରେ ଅଂଶଗ୍ରହଣ କରିଛନ୍ତି । ସମୟାନୁକ୍ରମେ ଆଧୁନିକ ଦୀପ୍ତିଭରା ରୋପଣି ଯାହା ଆଜିର ପରିପାକୁ ଝଲସିତ କରୁଛି, ତାରି ଚାପ ପ୍ରୟୋଗରେ ସାମ୍ପ୍ରତିକ ଲୋକକଳା ଊଣା ଅଧିକେ ହନ୍ତସନ୍ତ । ଏଭଳି ସମୟରେ ଲକ୍ଷ୍ମୀକାନ୍ତଙ୍କ ଏହି ପୁସ୍ତକଟି ବହୁ ଆୟାସ ଲବ୍ଧ ଗବେଷଣାର ଫଳଶ୍ରୁତି ପାଠକ ପାଠିକାଙ୍କ ହୃଦୟକୁ ଛୁଇଁବାରେ ସମର୍ଥ ହେବ ବୋଲି ମୋର ବିଶ୍ୱାସ ।

 

ଅଶ୍ୱିନୀ କୁମାର ମିଶ୍ର

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ

Image

 

ସୂଚୀପତ୍ର

 

୧.

ଆଦ୍ୟକଥା

୨.

ଦେବାଦେବୀ ବନ୍ଦନା

୩.

ବେଢ଼ା ବନ୍ଦନା

୪.

ଗୋପୀନାଥଙ୍କ ବନ୍ଦନା

୫.

ସଭା ବନ୍ଦନା

୬.

ଅଶ୍ୱ ବନ୍ଦନା

୭.

ମଙ୍ଗଳାଚରଣ

୮.

କୈବର୍ତ୍ତ ଜନ୍ମବୃତ୍ତାନ୍ତ

୯.

ସମୁଦ୍ର ମନ୍ଥନ

୧୦.

ବୃନ୍ଦାବତୀ ଦେବୀ କଥା ଓ ବୟାଳିଶ ଅବତାର

୧୧.

ଜାତି ବିଚାର ଓ ବାଉଁଶର ଜନ୍ମ

୧୨.

କୈବର୍ତ୍ତ ଜନ୍ମ

୧୩.

ମତ୍ସ୍ୟ ଅବତାର କଥା ଓ ଦାସରାଜା ଚରିତ

୧୪.

ସିଂହଳଦ୍ୱୀପ କଥା

୧୫.

କର୍ଣ୍ଣିକା ମତ୍ସ୍ୟଚରିତ

୧୬.

ଶ୍ରଦ୍ଧା କନ୍ୟା ଚରିତ

୧୭.

ସତ୍ୟବତୀ ଓ ପରାଶର ପ୍ରସଙ୍ଗ

୧୮.

ସତ୍ୟବତୀ ଓ ଶାନ୍ତନୁ ପ୍ରସଙ୍ଗ

୧୯.

ସତ୍ୟବତୀଙ୍କ ବଂଶାନୁଚରିତ

୨୦.

ଶରୀର ମଧ୍ୟରେ ଭାରତ ଯୁଦ୍ଧ ଚରିତ

୨୧.

ଚନ୍ଦ୍ର ଓ ସୂର୍ଯ୍ୟଙ୍କ କଥା

୨୨.

କୈବ୍ରତୀ ଜନ୍ମକଥା

୨୩.

ନାବ ବିଧାନ

୨୪.

ଶିବରାଜା ଚରିତ

Image

 

ଆଦ୍ୟକଥା

 

କୈବର୍ତ୍ତମାନେ ହିନ୍ଦୁଧର୍ମାବଲମ୍ବୀ ହୋଇଥିବା ଯୋଗୁଁ ହିନ୍ଦୁଧର୍ମର ସମସ୍ତ ବିଶ୍ୱାସ ଓ ଶାସ୍ତ୍ର ପରମ୍ପରାକୁ ସେମାନେ ପରିଗ୍ରହଣ ଓ ପରିପ୍ରୟୋଗ କରିଥାଆନ୍ତି । ସେମାନେ ଗୋଷ୍ଠୀ ଜୀବନ ଅତିବାହିତ କରୁଥିବା ଯୋଗୁଁ ସେମାନଙ୍କର ସମାଜରେ କେତେକ ଲୋକବିଶ୍ୱାସ ଜନ୍ମଗ୍ରହଣ କରି ବିସ୍ତୃତିଲାଭ କରେ ଏବଂ ପାରମ୍ପାରିକ ସ୍ରୋତରେ ପରବର୍ତ୍ତୀ ଲୋକଜୀବନକୁ ପ୍ରବାହିତ ହୋଇଆସେ । ସେମାନଙ୍କର ବିଶ୍ୱାସ କୈବର୍ତ୍ତ ଜନସମାଜରେ ମଧ୍ୟ ବିଶ୍ୱାସରୂପେ ଗୃହୀତ ହୋଇଯାଇଥାଏ ।

 

କୈବର୍ତ୍ତମାନେ ଜାଲ ଧରି ମାଛ ଧରିବାକୁ ଯିବାବେଳେ ବ୍ରାହ୍ମଣମାନଙ୍କୁ ଦେଖି ଅସନ୍ତୁଷ୍ଟ ହୋଇଥାଆନ୍ତି । ବ୍ରାହ୍ମଣ ଜାଲ ଛୁଇଁ ଦେଲେ ମାଛ ପଡ଼ନ୍ତି ନାହିଁ ବୋଲି ସେମାନଙ୍କର ବିଶ୍ୱାସ ଅଛି । ପୂର୍ବରୁ ବ୍ରାହ୍ମଣମାନେ ନିରାମିଷ ଆହାର କରି ଶାସ୍ତ୍ର ଅଧ୍ୟୟନରେ ବ୍ରତୀ ରହୁଥିଲେ । ଜୀବମାନଙ୍କ ପ୍ରତି ଦୟା ପ୍ରଦର୍ଶନ କରୁଥିବା ଯୋଗୁଁ କୈବର୍ତ୍ତମାନଙ୍କ ଦ୍ୱାରା ମତ୍ସ୍ୟବିନାଶ ସେମାନଙ୍କୁ ପୀଡ଼ା ଦେଉଥିଲେ । ସେମାନଙ୍କ ଜୀବିକା ପ୍ରତି ବ୍ରାହ୍ମଣମାନଙ୍କର ହତାଦର ଯୋଗୁଁ କୈବର୍ତ୍ତମାନେ ବୋଧହୁଏ ବ୍ରାହ୍ମଣମାନଙ୍କ ପ୍ରତି ନିରାଶକ୍ତ ହୋଇପଡ଼ିଥିଲେ ଏବଂ ସେହି କାରଣରୁ ବ୍ରାହ୍ମଣମାନଙ୍କର ଜାଲ ସ୍ପର୍ଶ କରିବା ସହିତ ମାଛ ନପଡ଼ିବାର ଏକ ଧାରଣା ସୃଷ୍ଟି ହୋଇ କ୍ରମଶଃ ତାହା ବଦ୍ଧମୂଳ ହୋଇ କୈବର୍ତ୍ତମାନଙ୍କର ମନରେ ବସାବାନ୍ଧି ଦେଇଥିଲା ।

 

କୈବର୍ତ୍ତମାନେ ବିଶ୍ୱାସର ବଶବର୍ତ୍ତୀ ହୋଇ ଜାଲ, ନାବ ବା ସମୁଦ୍ରକୁ ଦେବତାଜ୍ଞାନରେ ପୂଜା କରିଥାଆନ୍ତି । ସମୁଦ୍ରକୁ ଦରିଆବୁଢ଼ୀ, ନାବକୁ କାଠବୁଢ଼ୀ ବା ଜାଲକୁ ଜାଲ ଦେବତା ଭାବରେ ମାଛ ଧରିବାକୁ ଯିବା ପୂର୍ବରୁ ପୂଜା କରାଯାଇଥାଏ । ଆନୁଷ୍ଠାନିକ ଭାବରେ ନହେଲେ ମଧ୍ୟ ମାନସିକ ଭାବରେ ପୂଜାକରି କୈବର୍ତ୍ତମାନେ ସତ୍ସ୍ୟସଂଗ୍ରହରେ ବ୍ରତୀ ହୋଇଥାଆନ୍ତି । ଜାଲକୁ ଦେବତା ଜ୍ଞାନ କରୁଥିବା ଯୋଗୁଁ ଜାଲରେ ଗୋଡ଼ ବାଜିଲେ କିମ୍ବା ଜାଲକୁ ଡେଇଁଲେ ମାଛ ପଡ଼ନ୍ତି ନାହିଁ ବୋଲି କୈବର୍ତ୍ତମାନଙ୍କର ବିଶ୍ୱାସ । ଏହି ବିଶ୍ୱାସ କୈବର୍ତ୍ତେତର ଜାତିକୁ ମଧ୍ୟ ସଂକ୍ରମିତ ହୋଇଛି । ଅର୍ଥାତ୍ ଯେଉଁ କୈବର୍ତ୍ତେତର ବ୍ୟକ୍ତିର ଘରେ ମାଛ ଧରିବା ପାଇଁ ଜାଲ ରହିଛି, ସେମାନେ ତାକୁ ଦେବତା ଜ୍ଞାନରେ ପୂଜା ନକଲେ ମଧ୍ୟ ସେଥିରେ ଗୋଡ଼ ବଜାଇଲେ ବା ତାକୁ ଡେଇଁଲେ ମାଛ ପଡ଼ନ୍ତି ନାହିଁ ବୋଲି ବିଶ୍ୱାସ କରନ୍ତି ।

 

କୈବର୍ତ୍ତମାନେ ବିଶେଷ ଭାବରେ ରାତିରେ ସମୁଦ୍ରକୁ ମାଛ ଧରିବାକୁ ଯାଉଥିବାରୁ ରାତ୍ରିଚର ଭୂତ ପ୍ରେତମାନଙ୍କ ସହିତ ସଂପର୍କିତ ଏକ ଭୟମିଶ୍ରିତ ଭାବ ସେମାନଙ୍କର ହୃଦୟକୁ ଆପ୍ଳୁତ କରିଦେଇଥାଏ । ମାଛ ପ୍ରତି ଭୂତପ୍ରେତମାନଙ୍କର ଆସକ୍ତି ଅଧିକ ବୋଲି ଲୋକମାନଙ୍କର ବିଶ୍ୱାସ ରହିଛି । ରାତିରେ ମାଛ ନେଇ ଯାଉଥିବା ବ୍ୟକ୍ତିକୁ ଭୂତପ୍ରେତମାନେ ବିପଦରେ ପକାଉଥିବା ମଧ୍ୟ ଲୋକବିଶ୍ୱାସ ରହିଛି । କୈବର୍ତ୍ତମାନେ ବିଶ୍ୱାସ କରନ୍ତି ଯେ, ଏହି ମତ୍ସ୍ୟଲୋଭୀ ଭୂତପ୍ରେତମାନେ ଜାଲ ନିକଟକୁ ଆସିବାକୁ ଭୟ କରିଥାଆନ୍ତି ।

 

ସହସ୍ର ଗଣ୍ଠିଯୁକ୍ତ ଜାଲକୁ ଭୂତପ୍ରେତ ଭୟ କରନ୍ତି ବୋଲି କୈବର୍ତ୍ତେତର ଜାତିରେ ମଧ୍ୟ ବିଶ୍ୱାସ ଅଛି । ଗଣ୍ଠିଯୁକ୍ତ ହୋଇଥିବା ଯୋଗୁଁ ଚାଳ ଓ ବ୍ରାହ୍ମଣର ପଇତା ନିକଟକୁ ମଧ୍ୟ ଭୂତପ୍ରେତ ଆସିପାରନ୍ତି ନାହିଁ ବୋଲି ଲୋକବିଶ୍ୱାସ ରହିଛି । ଏହି ବିଶ୍ୱାସଗୁଡ଼ିକ ଭୟରୁ ରକ୍ଷା କରିବା ତଥା ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ବ୍ୟବହୃତ ହୋଇଥିବାର ଅନୁମତି ହୁଏ ।

 

କେଉଟୁଣୀମାନେ ଯେତେବେଳେ ଚୁଡ଼ା କୁଟି ବିକ୍ରି କରିବାକୁ ଆଣନ୍ତି, ସେତେବେଳେ ସେହି ଚୁଡ଼ା ଉଆ ଧାନରୁ ତିଆରି ହୋଇଥାଏ କିମ୍ବା ଉସୁନାଧାନରୁ ସୃଷ୍ଟି ହୋଇଥାଏ, ତାହା ଜାଣିବା ଲୋକମାନଙ୍କ ପକ୍ଷରେ ଅସମ୍ଭବ ହୋଇପଡ଼େ । ଏହାକୁ ଜାଣିବା ପାଇଁ କେବଳ କେଉଟୁଣୀର ମୁହଁର କଥାକୁ ବିଶ୍ୱାସ କରିବାକୁ ପଡ଼ିଥାଏ । ନିଜେ ପରଖ ନକରି ଯେଉଁ ସ୍ଥାନରେ ଅନ୍ୟର କଥାକୁ ବିଶ୍ୱାସ କରିବାକୁ ପଡ଼ିଥାଏ, ସେଇଠି ଗାଁ ଗହଳିର ସାଧାରଣ ଲୋକ ଢଗଟିଏ ମେଲେ– “ଉଆ ଉସୁନା କେଉଟୁଣୀଙ୍କ ମୁହଁରେ ।’ ସେହିପରି କୈବର୍ତ୍ତମାନଙ୍କର କାର୍ପଣ୍ୟ ବା ବିବଶତାକୁ ବ୍ୟଙ୍ଗ କରି କୈବର୍ତ୍ତେତରମାନେ କହିଥାଆନ୍ତି– କେଉଟ ଧରେ ମାଛ, ଖାଏ କଙ୍କଡ଼ା ।’ କେଉଟଙ୍କର ବ୍ୟବସାୟକୁ ତୁଳନା କରି ଦନେଇଙ୍କର କେତେକ ପହଳି ମଧ୍ୟ ଲୋକମୁଖରେ ପ୍ରଚଳିତ । ଯେମିତି–

 

‘କେଉଟ ବଢ଼ିଲେ ବଢ଼ଇ ଜାଲ

ଧନ ବଢ଼ିଲେ ଯେ ବଢ଼ଇ ଗାଲ ।’

 

ମତ୍ସ୍ୟଜୀବିକାକୁ ନିର୍ଭର କରି ଜୀବନ ନିର୍ବାହ କରୁଥିବା କେଉଟ ଅସୁସ୍ଥ ହୋଇପଡ଼ିଲେ କିପରି ତାର ଜୀବିକା ନଷ୍ଟ ହୋଇଯାଏ ଦନାଇ ତୁଳନାତ୍ମକ ଭାବରେ ତାର ପହଳି ସୃଷ୍ଟି କରିଛନ୍ତି । ଯଥା–

 

କେଉଟକୁ ଯଦି ଧରେ ଶରଦ

ଦରଜୀ ଟିପ ହୋଇଲେ ଦରଜ

ବଣିଆର ଯେବେ ଆଖି ଧରଇ

ଗୁଡ଼ିଆ ହାତରେ ଛଉ ଫୁଟଇ

ଧୋବଣୀ ଗୋଡ଼ରେ ହୋଇଲେ କନ୍ଦା

ବୋଲେ ଦନାଇ ବୁଡ଼େ ୟାଙ୍କ ଧନ୍ଦା ।

 

କୈବର୍ତ୍ତେତର ଜାତିମାନଙ୍କ ଦ୍ୱାରା ସୃଷ୍ଟି ଓ ପ୍ରଯୁକ୍ତି ଏହିସବୁ ଲୋକ ଲୋକବିଶ୍ୱାସ, ପରମ୍ପରା ତଥା ଢଗ, ପ୍ରହେଳିକା ଆଦିକୁ କୈବର୍ତ୍ତମାନେ ମଧ୍ୟ ନିଜର କରିନେଇ ସାରିଲେଣି । ଭାଷା, ସଂସ୍କୃତି, ଧାରା ଓ ପରମ୍ପରାର ଏହି ଆଦାନ ପ୍ରଦାନରେ କେବଳ କୈବର୍ତ୍ତ ଜାତି କାହିଁକି ସବୁ ଜାତି ବିକଶିତ ଓ ଋଦ୍ଧିମନ୍ତ ହୋଇପାରିଛି ।

 

ଅନୁକରଣ ଓ ଗ୍ରହଣ ପ୍ରକ୍ରିୟାରେ ହିନ୍ଦୁ ଧର୍ମର ସବୁ ଦେବାଦେବୀ କୈବର୍ତ୍ତମାନଙ୍କ ଦ୍ୱାରା ପୂଜିତ ହୋଇଥାଆନ୍ତି । ପିଲାଟିଏ ଜନ୍ମ ହୋଇ ଶୈଶବ, କିଶୋର, ଯୌବନ ଅତିକ୍ରାନ୍ତ କରି ବାର୍ଦ୍ଧକ୍ୟ ମଧ୍ୟ ଦେଇ ମୃତ୍ୟୁଲାଭ କଲା ପର୍ଯ୍ୟନ୍ତ ଷଷ୍ଠୀ ପୂଜା, ପଞ୍ଚୁଆତି, ଉଠିଆରୀ, ମହାଦେବପୂଜା, ଏକୋଶିଆ, ନାମକରଣ, ଅନ୍ନପ୍ରାସନ, ଚୁଡ଼ାକରଣ, ବିବାହ,ମୃତହକର୍ମ ଇତ୍ୟାଦି କ୍ରମାନ୍ୱୟରେ ସମ୍ପନ୍ନ ହୋଇଥାଏ ।

 

ହିନ୍ଦୁ ଧର୍ମର ସମସ୍ତ ପର୍ବପର୍ବାଣି ପାଳନ କରିବା ସତ୍ତ୍ୱେ ଚଇତ ପର୍ବ ପାଳନ କରି ଲକ୍ଷ୍ମୀନାରାୟଣଙ୍କର ପୂଜାର୍ଚ୍ଚନା କରିବା ତଥା ଘୋଡ଼ା ନଚାଇବା କୈବର୍ତ୍ତ ସମ୍ପ୍ରଦାୟର ମୌଳିକ ତଥା ବିଶିଷ୍ଟ ପର୍ବ । ଭାରତର ଅନ୍ୟତ୍ର ଘୋଡ଼ାନାଚ ରହିଥିଲେ ମଧ୍ୟ ଓଡ଼ିଶାର ଘୋଡ଼ାନାଚ ସଂଗୀତ ଓ ନାଟ୍ୟକଳାଯୁକ୍ତ ହୋଇଥିବାରୁ ଏହା ସ୍ୱତନ୍ତ୍ର ଓ ଏହାର ମହତ୍ତ୍ୱ ସର୍ବାଧିକ । ତେଣୁ ଏଠାରେ ଚଇତି ଘୋଡ଼ା ପର୍ବ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଉଛି ।

 

ଚଇତି ଘୋଡ଼ା ପର୍ବର ବିବରଣୀ :

 

ଚଇତ୍ର ମାସର ପୂର୍ଣ୍ଣମୀଠାରୁ ଆଠଦିନ ଧରି ଓଡ଼ିଶାର କୈବର୍ତ୍ତମାନେ ଏକ ବିଶେଷପର୍ବ ପାଳନ କରିଥାଆନ୍ତି । ଏଥିରେ ଘୋଡ଼ାକୁ ନାଚ କରାଯାଉଥିବାରୁ ଏହାକୁ ଘୋଡ଼ାନାଚ ବା ଚଇତି ଘୋଡ଼ା ନାଟ ମଧ୍ୟ କୁହାଯାଇଥାଏ । ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ଗୋପାଳ ଚନ୍ଦ୍ର ପ୍ରହରାଜ ଘୋଡ଼ାନାଚର ବିବରଣୀ ନିମ୍ନଭାବରେ ପ୍ରଦାନ କରିଛନ୍ତି- “କେଉଟମାନେ ବାଉଁଶ ବତାରେ ଘୋଡ଼ାର ଏକ ପାଦହୀନ ଦେହ ଓ ବେକ ଆକାରରେ ଏକ ଥାଟ ନିର୍ମାଣ କରି ତା’ଉପରେ ଲୁଗା ଘୋଡ଼ାଇ ଦିଅନ୍ତି । ବେକ ଉପରେ ଘୋଡ଼ାମୁଖପରି ଚିତ୍ରିତ ଗୋଟିଏ ମୁଖା ଲଗାନ୍ତି । ଉକ୍ତ ଘୋଡ଼ାର ପିଠିରେ ଗୋଟିଏ କଣା ଥାଏ । ସେହି କଣାବାଟେ ମଣିଷ ଅଣ୍ଟାଯାଏ ପଶି କରି ଭୂମିରେ ଛିଡ଼ା ହୁଏ । ଘୋଡ଼ା ରୂପର ଆଗରୁ ଓ ପଛରୁ ଡୋରି ଲଟକାଯାଏ । ମଣିଷର ଅଣ୍ଟାଠାରୁ ନିମ୍ନ ଅଂଶ ଘୋଡ଼ା ଭିତରେ ଲୁଚିଥାଏ ଓ ଅଣ୍ଟାଠାରୁ ଉପର ଅଂଶ ଘୋଡ଼ା ଉପରେ ବସିବା ପରି ଅନୁମତି ହୁଏ । ଏହି ବ୍ୟକ୍ତି ନାଚିବା ସଙ୍ଗେ ସଙ୍ଗେ ଘୋଡ଼ା ମଧ୍ୟ ନାଚେ । ଘୋଡ଼ାର ମୁହଁ ଆଡ଼େ ଲଗାମ ପରି କନାଡୋରି ଲଗା ହୋଇଥାଏ । ଉକ୍ତ ଡୋରିକୁ ନାଚିବା ବାଲା ଧରି ଲଗାମ ଧରିବାର ଅଭିନୟ କରେ । ଢୋଲ ମହୁରି ବାଜୁଥାଏ । ଆଗକୁ ପଛକୁ ଯାଇ ଘୋଡ଼ା ନାଚୁଥାଏ । ବହୁ ଦର୍ଶକ ଗଦା ହୋଇ ଏ ଯାତ୍ରା ଦେଖୁଥାନ୍ତି ।” (୧) ଭାଷା କୋଷରେ ବର୍ଣ୍ଣିତ ଏହି ବିବରଣୀରୁ ଘୋଡ଼ାନାଚ ସମ୍ବନ୍ଧରେ ଏକ ବିସ୍ତୃତ ଚିତ୍ର ହୁଏତ ମିଳିପାରୁ ନାହିଁ, ମାତ୍ର ଘୋଡ଼ାନାଚ ବିଷୟରେ ଏକ ସ୍ପଷ୍ଟ ଅବବୋଧ ହୋଇ ପାରୁଛି ।

 

ଡଃ ମନୀନ୍ଦ୍ର ମହାନ୍ତି ଘୋଡ଼ାନାଚ ସମ୍ପର୍କରେ ଏକ ଦୀର୍ଘ ପ୍ରବନ୍ଧ ଲେଖି ଏହି ନାଟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ଯେଉଁ ଲୋକ ଘୋଡ଼ାକୁ ନଚାଏ ତାକୁ ସେ ଦିହୁରି ବୋଲି କହିଛନ୍ତି । ସେ କହିଛନ୍ତି– ଦିହୁରି ଘୋଡ଼ାକୁ ସ୍କନ୍ଧରେ ଧାରଣ କଲା ପରେ ଭୂମି ଉପରକୁ ପ୍ରାୟ ଛଅଇଞ୍ଚ ରହିଥାଏ । “ଦିହୁରି ସବୁବେଳେ ଉଦ୍ୟମ କରେ ଯେପରି ତାହାର ଗୋଡ଼ ଦୁଇଟି ଦର୍ଶକକୁ ଦେଖା ନଯାଏ । ଘୋଡ଼ାର ପଛପାଖରେ ଝୋଟରେ ତିଆରି ଲାଞ୍ଜ ଖଞ୍ଜା ଯାଇଥାଏ । ଦିହୁରି ନଚାଇବାବେଳେ ଏହି ଲାଞ୍ଜର ଶେଷ ଅଂଶ ପବନରେ ଉଡ଼ି ବେଶ ସୁନ୍ଦର ଦଖାଯାଏ । ନଚାଳି ଦକ୍ଷିଣ ହସ୍ତରେ କାଠରେ ତିଆରି ଗୋଟିଏ ଖଣ୍ଡାଧାରଣ କରିଥାଏ । ମୁଣ୍ଡରେ ପଗଡ଼ି ଏବଂ ଦେହରେ ଯୁଦ୍ଧାପରି ପୂରାଜାମା । ଯଥାସମ୍ଭବ ସେ ନିଜକୁ ଏକ ସୈନ୍ୟ ଭାବରେ ସଜ୍ଜିତ କରିଥାଏ-

 

ଏହାର ଠିକ୍ ଅଗ୍ରଭାଗରେ ଅଳ୍ପ ଦୂରରେ ଅନ୍ୟଏକ ଲୋକ ବାମହାତରେ ଢାଲ ଏବଂ ଡାହାଣ ହାତରେ ଖଣ୍ଡା ଧାରଣ କରି ଦିହୁରି ସହିତ ଯୁଦ୍ଧ କରିବାର ଅଭିନୟ କରିଥାଏ । ମୁଣ୍ଡରେ ତାହାର ପଗଡ଼ି ଏବଂ ଦେହରେ ପାଇକ ପୋଷାକ ଥାଏ ।

 

ଦିହୁରି ଢୋଲ ମହୁରୀ ଏବଂ ଚଡ଼ଚଡ଼ି ବାଦ୍ୟର ତାଳେ ତାଳେ ଘୋଡ଼ାର ଅନୁକୃତିକୁ କାନ୍ଧେଇ ନୃତ୍ୟ କରିଥାଏ । ସେ ବୃତ୍ତାକାରରେ ନର୍ତ୍ତନ କରିଥାଏ । ଦୁଇପାହୁଣ୍ଡ ତୀର ବେଗରେ ଆଗକୁ ଗତି କଲାପରେ ୩ୟ ପାହୁଣ୍ଡବେଳକୁ ହଠାତ୍ ସ୍ଥିର ହୋଇଥାଏ । ପୁଣି ପୂର୍ବପରି ତୀର ବେଗରେ ଆଗେଇଥାଏ ସେ । ଦ୍ୱିତୀୟସ୍ତରରେ ଏକ ଢାଲ-ଖଣ୍ଡା ଧରି ଯୋଦ୍ଧା ସହିତ ମୁହାଁମୁହିଁ ନାଚିଥାଏ । ତୃତୀୟସ୍ତରବେଳକୁ ରାଉତ-ରାଉତାଣୀ ନୃତ୍ୟ ଓ ଗୀତ ଆଦି ଆରମ୍ଭ ହୋଇଥାଏ ।

 

ଗାୟକ ଗୀତ ପଦେ ଗାଇ ସାରିବା ପରେ ଘୋଡ଼ାକୁ ଧାରଣ କରି ଦିହୁରି ନର୍ତ୍ତନ କରେ ଢୋଲର ତାଳେ ତାଳେ । ରାଉତ ରାଉତାଣୀ ମଧ୍ୟ ଏହାରି ତାଳେ ତାଳେ ନର୍ତ୍ତନ କରିଥାନ୍ତି । ଏକ ପୁରୁଷ ମଧ୍ୟ ରାଉତାଣୀ ସାଜେ । ରାଉତାଣୀ ରଙ୍ଗୀନ ଶାଢ଼ୀ ଓ ଓଡ଼ିଆଣୀ ରୂପାର ଅଳଙ୍କାର ସବୁ ପିନ୍ଧିଥାଏ । ପାଦର ନୂପୁର ଓ ହାତରେ ରୁମାଲ ଖଣ୍ଡେ ସ୍ଥାନ ପାଇଥାଏ । ଢୋଲ ମହୁରୀର ତାଳେ ତାଳେ ନୂପୁର ବାଜିବା ସଙ୍ଗେ ସଙ୍ଗେ ହସ୍ତର ବିଭିନ୍ନ ମୁଦ୍ରା ପ୍ରଦର୍ଶନବେଳେ ପବନର ଲହରରେ ରୁମାଲ ଉଡ଼ାଇଦିଏ ।”(୨)

 

କେବଳ ଓଡ଼ିଶାରେ ନୁହେଁ, ଏ ପ୍ରକାର ଘୋଡ଼ାନାଚ ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଗୋଆ ଓ ଜାମ୍ମୁ-କାଶ୍ମୀର ଅଞ୍ଚଳରେ ମଧ୍ୟ ଅନୁଷ୍ଠିତ ହୋଇଥାଏ ।

 

ତାମିଲନାଡ଼ୁରେ ଘୋଡ଼ାନାଚକୁ ‘ପୁରବୀ ଅଟ୍ଟାମ୍’ (Puravi Attam) ବା ପୋଇକ୍କାଲ କୁଥିରାଇ (Poikkal Kuthirai) କୁହାଯାଇଥାଏ । ଏହି ନୃତ୍ୟକଳାଟି ଚୋଳ ଯୁଗର ଏକ ଅପୂର୍ବ ସୃଷ୍ଟି । ତାମିଲ ଭାଷାର ଶୀଳପଦୀକରଣମ୍ ଗ୍ରନ୍ଥରେ ମରକ୍କଲ ଅଟ୍ଟାମ୍ ବା କାଠଗୋଡ଼ରେ ନୃତ୍ୟର ଉଲ୍ଲେଖ ରହିଛି । ମରହଟ୍ଟା (Marahatta) ପୃଷ୍ଠପୋଷକତାରେ ଏହି ନୃତ୍ୟ ସମୃଦ୍ଧିଲାଭ କରିଥିଲା ତଥା ତାଞ୍ଜଭୁର ଦୁର୍ଗ ମଧ୍ୟରେ ଏହି ଘୋଡ଼ାନାଟ ବିଶେଷ ଭାବରେ କଳାକାରମାନଙ୍କଦ୍ୱାରା ଅନୁଷ୍ଠିତ ହେଉଥିଲା । ସମ୍ପ୍ରତି ଏହି ନୃତ୍ୟ ସଂସ୍କୃତ, ଆଧୁନିକୃତ ତଥା ନବଜୀବନପ୍ରାପ୍ତ ହୋଇ ସାରିଲାଣି । ଏହାର କଳାକାରମାନେ ଲୋକନୃତ୍ୟର ତାଳ ସହିତ ଭାରତନାଟ୍ୟମ୍ ଓ କଥକ ଶୈଳୀକୁ ମଧ୍ୟ ସମୟ ସମୟରେ ଗ୍ରହଣ କରିନେଲେଣି ।

 

ତାମିଲନାଡ଼ୁରେ ଏହି ଡମି (Dummy) ଘୋଡ଼ା ଝୋଟ, କାର୍ଡବୋର୍ଡ, କାଗଜ ଓ କାଚରେ ନିର୍ମିତ ହେଉଅଛି । ଏସ୍.ଏମ୍.ଲକ୍ଷ୍ମଣନ୍ ଚେଟିୟାର ସେହି ଡମି ଘୋଡ଼ାର ମୂଲ୍ୟକୁ ୧୯୭୧ ମସିହାରେ ଛଅ ହଜାର ଟଙ୍କା ହେବ ବୋଲି ଅଟକଳ କରିଥିଲେ । ଜଣେ ପୁରୁଷ ଓ ଜଣେ ସ୍ତ୍ରୀ ଦ୍ୱାରା ଏହି ନୃତ୍ୟ ଅନୁଷ୍ଠିତ ହୋଇଥାଏ ।

 

ତାମିଲନାଡ଼ୁରେ ଏହି ନୃତ୍ୟର ମୁଖ୍ୟ ଆକର୍ଷଣ ହେଲା ଅତ୍ୟଧିକ ମୂଲ୍ୟବାନ ପଦାର୍ଥ ଓ କାର୍ଡବୋର୍ଡରେ ତିଆରି ସୁସଜ୍ଜିତ ଅଶ୍ୱ । ନୃତ୍ୟକାରୀ ଏହି ଘୋଡ଼ାକୁ ନିଜର ପୋଷାକ ଭାବରେ ବ୍ୟବହାର କରିଥାଏ । ଘୋଡ଼ା ପିଠିରେ ଥିବା କଣା ସାହାଯ୍ୟରେ ନୃତ୍ୟକାରୀ ତାହା ଭିତରକୁ ପ୍ରବେଶ କରିଯାଏ ଏବଂ ଏପରି ଭାବରେ ଛିଡ଼ାହୁଏ ଯେମିତି ଲାଗେ ସେ ଘୋଡ଼ା ପିଠିର ବସିଛି । ନର୍ତ୍ତକର ପାଦରେ କାଠର ରଣପାଟିଏ ବାନ୍ଧି ଦିଆଯାଇଥାଏ । ଦୀର୍ଘଦିନର ଅଭ୍ୟାସ ନକଲେ ସାଧାରଣ ଲୋକଟିଏ କାଠର ରଣପା ଉପରେ ନାଚିବା ଅସମ୍ଭବ । ନର୍ତ୍ତକ ଭୂମିକୁ ସିଧାସଳଖ ଦେଖିପାରୁ ନଥିବାରୁ ସାପ ବା ବିଛା ଇତ୍ୟାଦି ବିଷାକ୍ତ ଜୀବଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଏହି ପ୍ରକାର ରଣପାର ବ୍ୟବହାର କରାଯାଇଥାଏ ।

 

ତାମିଲନାଡ଼ୁରେ ଘୋଡ଼ାନାଚର ନର୍ତ୍ତକ ଓ ନର୍ତ୍ତକୀ ଯଥାକ୍ରମେ ରଜା ଓ ରାଣୀର ଅଭିନୟ କରିଥାଆନ୍ତି । ସମୟ ସମୟରେ ଯାଦୁଗର ଭଳି ସେ ଦର୍ଶକମାନଙ୍କୁ ବିମୁଗ୍ଧ କରି ରଖିଥାଆନ୍ତି । (୩)

 

ପଶ୍ଚିମବଙ୍ଗ, ଗୋଆ ଓ ଜାମ୍ମୁ-କାଶ୍ମୀରରେ ଘୋଡ଼ାନାଟର ପଦ୍ଧତି ଏକା ପ୍ରକାରର । ତନ୍ମଧ୍ୟରୁ ଓଡ଼ିଶାର ଘୋଡ଼ାନାଚ, ଗୀତ ସହିତ ସମ୍ପୃକ୍ତ ହୋଇଥିବା ଯୋଗୁଁ ତାହା ସ୍ୱତନ୍ତ୍ର ଓ ବେଶିଷ୍ଟ୍ୟପୂର୍ଣ୍ଣ ।

 

ଓଡ଼ିଶାରେ ଘୋଡ଼ାନାଟ ଚୈତ୍ର ପୂର୍ଣ୍ଣମୀଠାରୁ ଆରମ୍ଭ ହୋଇ ଅଷ୍ଟମୀ ପର୍ଯ୍ୟନ୍ତ ଚାଲିଥାଏ-। ଏଥିରେ ଦୁଇ ବା ତତୋଧିକ ଘୋଡ଼ାକୁ ପୁରୁଷ ଓ ନାରୀବେଶୀ ପୁରୁଷମାନେ ବାଦ୍ୟର ତାଳେ ତାଳେ ନଚାଇଥାଆନ୍ତି । ଏମାନେ ଏହି ସମୟରେ ଘର ଘର ବୁଲି ଘୋଡ଼ା ନଚାଇ ମାଗଣ କରିଥାଆନ୍ତି । ମାଗଣ ସମୟରେ ସଂକ୍ଷୀପ୍ତ ଗୀତ ଗାନ କରାଯାଇଥାଏ । ବେଳେବେଳେ ଏମାନେ ଅନ୍ୟ ଚରିତ୍ର ସହିତ ଛଦ୍ମଯୁଦ୍ଧରେ ବ୍ୟାପୃତ ହୋଇପଡ଼ନ୍ତି । ସେତବେଳେ ଗୀତଗାନ କରାନଯାଇ କେବଳ ଉନ୍ମାଦକାରୀ ବାଦ୍ୟ ବାଜିଥାଏ । ଯାତ୍ରା ଦେଖିବା ପରି ଦେଖିବା ପାଇଁ ସମୟ ସମୟରେ ଘୋଡ଼ା ନାଚକାରୀ ଦଳକୁ ଆବାହନ କରାଯାଇଥାଏ । ସେତେବେଳେ ସେମାନେ ଘୋଡ଼ା ଓ କୈବର୍ତ୍ତ ବିଷୟ ବ୍ୟତୀତ ରାମାୟଣ ଓ ମହାଭାରତର ବିଷୟବସ୍ତୁକୁ ମଧ୍ୟ ଗାନ କରିଥାଆନ୍ତି । ସମୟ ସମୟରେ ଦୁଇଟି ଘୋଡ଼ାନାଟକାରୀ ଦଳ ମଧ୍ୟରେ ବାଦୀନାଟ ମଧ୍ୟ ଅନୁଷ୍ଠିତ ହୋଇଥାଏ । ଏହି ପ୍ରକାର ବାଦୀନାଟରେ ଗୋଟିଏ ଦଳ ଅନ୍ୟ ଦଳକୁ ପ୍ରଶ୍ନବାଣରେ ବିବ୍ରତ କରିପକାନ୍ତି । ବାଦୀନାଟ ହୋଇନଥିଲେ ମଧ୍ୟ ଗୋଟିଏ ଦଳର ଗୋଟିଏ ଚରିତ୍ର, ବିଶେଷକରି ନାରୀ ଚରିତ୍ରଟି ପୁରୁଷ ଚରିତ୍ରକୁ ପ୍ରଶ୍ନ ପଚାରିଥାଏ ଓ ପୁରୁଷ ଚରିତ୍ର ତାହାର ଯଥାଯଥ ଉତ୍ତର ପ୍ରଦାନ କରିଥାଏ ।

 

ଘୋଡ଼ାନାଟର ଉତ୍ପତ୍ତି

 

ଅଚ୍ୟୁତାନନ୍ଦ ଦାସଙ୍କ କୈବର୍ତ୍ତ ଗୀତାରେ ଦାସରାଜାଙ୍କୁ ଘୋଡ଼ାନାଟର ସ୍ରଷ୍ଟା ଭାବରେ ଗ୍ରହଣ କରାଯାଇଛି । କୈବର୍ତ୍ତ ଗୀତାର ବିଂଶ ଓ ଏକବିଂଶ ଅଧ୍ୟାୟରେ ଘୋଡ଼ାର ଜନ୍ମଠାରୁ ଦେବୀତ୍ୱ ପ୍ରାପ୍ତି ଓ ଦାସରାଜା କର୍ତ୍ତୃକ କାନ୍ଧରେ ବହନ କରି ନୃତ୍ୟ ପର୍ଯ୍ୟନ୍ତ ବିଷୟ ବର୍ଣ୍ଣନା କରାଯାଇଛି । ବର୍ଣ୍ଣନା ଅନୁଯାୟୀ ପ୍ରଳୟ ସମୟରେ ଭଗବାନ ବଟପୁରରେ ଅବସ୍ଥାନ କରୁଥିଲେ । ଭଗବାନଙ୍କ ଆଜ୍ଞାରେ ସେହି ବଟପୁଟ ତୁରଙ୍ଗରେ ପରିଣତ ହେଲା ଓ ସେହି ଅଶ୍ୱଟିକୁ ନେଇ ଦାସରାଜା ସିଂହଳ ଦ୍ୱୀପରେ ବାହନ କରିଥିଲା । ଲକ୍ଷେ ସମ୍ବତ୍ସର ବାହନ କଲାପରେ ଅଶ୍ୱଟି ଅଷ୍ଟମୀ ଗୁରୁବାରରେ ପ୍ରାଣତ୍ୟାଗ କଲା । ଅଶ୍ୱଟି ଲକ୍ଷ୍ମୀଙ୍କର ବାରରେ ପ୍ରାଣତ୍ୟାଗ କରିବାରୁ ଲକ୍ଷ୍ମୀସ୍ୱୀରୂପା ନାରୀଟିଏରେ ରୂପାନ୍ତରିତ ହୋଇଗଲା । ସେହି ରୋରୁଦ୍ୟମାନା ନାରୀ ଦାସରାଜାଙ୍କୁ ଛାଡ଼ିଯିବା ପାଇଁ ଇଚ୍ଛା ପ୍ରକାଶ କଲାନାହିଁ ।

 

“ଦାସରାଜା ଛାମୁରେ ଯେ ବା‌ସେଳୀ ଲୋଟଇ

ତୁମ୍ଭେ ପାଦପଦ୍ମ ଛାଡ଼ି କାହିଁ ଯିବି ମୁହିଁ

ତୁମ୍ଭର ସନ୍ତାନ ସଙ୍ଗେ ମୁହିଁ ବିହରିବି

ଖେଳା କଉତୁକ କରି ଦିନ ବଞ୍ଚୁଥିବି ।”

(କୈବର୍ତ୍ତ ଗୀତା-ବିଂଶ ଅଧ୍ୟାୟ)

 

ନାରୀ ରୂପୀ ଅଶ୍ୱକୁ ଦେଖି ଦାସରାଜା ତ୍ରସ୍ତ ହୋଇପଡ଼ିବାରୁ ଭଗବାନ ପ୍ରସନ୍ନ ହୋଇ ବାଶେଳୀ ପୂଜାର ବିଧିବିଧାନ ବର୍ଣ୍ଣନା କରିଥିଲେ । ଭଗବାନ୍ କହିଲେ– “ଏହାକୁ ପୂଜିବେ ଜନ୍ମେ ଜନ୍ମେ ଅବତରି । ଏହାର ଯେ ନାମ ଅଟେ ଅଶ୍ୱିନୀ ବାଶେଳୀ ।” (କୈବର୍ତ୍ତଗୀତା-ବିଂଶ ଅଧ୍ୟାୟ)

 

ଦାସରାଜା ବାଶେଳୀ ପୂଜାର ବିଧିବିଧାନ ଜିଜ୍ଞାସା କରିବାରୁ ଭଗବାନ କହିଲେ– ବାଉଁଶକୁ ଚିରି ଦ୍ୱାଦଶ ଖଣ୍ଡ କରିବୁ । ଅଶ୍ୱର ସଦୃଶ ପଞ୍ଜରା ନିର୍ମାଣ କରିବୁ । କାଠର ପିତୁଳାରେ ମୁଣ୍ଡ କରି ସେହି ପଞ୍ଜରାରେ ଲଗାଇବୁ । ସେହି ମୁଣ୍ଡରେ ଦନ୍ତ, ନାସା ଓ ଚକ୍ଷୁ ଓ କର୍ଣ୍ଣ ନିର୍ମାଣ ହୋଇଥାଏ । କାଇମାଟିରଙ୍ଗରେ ତାହାକୁ ବିଚିତ୍ର କରିଦେବୁ । ତାର ଚାରିପାଖରେ ପାଟଶାଢ଼ୀ ଦେଇ ଯତ୍ନକରି ଅଶ୍ୱକୁ ମଣ୍ଡନ କରାଇବୁ । ପୂର୍ଣ୍ଣମୀଠାରୁ ଅଷ୍ଟମୀ ପର୍ଯ୍ୟନ୍ତ ଏହି ଦେହରେ ଅଶ୍ୱକୁ ପୂଜା କରିବୁ ।

ଭଗବାନଙ୍କ ପ୍ରଦତ୍ତ ବିଧାନ ଅନୁଯାୟୀ ଦାସରାଜା ବାଶେଳୀଙ୍କୁ ପୂଜା କରି ତାଙ୍କୁ ବନ୍ଦନା କଲେ । କହିଲେ– ମାତା ବାଶେଳୀ ! ତୋତେ ମୁଁ ବନ୍ଦନା କରି ଯାତ୍ରା ଆରମ୍ଭ କରିବି । ଜଳେ, ସ୍ଥଳେ, ଅନଳରେ ମୋତେ ଉଦ୍ଧାର କରୁଥିବୁ । ମୋର ବିପତ୍ତି ଖଣ୍ଡନ କରିବୁ ଓ ମୋର ଦୋଷ ଅପରାଧ ମାର୍ଜନା କରିବୁ । ସନ୍ତାନ କୁଟୁମ୍ବ ଧରି ମୁଁ ତୋର ଶରଣ ପଶିଲି । ହେ ଠାକୁରାଣୀ, ମୋ କାନ୍ଧରେ ବାସକର । ତୋତେ ଘେନି ମୁଁ ରାଜାଠାରୁ ପ୍ରଜା ପର୍ଯ୍ୟନ୍ତ ଦ୍ୱାରେ ଦ୍ୱାରେ ବୁଲିବି । ଢମାଳି କରି ଗୀତ ଗାଇ ବୁଲିବି ଓ ତାର ପ୍ରସାଦରୁ ଶାଢ଼ୀ ବଳା ପାଇବି । ଏକାକହି ଦାସରାଜା ବାଶେଳୀକୁ କାନ୍ଧରେ ବହନ କରିବାକୁ ଲାଗିଲେ ।

ହୁଏତ ସେହିଦିନଠାରୁ ଆଜିପର୍ଯ୍ୟନ୍ତ ଚଇତ୍ର ପୂର୍ଣ୍ଣମୀଠାରୁ ଅଷ୍ଟମୀ ପର୍ଯ୍ୟନ୍ତ ଘୋଡ଼ାନାଟ ଅନୁଷ୍ଠିତ ହୋଇଆସୁଛି ।

ଘୋଡ଼ାନାଟ ଗୀତମାନଙ୍କରେ ଏହି ନାଟର ସୃଷ୍ଟି ସମ୍ପର୍କରେ କେତେକ ମନୋରଂଜକ କାହାଣୀ ଗାନ କରାଯାଇଥାଏ । ଉତ୍ତର ଓଡ଼ିଶାରେ ମୁଁ ସଂଗ୍ରହ କରିଥିବା ଘୋଡ଼ାନାଟ ଗୀତଗୁଡ଼ିକ ମଧ୍ୟରୁ ଦ୍ୱିଜଗୋପାଳଙ୍କ ରଚିତ ଗୀତରେ କୁହାଯାଇଛି ଯେ ପ୍ରଳୟ ସମୟରେ ବ୍ରହ୍ମ କୈବର୍ତ୍ତକୁ ଅଶ୍ୱ ତାର ପୃଷ୍ଠରେ ବହନ କରିଥିବା ଯୋଗୁଁ ପ୍ରତିବଦଳରେ ବିଷ୍ଣୁଙ୍କର ବରରେ କୈବର୍ତ୍ତ ଅଶ୍ୱକୁ କାନ୍ଧରେ ବହନ କଲା ।

“ପ୍ରଳୟ କାଳରେ ବ୍ରହ୍ମକୈବର୍ତ୍ତକୁ

ଅଶ୍ୱପୃଷ୍ଠେ ବହିଥିଲା

ବିଷ୍ଣୁଙ୍କ ବରରୁ ତେଣୁ ସେ ଅଶ୍ୱକୁ

କୈବ୍ରତ କନ୍ଧେ ବହିଲା ।”(୪)

 

ଘୋଡ଼ାନାଟ ଗୀତରେ ନାଟ ସମ୍ପର୍କରେ ଆହୁରି ମଧ୍ୟ ମନରୋଚକ କାହାଣୀ ରହିଛି । କୁହାଯାଇଛି ଯେ, ସିଂହଳ ଦ୍ୱୀପରେ ଦାସ କୈବର୍ତ୍ତର ସନ୍ତାନ ସନ୍ତତି ନହେବା ଯୋଗୁଁ ପୁତ୍ରକାମନା କରି ଦାସରାଜା ଅଶ୍ୱମେଧ ଯଜ୍ଞ ଆରମ୍ଭ କଲେ । ଯଜ୍ଞଫଳ ପ୍ରାପ୍ତ ନକରାଇବା ପାଇଁ ଇନ୍ଦ୍ରଦେବ କପଟ କରି ଦାସରାଜାଙ୍କ ବରୁଣ ଅଶ୍ୱକୁ ଅପହରଣ କରି ନେଇଗଲେ । ଦାସରାଜା ଆକୁଳ ହୋଇ ବିଷ୍ଣୁଙ୍କୁ ଧ୍ୟାନ କରିବାକୁ ଲାଗିଲେ । ପ୍ରଭୁ ଜଗନ୍ନାଥ ଭକ୍ତର ଚିତ୍ତ ଜାଣିପାରି ସିଂହଳ ଦ୍ୱୀପରେ ପ୍ରବେଶ ହେଲେ । ଦାସରାଜାଙ୍କୁ ବୁଝାଇ କହିଲେ ଯେ, ଦେବତାମାନେ ଅଶ୍ୱକୁ ଲୁଚାଇ ଦେଇଛନ୍ତି । ଏଣୁ ସେହି ସମାନରେ କାଠର ପିଞ୍ଜରା ଆରମ୍ଭ ଗଢ଼ିଦେବା । କାଠର ଅଶ୍ୱକୁ ପୂଜିଲେ ତୋର ସମ୍ପଦ ବଢ଼ିବ ଓ ଅଶ୍ୱମେଧର ଯଜ୍ଞଫଳ ପ୍ରାପ୍ତ ହେବ । ବିଷ୍ଣୁ ବିଶ୍ୱକର୍ମାଙ୍କୁ ସ୍ମରଣ କରିବାରୁ ବିଶ୍ୱକର୍ମା ସିଂହଳରେ ଉପସ୍ଥିତ ହେଲେ । ଭଗବାନ ବିଷ୍ଣୁ ବାଉଁଶରେ ପିଞ୍ଜରା କରି ଅଶ୍ୱ ନିର୍ମାଣ କରିବାକୁ ବିଶ୍ୱକର୍ମାଙ୍କୁ ନିର୍ଦ୍ଦେଶ ଦେଲେ । ସେହିଦିନଠାରୁ କାଠ ନିର୍ମିତ ଘୋଡ଼ା ଓ ତାହାର ନାଟ ସୃଷ୍ଟି ହେଲା-। (୫)

 

ଘୋଡ଼ାନାଟର ଉତ୍ପତ୍ତି ସମ୍ପର୍କରେ କୁଞ୍ଜବିହାରୀ ଦାଶ ଓଡ଼ିଆ ଲୋକଗୀତ ଓ କାହାଣୀ ଗ୍ରନ୍ଥରେ ଏକ କିମ୍ବଦନ୍ତୀକୁ ଉଦ୍ଧାର କରିଛନ୍ତି । କିମ୍ବଦନ୍ତୀ ଅନୁସାରେ ରାମଚନ୍ଦ୍ରଙ୍କର ବନବାସ ଯାତ୍ରା ସମୟରେ ଗୋଟିଏ କୈବର୍ତ୍ତ ତାଙ୍କୁ ନାବରେ ସରଯୂନଦୀ ପାରି କରାଇ ଦେଇଥିଲା । ରାମଚନ୍ଦ୍ର ଖୁସି ହୋଇ କୈବର୍ତ୍ତକୁ ଅଶ୍ୱଟିଏ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ସେହିଦିନଠାରୁ ଅଶ୍ୱ କେଉଟ ନିକଟରେ ପବିତ୍ର ରୂପେ ବିବେଚିତ ହେଲା । (୬) ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ‘ଓଡ଼ିଶାର ପଲ୍ଲୀନୃତ୍ୟ’ ପ୍ରବନ୍ଧରେ ଘୋଡ଼ାନାଟର ଉତ୍ପତ୍ତି ସମ୍ପର୍କରେ ଅନ୍ୟଏକ କିମ୍ବଦନ୍ତୀର ଅବତାରଣା କରିଛନ୍ତି । ସେ ଲେଖିଛନ୍ତି ଯେ, ମୁନିପରାଶରଙ୍କର ବୀର୍ଯ୍ୟକୁ ତଥା ଦାସରାଜାଙ୍କ କନ୍ୟା ସତ୍ୟବତୀଙ୍କ ଗର୍ଭରୁ ଜାତ ବ୍ୟାସଦେବଙ୍କର ଖେଳିବାକୁ ଇଚ୍ଛା ହେବାରୁ ତାଙ୍କ ପାଇଁ ବିନ୍ଧ୍ୟପର୍ବତରୁ ଏକ ଘୋଡ଼ା ଧରାଯାଇ ଦିଆଯାଇଥିଲା । ସେହିଦିନଠାରୁ ଘୋଡ଼ା ଏକ ଗୃହପାଳିତ ପଶୁରେ ପରିଣତ ହେଲା ଓ ତାହାରି ସ୍ମୃତି ଉଦ୍ଦେଶ୍ୟରେ ଘୋଡ଼ାନାଟ ଅନୁଷ୍ଠିତ ହୋଇଆସୁଛି--(୭)

 

ଡଃ ମନୀନ୍ଦ୍ର ମହାନ୍ତି ଘୋଡ଼ାନାଟକୁ ବୀର ପୂଜାର ଏକ ସ୍ମାରକୀ ଭାବରେ ଗ୍ରହଣ କରି କହିଛନ୍ତି– “ମଣିଷ ଥିଲା ଯାଯାବର । ମାଟିର ମମତା ତାକୁ ପ୍ରଲୁବ୍ଧ କରି ରଖିପାରୁ ନଥିଲା । ଖାଦ୍ୟ ଅନ୍ୱେଷଣରେ ସେ ଅରଣ୍ୟ ପରେ ଅରଣ୍ୟ, ପାହାଡ଼ ପରେ ପାହାଡ଼ ଘୂରି ବୁଲୁଥିଲା । କିନ୍ତୁ ଦିନେ ସେ ମାଟିର ଗନ୍ଧକୁ ବାରି ଶିଖିଲା । ତା’ଜଠର କ୍ଷୁଧାକୁ ମେଣ୍ଟାଇବା ପାଇଁ ମାଟି ତାଡ଼ିଲା । ଫଳ ଫଳାଇଲା । ତେଣୁ ସ୍ଥାୟୀ ବସତି ସ୍ଥାପନ ପାଇଁ ସେ ମନ ବଳାଇଲା । କ୍ରମେ ବି ନଗରମାନ ମୁଣ୍ଡ ଟେକିଉଠିଲା । ଏହି ନଗରର ରକ୍ଷଣାବେକ୍ଷଣା ତଥା ଶାନ୍ତିଶୃଙ୍ଖଳା ଏବଂ ବହିଃଶତ୍ରୁ ଆକ୍ରମଣରୁ ରକ୍ଷା ପାଇଁ ଶାସନ ରୀତି ପ୍ରଚଳିତ ହେଲା । ରାଜା ହେଲା ଏହି ଶାସନର କେନ୍ଦ୍ରବିନ୍ଦୁ । ରାଜ୍ୟର ରକ୍ଷଣାବେକ୍ଷଣ ଏବଂ ଯୁଦ୍ଧରେ ସହାୟକ ଭାବରେ ଘୋଡ଼ାର ଅବଦାନକୁ ଅସ୍ୱୀକାର କରିହେବ ନାହିଁ । ଏହି ପ୍ରସଙ୍ଗରେ ପୁରାଣ ଏବଂ ଇତିହାସର ପୃଷ୍ଠାରେ ଘୋଡ଼ାର ଯେଉଁ ଭୂମିକା ରହିଛି, ତାହାକୁ ଲକ୍ଷ୍ୟକଲେ ଘୋଡ଼ା ବୀରତ୍ୱର ଯେ ପ୍ରତୀକ, ଏହା ସ୍ପଷ୍ଟ ପ୍ରତୀୟମାନ ହୁଏ । ଏହି ବୀରପୂଜାର ସ୍ମାରକୀ ଭାବରେ ଉତ୍କଳୀୟ ଲୋକ ସଂସ୍କୃତିରେ ଚଇତି ଘୋଡ଼ାନାଟ ଏକ ସ୍ୱତନ୍ତ୍ର ସ୍ଥାନରେ ଆସୀନ । (୮)

 

ଘୋଡ଼ାନାଟ ଉତ୍ପତ୍ତିର ବିଭିନ୍ନ କାରଣ ପ୍ରଦାନ କରାଯିବା ସତ୍ତ୍ୱେ ବି ଗବେଷଣାତ୍ମକ ଦୃଷ୍ଟି କୋଣରୁ ଏ ସବୁକୁ ସହଜରେ ଗ୍ରହଣ କରିହୁଏ ନାହିଁ । କାହିଁ ମତ୍ସ୍ୟ ସଂଗ୍ରହକାରୀ କୈବର୍ତ୍ତ ଓ କାହିଁ ଅଶ୍ୱାରୋହୀ ବୀର ଓ ବୀରଙ୍ଗନାମାନଙ୍କର ଯୁଗ୍ମନୃତ୍ୟ । ଏ ଉଭୟଙ୍କ ମଧ୍ୟରେ ସମ୍ପର୍କ ସତ୍ୟ ହେଲେ ବି ଆଶ୍ଚର୍ଯ୍ୟକର ମନେହୁଏ । ମୋର ମନେହୁଏ ଘୋଡ଼ାନାଟ ପର୍ବଟି ଆଦିମ ଅଧିବାସୀମାନଙ୍କଠାରୁ କ୍ରମଶଃ ସଞ୍ଚରିତ ହୋଇଆସିଛି ।

 

ପ୍ରାଚୀନ କାଳରେ କୈବର୍ତ୍ତମାନଙ୍କ ନିଷାଦ ରୂପରେ ଅଭିହିତ କରାଯାଉଥିଲା । ମନସ୍ମୃତି (୧୦/୪୮)ରେ ଅଛି “ମତ୍ସ୍ୟଘାତୋ ନିଷାଦାନାଂ” । ଅର୍ଥାତ୍ ମାଛ ମାରିବା ନିଷାଦମାନଙ୍କର କାର୍ଯ୍ୟ ଅଟେ । ମହାଭାରତରେ ସତ୍ୟବତୀଙ୍କର ପିତା ଦାସରାଜାଙ୍କୁ ମଧ୍ୟ ନିଷାଦ ରୂପରେ ବର୍ଣ୍ଣନା କରାଯାଇଛି । ସତ୍ୟବତୀଙ୍କର ଜୀବନକୁ ଆଶ୍ରୟ କରି ଓଡ଼ିଆ ଭାଷାରେ ଶବର-ବାଳା ନାମକ କାବ୍ୟଟିଏ ମଧ୍ୟ ରଚନା କରାଯାଇଛି । ପ୍ରାଚୀନ କାଳରେ ନିଷାଦମାନଙ୍କ ସହିତ ଆର୍ଯ୍ୟ ରାଜାମାନଙ୍କର ସମ୍ପର୍କ ଗଭୀର ଥିଲା । ନିଷାଦକନ୍ୟା ସତ୍ୟବତୀଙ୍କ ସହିତ ଶାନ୍ତନୁଙ୍କର ବିବାହ ଅନୁଷ୍ଠିତ ହୋଇଥିଲାବେଳେ ରାମାୟଣରେ ନିଷାଦ ଗୁହକ ମହାରାଜ ଦଶରଥଙ୍କର ପରମ ମିତ୍ର ଥିଲେ । ରାମଚନ୍ଦ୍ର ଲକ୍ଷ୍ମଣ ଓ ସୀତାଙ୍କ ସହିତ ବନବାସ ଯାତ୍ରା କରିବା ସମୟରେ ଏହି ନିଷାଦରାଜ ଗୁହକଙ୍କ ଗୃହରେ ରାତ୍ରୀଯାପନ କରିଥିଲେ । ବିଭିନ୍ନ ଡମି ପଶୁମାନଙ୍କୁ ନେଇ ନୃତ୍ୟ କରିବା ଆଦିବାସୀ ସମ୍ପ୍ରଦାୟର ମନୋରଞ୍ଜକ କାର୍ଯ୍ୟ ଥିଲା । ଅଧ୍ୟାପକ ଅଶୋକ କୁମାର ତ୍ରିପାଠୀ ପଶୁନୃତ୍ୟର ସଂଜ୍ଞା ପ୍ରଦାନ କରି କହନ୍ତି– “ପୂର୍ବାଲୋଚନା ପ୍ରକାରେ ଆଦିମ ଅଧିବାସୀ ବିଭିନ୍ନ ପଶୁପକ୍ଷୀଙ୍କୁ ଅନୁକରଣ କରି ସମାଜ ଜୀବନରେ ଯେଉଁ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଆନନ୍ଦ ପାଉଥିଲା, ସେଥିରୁ ପଶୁନୃତ୍ୟର ସୃଷ୍ଟି । କାଳକ୍ରମେ ଏହି ନୃତ୍ୟକୁ ଅଧିକ ରସାଣିତ ଓ ପ୍ରାଣବନ୍ତ କରିବା ନିମିତ୍ତ ବିଭିନ୍ନ ପଶୁପକ୍ଷୀଙ୍କର ମୁଖା ଓ ପୋଷାକ ପରିଧାନ ପୂର୍ବକ ଏହି ନୃତ୍ୟକୁ ପରିବେଷଣ କରାଗଲା । (୯) ଡମି ବାଘ, ଡମି ମୟୂର, ଡମି ପ୍ରଜାପତି, ଡମି ଷଣ୍ଢନୃତ୍ୟ ପରି ଡମି ଘୋଡ଼ାର ନାଚ ନିଷାଦମାନଙ୍କ ଦ୍ୱାରା ପ୍ରବର୍ତ୍ତିତ ହୋଇଥିଲା । ନୃତ୍ୟ କରାଯାଉଥିବା ଏହି ପଶୁମାନଙ୍କ ମଧ୍ୟରୁ ବାଘ, ମୟୂର, ପ୍ରଜାପତି ବା ଷଣ୍ଢ କୌଣସି ଆଦିବାସୀଙ୍କର ବାହନ ନଥିଲେ, ବରଂ ଘୋଡ଼ା ବୀରମାନଙ୍କର ବାହନ ଥିଲା ତଥା ବୀରତ୍ୱର ସୂଚନା ଥିଲା । ତେଣୁ ଅନ୍ୟ ନୃତ୍ୟଗୁଡ଼ିକରେ ମନୁଷ୍ୟ ନିଜକୁ ପଶୁ ଭାବରେ ସଜାଉଥିବାବେଳେ ଘୋଡ଼ା ନାଟରେ ନିଜକୁ ଘୋଡ଼ା ଭାବରେ ନସଜାଇ ଅଶ୍ୱାରୋହୀ ଭାବରେ ସଜାଉଥିଲେ ।

 

ସଂଯୋଗବଶତଃ ଅଶ୍ୱମୁଖୀ ବାଶୁଳୀ କୈବର୍ତ୍ତମାନଙ୍କର ଇଷ୍ଟଦେବୀରେ ପରିଣତ ହେବା ପରେ କୈବର୍ତ୍ତମାନଙ୍କର ଅଶ୍ୱପ୍ରତି ଭକ୍ତିଭାବ ବୃଦ୍ଧି ପାଇଲା । ତେଣୁ ସେ ଏପରି ଏକ ସମୟ ଖୋଜିଲା ଯେଉଁ ସମୟରେ ତାର ଇଷ୍ଟଦେବୀକୁ କାନ୍ଧେରେ ବସାଇ ନଚାଇ ପାରିବ । ଏହାଦ୍ୱାରା ତାର ଦୁଇଟି କାର୍ଯ୍ୟ ସମାହିତ ହୋଇପାରିବ । ପ୍ରଥମେ ତାର ଇଷ୍ଟଦେବୀକୁ କାନ୍ଧେରେ ବୁଲାଇ ପାରିବ ଓ ଦ୍ୱିତୀୟରେ ପରମ୍ପରାଗତ ପଶୁନୃତ୍ୟ ମଧ୍ୟ ପ୍ରଦର୍ଶନ କରିପାରିବ । ଘୋଡ଼ାନାଟର ପ୍ରାରମ୍ଭିକ ଅବସ୍ଥା ବୋଧହୁଏ ଏହିପରି । ପରବର୍ତ୍ତୀ ସମୟରେ ଚଢ଼ୈୟା-ଚଢ଼ୈୟାଣୀ, କେଳା-କେଳୁଣୀ ଦଣ୍ଡନାଟର ସଂସ୍ପର୍ଶରେ ଆସି ରାଉତ-ରାଉତାଣୀ ଅଭିନୟ ଓ ତା ସହିତ ଗୀତର ପ୍ରୟୋଗ କରାଗଲା । ଘୋଡ଼ାନାଟର ରାଉତ-ରାଉତାଣୀ ସମ୍ଭବତଃ ନିଷାଦ ବୀର ଓ ନିଷାଦ ବୀରଙ୍ଗନା । ଲୋକନୃତ୍ୟଗୁଡ଼ିକରେ ଏକ ଅନ୍ତଃସ୍ରୋତ ପ୍ରବାହିତ ହେଉଥିବାର ଆମେ ଲକ୍ଷ୍ୟକରୁ । କେଳା-କେଳୁଣୀ, ଚଢ଼ୈୟା-ଚଢ଼ୈୟାଣୀ ଅଥବା ରାଉତ-ରାଉତାଣୀମାନେ ଗୋଟିଏ ଆଦିବାସୀ ଚରିତ୍ର । ନାଚିବା ଓ ଗାଇବା ସେମାନଙ୍କର ପ୍ରବୃତ୍ତି । ନିଜେ ଦୁଃଖକଷ୍ଟ ସହି ଅନ୍ୟମାନଙ୍କର ମନୋରଂଜନ କରିବା ସେମାନଙ୍କର ଆନ୍ତରିକ ବାସନା ।

 

ପ୍ରାଚୀନ ପଶୁନୃତ୍ୟରୁ ସାମ୍ପ୍ରତିକ ବ୍ୟୟ ସାପେକ୍ଷ ଘୋଡ଼ାନାଟ ପର୍ଯ୍ୟନ୍ତ ଉକ୍ତ ଧାରାଟି ଯୁକ୍ତି ସଂଗତ ଓ ବିଜ୍ଞାନସିଦ୍ଧ । ପୁରାଣ କିମ୍ବଦନ୍ତୀ ଓ ଇତିହାସର ଲୋପ ମଧ୍ୟରେ ଉକ୍ତଧାରା ସ୍ପଷ୍ଟ ବାରିହୋଇପଡ଼େ ।

 

ଘୋଡ଼ାନାଟର ପ୍ରକ୍ରିୟା

 

କୈବର୍ତ୍ତମାନଙ୍କ ଦ୍ୱାରା ନାଟ କରାଯାଉଥିବା ଘୋଡ଼ା ଦୁଇଟି ଅଂଶର ସମଷ୍ଟିରେ ନିର୍ମିତ ହୋଇଥାଏ । ମୁହାଣ୍ଡି ବା ମସ୍ତିଷ୍କ ଅଂଶଟି କାଠରେ ନିର୍ମିତ ହୋଇ ବେହେରା ବା ଦେହୁରୀର ଘରେ ସର୍ବଦା ପୂଜା ପାଉଥାଏ । ପଞ୍ଜରା ବା ଶରୀର ଅଂଶଟି ବାଉଁଶବତାରେ ନିର୍ମିତ ହୋଇ ଘୋଡ଼ାନାଟ ପରେ ପ୍ରତିବର୍ଷ ଜଳରେ ବିସର୍ଜିତ ହୋଇଥାଏ । ଘୋଡ଼ାର ମୁଣ୍ଡଟି ସାଧାରଣତଃ ଦେହୁରୀର ଗୃହରେ କିମ୍ବା ଜମିଦାର ବେହେରା ପଦବୀ ପ୍ରଦାନ କରିଥିବା ବ୍ୟକ୍ତିର ଗୃହରେ ଅଥବା କୈବର୍ତ୍ତ ସମାଜରେ ପ୍ରତିଷ୍ଠିତ ହୋଇଥିବା ବ୍ୟକ୍ତିର ଗୃହରେ ରହି ପୂଜିତ ହେଉଥାଏ । ଚଇତ୍ର ପୂର୍ଣ୍ଣମୀର ପୂର୍ବରୁ ଏହି ମୁଣ୍ଡକୁ ସଫା କରାଯାଇ ବିଭିନ୍ନ ରଙ୍ଗରେ ମଣ୍ଡନ କରାଯାଏ । ଘୋଡ଼ା ମୁଣ୍ଡ ସହିତ ସଂଯୁକ୍ତ ବେକଟି ଅପେକ୍ଷାକୃତ ଲମ୍ବା ହୋଇଥାଏ । ଯେପରିକି ବେକଟି ପିଞ୍ଜରା ସହିତ ସଂଯୁକ୍ତ ହୋଇ ଆବଦ୍ଧ ହୋଇପାରିବ । ଘୋଡ଼ା ମୁଣ୍ଡଟି ସୁନ୍ଦର ଦେଖାଯିବା ପାଇଁ ସେଥିରେ ବାର୍ଣ୍ଣିସ ଦିଆଯାଇଥାଏ । ଦାନ୍ତ, ନାକ, ଆଖି ଓ କାନକୁ ରଙ୍ଗ ଦିଆଯାଇ ସ୍ପଷ୍ଟ କରିଦିଆଯାଏ ।

 

ପଞ୍ଜରା ନିର୍ମାଣର ପଦ୍ଧତି ଭିନ୍ନ ପ୍ରକାରର । ଚଇତ୍ର ପୂର୍ଣ୍ଣମୀ ଦିନ ପୂର୍ବାହ୍ନରେ ଜ୍ୟୋତିଷ ପ୍ରଦାନ କରିଥିବା ଏକ ଶୁଭ ମୁହୂର୍ତ୍ତରେ ଦେହୁରୀ ଶୁଦ୍ଧପୂତ ହୋଇ ପୂର୍ବରୁ ଠିକ୍ ହୋଇଥିବା ଗୋଟିଏ ବାଉଁଶଗଛ ମୂଳକୁ ଯାଇଥାଏ । ଉପବାସରେ ଥିବା ଦେହୁରୀ ପୋଖରୀରୁ ପାଣି ଆଣି ନିଖୁଣ ବାଉଁଶ ଗଛର ମୂଳକୁ ପରିସ୍କାର କରି ଧୋଇଦିଏ । ଚନ୍ଦନ ଓ ସିନ୍ଦୁର ଦେଇ ଗଛର ମୂଳକୁ ପୂଜା କରେ । ଅରୁଆ ଚାଉଳ, ପଞ୍ଜାମୃତ କିମ୍ବା ଯଥାଶକ୍ତି ନୈବେଦ୍ୟ ପ୍ରଦାନ କରେ । ପୁଷ୍ପାଞ୍ଜଳି ଦେଇ ଦୀପରେ ଗଛକୁ ବନ୍ଦାଇଦିଏ । ସାତ ଅହ୍ୟ ଶଙ୍ଖ ଓ ହୁଳହୁଳି ବଜାଇ ଥାଆନ୍ତି । ମନ୍ତ୍ର ଉଚ୍ଚାରଣ କରି ବାଉଁଶ ଗଛକୁ ଚଟାମାରି ହଣାଯାଇଥାଏ ।

 

ଡଃ ମନୀନ୍ଦ୍ର ମହାନ୍ତି କହନ୍ତି– ଏକ ନିଖୁଣ ବାଉଁଶ ଗଛ ମୂଳରେ ପାଣିଢାଳି, ଦୁଧ, ଛେନା, ଗୁଡ଼ ଓ ଅରୁଆଚାଉଳ ଭୋଗ ଲଗାଇଥାଆନ୍ତି । ସେହି ଭୋଗକୁ ତିନିଥର ପାଣି ଛଡ଼ାଇ ଓଁ ହିଂହିଳଂ ଶିଳଂ ବନ୍ଧନଂ ସ୍ୱହେଃ” –ମନ୍ତ୍ର ଉଚ୍ଚାରଣ କରି ତିନିଥର ସେହି ଗଛକୁ ଫୁଙ୍କନ୍ତି । ସେହି ଗଛକୁ ଚଟାମାରି ହଣାଯାଏ । ଈଶ୍ୱରଙ୍କ ନାମଧରି ସେହି ବାଉଁଶ ହଣା ଯାଏ । (୧୦) ସେହି ବାଉଁଶକୁ ଚିରି ୧୨ ଖଣ୍ଡ ବତା ପ୍ରସ୍ତୁତ କରାଯାଏ । ବାରଖଣ୍ଡ ବତାରେ ଘୋଡ଼ାର ପିଞ୍ଜରା ପ୍ରସ୍ତୁତ କରାଯାଏ । ଯଥାସମ୍ଭବ ବତାକୁ ସରୁ ଓ ହାଲୁକା କରାଯାଏ । କାରଣ ଘୋଡ଼ାର ପିଞ୍ଜରା ଓଜନଦାର ହେଲେ ତାକୁ କାନ୍ଧରେ ବୋହିବାକୁ କଷ୍ଟକର ହୋଇପଡ଼େ । ପିଞ୍ଜରା ପିଠି ପାଖରେ ଗୋଟିଏ କଣା କରି ଦିଆଯାଇଥାଏ । ସେହି କଣାବାଟେ ଘୋଡ଼ାନଚାଳୀ ମୁଣ୍ଡ ପୂରାଇ ଅଣ୍ଟା ପର୍ଯ୍ୟନ୍ତ ଉପରକୁ ଉଠିଯାଏ । ପଞ୍ଜାରାର ଦୁଇ ପାଖରେ ଦୁଇଟି ଦଉଡ଼ି ଲାଗିଥାଏ । ଘୋଡ଼ାନଚାଳୀ ସେହି ଦଉଡ଼ିକୁ କାନ୍ଧରେ ପକାଇ ଦେଲେ ଘୋଡ଼ାର ପଞ୍ଜରା ଆଉ ତଳକୁ ନଖସି ଅଣ୍ଟା ପାଖରେ ଅଟକିଯାଏ । ଦୀର୍ଘ ସମୟଧରି ଘୋଡ଼ାକୁ କାନ୍ଧରେ ବହନ କରୁଥିବା ଯୋଗୁଁ ବାଧା ନହେବା ପାଇଁ ଝୋଟ ବା ଫିତାକୁ ମଧ୍ୟ ବ୍ୟବହାର କରାଯାଇଥାଏ । ଘୋଡ଼ାର ପିଞ୍ଜରା ଅଧିକ ଓଜନଦାର ଥିଲେ ଘୋଡ଼ାନଚାଳୀ କାନ୍ଧରେ ଲୁଗାକୁ ଚଉତି ପକାଇ ଦେଇଥାଏ ।

 

ବତାରେ ପଞ୍ଜରାର ଶେଷ ହେବା ପରେ ତାହାକୁ କାଇମାଟିରେ ଲେପି ଦିଆଯାଏ । ତା ଉପରେ ପାଟଶାଢ଼ୀ ପିନ୍ଧାଇ ଦିଆଯାଏ ।

 

“କାଇମାଟିରେ ଯତନେ ଲିପିବୁ ଶରୀର

ପାଟଶାଢ଼ୀ ଘେରାଇବୁ ଅଙ୍ଗରେ ତାହାର

ଘଟନ ଦିଶିବ ଯେହ୍ନେ ଅଶ୍ୱର ଶରୀର ।” (୧୧)

 

“ଫ୍ରେମ୍ ବା ପିଞ୍ଜରାଟି ତିଆରି କଲା ପରେ ଘୋଡ଼ାର ମୁଣ୍ଡ (କାଠରେ ନିର୍ମିତ) ଲଗାଇ ପିଆଯାଏ । ଏହାପରେ ପରସ୍ତ ପରସ୍ତ କରି ବିଭିନ୍ନ ରଙ୍ଗର ଲୁଗା । ଘାଗରା ପରି ଥାକ ଥାକ କରି ପିଞ୍ଜରାର ତଳୁ ଉପର ପର୍ଯ୍ୟନ୍ତ ସଜାଇ ଦିଆଯାଏ । ବ୍ରହ୍ମାଙ୍କ ନାମଧରି ଘୋଡ଼ାର ଏହି ପିଞ୍ଜରାକୁ ସଜ୍ଜିତ କରାଯାଏ । ଏହି ରଙ୍ଗୀନ କପଡ଼ା ବା ଶାଢ଼ୀକୁ ଏପରି ପରସ୍ତ ପରସ୍ତ କରି ସଜ୍ଜା ଯାଇଥାଏ ଯେ ନଚାଳୀ ଯେତେବେଳେ ସେହି ଅନୁକୃତି (model) କୁ ଧରି ଘୋଡ଼ାପରି ତୀର ବେଗରେ ଧାଇଁ ଧାଇଁ ନାଚୁଥାଏ, ସେତେବେଳେ ଏହି ଥାକ ଥାକ ଲୁଗାଗୁଡ଼ିକ ପବନର ଆଘାତରେ କମ୍ପିଉଠି ଖୋଲି ଖୋଲିଯାଏ । ଘାଗରା ପରି ଲୁଗାଗୁଡ଼ିକ ଥାକ ଥାକ ସଜ୍ଜିତ ହୋଇଥିବାରୁ ଲୁଗାର ଶେଷ ଅଂଶର ତରଙ୍ଗାୟିତ ଛନ୍ଦ ଦର୍ଶକ ଚିତ୍ତକୁ ଆକର୍ଷଣ କରିଥାଏ । (୧୨)”

 

ଘୋଡ଼ାନାଟ ରାଉତ-ରାଉତାଣୀ ନାଟରେ ପରିଣତ ହେବା ପୂର୍ବରୁ ଅଶ୍ୱଯାତ୍ରାକୁ ରାଜାଙ୍କର ଯାତ୍ରା ଭାବରେ ଗ୍ରହଣ କରାଯାଉଥିଲା । ରାଜାଙ୍କର ଯାତ୍ରା ସମୟରେ ତାଙ୍କ ପଛପଟରେ ଛତ୍ର ବା ଆଲମ ଧରିବାର ବିଧିଥିଲା । ତେଣୁ ସାମ୍ପ୍ରତିକ ଘୋଡ଼ା ନାଟରେ ସେହି ପରମ୍ପରାକୁ ଅନୁସରଣ କରି ନାଟ ସହିତ ଆଲମ ବା ଛତ୍ର ମଧ୍ୟ ପ୍ରସ୍ତୁତ କରି ନିଆଯାଇଥାଏ । ଘୋଡ଼ାନାଟର ଏହି ଆଲମର ପ୍ରସ୍ତୁତ ପ୍ରଣାଳୀ ପିଞ୍ଜରାର ପ୍ରସ୍ତୁତ ପ୍ରଣାଳୀ ଠାରୁ କୌଣସି ଗୁଣରେ ନ୍ୟୂନ ନୁହେଁ । ପୂର୍ବପରି ଉପବାସ ରହିଥିବା ଜଣେ ବ୍ୟକ୍ତି ନୂତନ ବସ୍ତ୍ର ପରିଧାନ କରି ବାଉଁଶଗଛ ମୂଳକୁ ଯାଇଥାଏ । ଗୋଟିଏ ବାଡ଼ିଆ ବାଉଁଶମୂଳକୁ ଧୋଇ ଦିଆଯାଇ ଫୁଲ ଚନ୍ଦନରେ ପୂଜା କରାଯାଇଥାଏ । ବାଉଁଶକୁ ହାଣି ୬ ହାତ ଲମ୍ବ ପର୍ଯ୍ୟନ୍ତ ରଖି ତାକୁ ପୁଣି ଗନ୍ଧା ହଳଦୀରେ ଗାଧୋଇ ଦିଆଯାଏ । ସେହି ବାଉଁଶକୁ ସିନ୍ଦୂର ଓ ଚନ୍ଦନରେ ପୂଜା କରାଯାଇଥାଏ । ଗୋଟିଏ ପିତଳ ଲୋଟାରେ ଦୁବ, ବରକୋଳିପତ୍ର, ଫୁଲ, ଅରୁଆଚାଉଳ, ଗୁଆ, କଉଡ଼ି, ହରିଡ଼ା-ବାହାଡ଼ା, ପଇସା ଇତ୍ୟାଦି ପଡ଼ି ତା’ଉପରେ ଆମ୍ବଡାଳ ରଖାଯାଇ କଳସ ସ୍ଥାପନ କରାଯାଏ । ବାରହାତର ପାଟଶାଢ଼ୀକୁ କୁଞ୍ଚକରି ବନ୍ଧା ଯାଇଥାଏ । ଶାଢ଼ୀଟି ବନ୍ଧା ହୋଇଥିବା ସ୍ଥାନରୁ ତଳକୁ ଅଢ଼େଇ ହାତ ଓହଳିପଡ଼େ । ଅଢେଇ ହାତ ତଳକୁ ଗନ୍ଧାହଳଦୀ ଥାପି ତା’ଉପରେ ଦୁଇକଟା କଉଡ଼ି ଦେଇ ଚକ୍ଷୁ କରାଯାଏ । ଚକ୍ଷୁ ସ୍ଥାନରେ କଳା ଓ ସିନ୍ଦୂର ଦିଆଯାଏ । କଳସରେ ମଧ୍ୟ ସିନ୍ଦୂର ସ୍ଥାପନ କରି ତା’ଉପରେ ଫୁଲର ହାର ଦିଆଯାଏ । ଚକ୍ଷୁ ସ୍ଥାନରେ ମଧ୍ୟ ଫୁଲହାର ଦିଆଯାଏ । ଆଲମକୁ ବନ୍ଦାପନା କରାଯାଏ । ଗୋଟେ ଥାଳିରେ କିଛି ଅରୁଆ ଚାଉଳ ରହେ । ଅରୁଆ ଚାଉଳ ଉପରେ ଘିଅର ଦୀପ ଥୁଆଯାଏ । ସାତଜଣ ଅହ୍ୟସ୍ତିରୀ ସେହି ଥାଳିକୁ ଧରି ଆଲମକୁ ବନ୍ଦାଣ କରନ୍ତି । ସାତଜଣ ଅହ୍ୟସ୍ତିରୀ ନଆସି ପାରିଲେ ତିନିଜଣ, ଅଥବା ତିନିଜଣର ଅଭାବ ହେଲେ ସ୍ତ୍ରୀ ମଧ୍ୟ ବନ୍ଦାପନା କରିପାରେ । ଝୁଣାଧୂପ ଦିଆଯାଏ । ବାଶୁଳୀ ରୂପରେ ପୂଜିତ ହେଉଥିବା ଘୋଡ଼ାର ମୁହାଣ୍ଡି ଆଲମ ନିକଟକୁ ଆସି ପୂଜିତ ହୁଏ । କୈବର୍ତ୍ତମାନେ ଆଲମକୁ ବାଶୁଳୀଙ୍କର ଛତ୍ର ବୋଲି କହିଥାଆନ୍ତି । ଘୋଡ଼ାନାଟର ଶେଷରେ ଶାଢ଼ୀଟି ବାଶୁଳୀଙ୍କ ପାଖରେ ରହି ବର୍ଷଯାକ ପୂଜାପାଏ ଓ ବାଉଁଶ ଖଣ୍ଡଟି ଜଳରେ ଓଝାଇ ଦିଆଯାଏ । (୧୩) ଏହିପରି ବିସ୍ତୃତ ଭାବରେ ନହେଲେ ମଧ୍ୟ କୈବର୍ତ୍ତ ପୁରାଣରେ ଅଶ୍ୱଯାତ୍ରାର ଦୀର୍ଘ ବିବରଣୀ ପ୍ରଦାନ କରାଯାଇଛି । (୧୪) କୈବର୍ତ୍ତ ଗୀତାରେ ପିଞ୍ଜରାରେ ମୁଣ୍ଡ ଚଢ଼ାଇବା ମନ୍ତ୍ର, ଜୀବନ୍ୟାସ ମନ୍ତ୍ର ଓ ଘୋଡ଼ାଶୀତଳ ମନ୍ତ୍ର ମଧ୍ୟ ପ୍ରଦାନ କରାଯାଇଛି । (୧୫)

 

ଘୋଡ଼ା ନଚାଇବା ଲୋକ କାନ୍ଧରେ ବାଶୁଳୀ ଦେବୀଙ୍କୁ ବହନ କରୁଥିବା ଯୋଗୁଁ ଚୈତ୍ରପୂର୍ଣ୍ଣମୀଠାରୁ ଅଷ୍ଟମୀ ପର୍ଯ୍ୟନ୍ତ କିମ୍ବା ଯେତେଦିନ ଘୋଡ଼ାନଚା ଯାଇଥାଏ, ସେତେଦିନ ଶୁଦ୍ଧପୁତ ଭାବରେ ଚଳେ । ଆମିଷ, ପିଆଜ, ରସୁଣ, ଇତ୍ୟାଦି ଦ୍ରବ୍ୟ ଭୋଜନ କରେ ନାହିଁ । କେହି କେହି ଏହି କେତେଦିନ ଅନ୍ନ ମଧ୍ୟ ସ୍ପର୍ଶ କରନ୍ତି ନାହିଁ । ଘୋଡ଼ାନାଚ ଶେଷ ହେବା ପରେ କଳଶ, ଘୋଡ଼ାର ପିଞ୍ଜରା ଓ ଆଲମକୁ ଜଳରେ ଓଝାଇ ଦିଆଯାଏ । ଘୋଡ଼ାର ମୁଣ୍ଡକୁ ପୂଜା ହେବା ପାଇଁ ନିର୍ଦ୍ଦିଷ୍ଟ ବ୍ୟକ୍ତିର ଗୃହକୁ ନିଆଯାଇଥାଏ । ସ୍ଥାନେ ସ୍ଥାନେ ମୁଣ୍ଡକୁ ମଧ୍ୟ ଜଳରେ ବିସର୍ଜନ କରାଯାଇ ପରବର୍ଷ ପୁଣି କାଠର ମୁଣ୍ଡ ନିର୍ମାଣ କରାଯାଇଥାଏ ।

 

ଘୋଡ଼ାନାଟର ମଞ୍ଚ

 

ରାଧାକୃଷ୍ଣ ମେଳନ ସମୟରେ ଯେମିତି ଅଧିକାରୀ ରାଧାକୃଷ୍ଣ ବିମାନରେ ବସାଇ ଘର ଘର ବୁଲିଥାଏ, ଘୋଡ଼ାନାଚରେ ମଧ୍ୟ ଘୋଡ଼ା ନଚାଳୀ ଠିକ୍ ସେହିପରି ତାର ସହକରୀମାନଙ୍କ ସହ ଘର ଘର ବୁଲିଥାଏ । ସେତେବେଳେ ବିଷୟବସ୍ତୁହୀନ ଗୀତମାନ ତାର କଣ୍ଠରୁ ସ୍ଫୁରିତ ହୋଇଥାଏ-। ବାଦ୍ୟକାରଙ୍କ ସହ ନାଚି ନାଚି ସେମାନେ ପୁରୁଣା ଲୁଗା, ଚାଉଳ ଓ ଟଙ୍କା ଇତ୍ୟାଦି ମାଗଣ କରିଥାଆନ୍ତି । ସେତେବେଳେ ଦୁଇ ପାର୍ଶ୍ୱରେ ଠିଆ ହୋଇ ଦର୍ଶକମାନେ ଘୋଡ଼ାନାଟକୁ ଉପଭୋଗ କରିଥାଆନ୍ତି । ଗୋଟିଏ ନିର୍ଦ୍ଦିଷ୍ଟ ବିଷୟବସ୍ତୁକୁ ଆଧାର କରି ଯେତେବେଳେ ନାଟ ଅନୁଷ୍ଠିତ ହୁଏ, ଏହି ନାଟ ଦୀର୍ଘ ସମୟ ଧରି ହେବାକୁ ଥିବାରୁ ଏକ ନିର୍ଦ୍ଦିଷ୍ଟ ସ୍ଥାନର ଆବଶ୍ୟକତା ପଡ଼େ-। ଘୋଡ଼ାନାଟ ମଝି ସ୍ଥାନରେ ଅନୁଷ୍ଠିତ ହୁଏ ଓ ଦର୍ଶକମାନେ ଚାରିପଟରୁ ଘେରିଯାଇ ବସିପଡ଼ନ୍ତି । ପ୍ରଥମେ କିଛି ସମୟ ଘୋଡ଼ା ସହିତ ନାଚିବା ପରେ ସେମାନେ ଘୋଡ଼ାକୁ ତଳେ ଥୋଇଦେଇ ପାଲାଗାୟକ ଶୈଳୀରେ ଗାୟନ ଆରମ୍ଭ କରିଦିଅନ୍ତି । ଏହି ନାଟ ପାଇଁ ପ୍ରଥମେ ମଶାଲ, ପରେ ପେଟ୍ରୋମାକ୍ସ ଓ ଏବେ ବିଦ୍ୟୁତ୍ ଆଲୋକର ବ୍ୟବସ୍ଥା କରାଯଉଛି ।

 

ଘୋଡ଼ାନାଟରେ ତିନି ପ୍ରକାର ବାଦ୍ୟର ପ୍ରୟୋଗ ଦେଖାଯାଏ । ଢୋଲ ବା ରଙ୍ଗଢୋଲ, ମହୁରୀ, ତଡ଼କା ବା ତଡ଼ତଡ଼ି । କେବଳ ଘୋଡ଼ାନାଟ ନୁହେଁ ସବୁ ପ୍ରକାର ଲୋକନାଟ୍ୟରେ ଏହି ତିନି ପ୍ରକାର ବାଦ୍ୟର ପ୍ରାଧାନ୍ୟ ରହିଛି । ଘୋଡ଼ାନାଟରେ ଗୀତ, ବାଦ୍ୟ ଓ ନୃତ୍ୟର ଅପୂର୍ବ ସମ୍ମିଶ୍ରଣ ଘଟିଥାଏ । ପ୍ରଥମେ ଗୀତ ଗାଇବାବେଳେ ଗାନକାରୀର ଗୋଡ଼ ନାଚକରିବା ପରି ହଲୁଥିଲେ ମଧ୍ୟ ଗୀତଟି ଗାଇ ସାରିବା ପରେ ଗୀତର ସୁରରେ ବାଦ୍ୟ ଓ ନୃତ୍ୟ ଅନୁଷ୍ଠିତ ହୋଇଥାଏ । ବାଦ୍ୟ ଓ ନୃତ୍ୟ ଗୀତର ପାଳିଧରିବା ଭଳି ଲାଗେ, ଗୀତଟି ଯେତିକି ସମୟରେ ଶେଷହୁଏ, ବାଦ୍ୟ ଓ ନୃତ୍ୟ ଠିକ୍ ସେତିକି ସମୟରେ ଶେଷ ହୋଇଥାଏ ।

 

ଯେଉଁମାନେ ଢୋଲ ବାଦନ କରନ୍ତି, ସେମାନଙ୍କୁ ହାଡ଼ିବୋଲି ସାଧାରଣତଃ କୁହାଯାଇଥାଏ । କୈବର୍ତ୍ତମାନେ କାହିଁକି ହାଡ଼ିକୁ ଧରି ଯାତ୍ରା କରିବାକୁ ଯାଆନ୍ତି, ଏହି ପ୍ରଶ୍ନର ଉତ୍ତର କୈବର୍ତ୍ତ ଗୀତାରେ ପ୍ରଦାନ କରାଯାଇଛି । ଏହି ଗ୍ରନ୍ଥର ତ୍ରୟୋବିଂଶ ଅଧ୍ୟାୟରେ କୁହାଯାଇଛି ଯେ,

 

ହାଡ଼ି ବୋଲିକରି ଯାହା ପୁଚ୍ଛିଲୁ ଅର୍ଜୁନ

ମୋହରି ବ୍ୟତ୍ରକେ ସେହୁ ନୁହଇଟି ଭିନ୍ନ

ଈଶ୍ୱର ଯେ ହାଡ଼ି ହୋଇ ଢୋଲ ବଜାଇଲେ

ଡିବିଡିବି ଡମ୍ବରୁ ଯେ ପୁଣି ନାଦ କଲେ ।

 

ଯେଉଁମାନେ ପଶୁମାନଙ୍କୁ ମାରି ତାହାର ଛାଲରେ ବାଦ୍ୟ ନିର୍ମାଣ କରିଥାଆନ୍ତି, ସେମାନଙ୍କୁ ହାଡ଼ି ଭାବରେ ଆଖ୍ୟାୟିତ କରାଯାଇଥାଏ । ଈଶ୍ୱର ମର୍କଟ ଛାଲରୁ ନିର୍ମିତ ହେଉଥିବା ଡମ୍ବରୁ ବାଦନ କରୁଥିବା ଯୋଗୁଁ ସେ ମଧ୍ୟ ହାଡ଼ି ସଦୃଶ । ମାତ୍ର ଭଗବାନ ସକଳ ଘଟରେ ବିରାଜିତ ଥିବାରୁ ସେ ମଧ୍ୟ ହାଡ଼ି ହୋଇ ଢୋଲ ବଜାଇଥାଆନ୍ତି ବୋଲି ଅର୍ଜୁନ ଆଗରେ ପ୍ରକାଶ କରିଅଛନ୍ତି-। କେବଳ ହାଡ଼ି ନୁହେଁ, ଅଶ୍ୱଯାତ୍ରାରେ ଭଗବାନ ରାଉତ, ବଇରାଗୀ, ଚଢ଼ୈୟା-ଚଢ଼ୈୟାଣୀ ମଧ୍ୟରେ ବିରାଜିତ ହୋଇଥାଆନ୍ତି ବୋଲି ମଧ୍ୟ ପ୍ରକାଶ କରିଛନ୍ତି–

 

ଘୋଡ଼ାର ରାଉତ ଦାସରାଜାକୁ ଇଁ

ବଇରାଗୀ ପୁଣି ମୁଁ ତହିଁରେ ହୋଇଲଇଁ ।

ମୁହିଁ ଯେ ହୋଇଲଇ ଚଢ଼ୈୟା-ଚଢ଼ୈୟାଣୀ

ନଳ ଯେ କନ୍ଧରେ ଧରି ପତର ଛାଉଣୀ ।

ଦେବତା ଯାତ୍ରାରେ ଯେତେ ଅଛବକୁ ଛୁଇଁ

ହାଡ଼ିକି ଛୁଇଁଲେ ପୁଣି କିଛି ଦୋସ ନାହିଁ ।

ଦେବତା ଯାତ୍ରାରେ ବିଷ୍ଣୁ ବିହାର କରଇ

ତେଣୁକରି ସେ ଦୋଷ କାହାକୁ ନଲାଗଇ ।

(କୈବର୍ତ୍ତ ଗୀତା-ତ୍ରୟୋବିଂଶ ଅଧ୍ୟାୟ)

 

ଘୋଡ଼ାନାଟର ଗୀତା

 

ଗାଁ ଦାଣ୍ଡରେ ନୃତ୍ୟ କଲାବେଳେ କିମ୍ବା ବିଷୟବସ୍ତୁ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ବିବିନ୍ନ ଲୋକକବିମାନଙ୍କ ଦ୍ୱାରା ରଚିତ କୈବର୍ତ୍ତ ଓ ଘୋଡ଼ା ସମ୍ପର୍କୀୟ ଗୀତମାନ ଗାନ କରାଯାଇଥାଏ । ଘୋଡ଼ାନାଟ ପାଇଁ ବହୁ ପଲ୍ଲୀ କବିଙ୍କର ଗୀତ କୈବର୍ତ୍ତ ସମାଜରେ ପ୍ରଚଳିତ ଥିଲାବେଳେ ପୁରୀର ବାଲିପାଟଣାଠାରେ ପ୍ରୟୋଗ କରାଯାଉଥିବା ଗୋଟିଏ ଗୀତ ଏଠାରେ ଉଦ୍ଧାର କରାଯାଇଛି ।

 

“ଚଇତ୍ର ମାସରେ ଚଇତ୍ର ପୂର୍ଣ୍ଣମୀ

ମୀନ ମାରିବାକୁ ଗଲେ

ସମୁଦ୍ରରେ ତହୁଁ ଜାଲ ବୁହାଇଣ

ବାଜିଶ ଗୋଟି ମାଇଲେ ।

ତାହାକୁ ପାଇଣ ଆନନ୍ଦ ହୋଇଣ

ସାତ ପାଞ୍ଚ ମେଳହେଲେ

ସିଦ୍ଧ ବାସୁଳୀକି ପୂଜିବା ନିମନ୍ତେ

ମନରେ ବାସନା କଲେ ।

ଦୁଧ ଗୁଡ଼ ଛେନା ଦେଇ ମୂଳେ ପଣା

କାଟିଲେ ବାଉଁଶ ତୋଳି

ବାଉଁଶ କାଟନ୍ତେ ସେ ଶିର ଛେଦନ୍ତେ

ବାଉଁଶ ପଡ଼ଇ ଢଳି ।

ବାଉଁଶ କାଟିଲେ ପୂର୍ଣ୍ଣମୀର ଦିନ

ମୂଳେ ଛେନା ପଣା ଦେଇ ।

ସେହି ବାଉଁଶଟି ସୁଦୟା କରିବ

ମୁଲକ ଫେରିବା ପାଇଁ ।

କାହାନାମ ଧରି ବାଉଁଶ କାଟିଲୁ

କା ନାମେ ବତା ଚିରିଲୁ

କାହାନାମ ଧରି ପଞ୍ଜରୀ ବାନ୍ଧିଲୁ

କା ନାମେ ସବାର ହେଲୁ ।

ଈଶ୍ୱର ନାମରେ ବାଉଁଶ କାଟିଲି

ପାର୍ବତୀ ନାମେ ଚିରିଲି

ବ୍ରହ୍ମାଙ୍କ ନାମରେ ସାଜ ବିସ୍ତାରିଣ

ବାସୁକୀ ନାମେ ଚଢ଼ିଲି ।

(ପଲ୍ଲୀଗୀତି ସଞ୍ଚୟନ-ପୃ-୫୬୦)

 

ଏହି ଗୀତରେ କୈବର୍ତ୍ତମାନେ କିପରି ବାଉଁଶକାଟି ଘୋଡ଼ା ନିର୍ମାଣ କରନ୍ତି ତଥା କେଉଁପରି ଭାବରେ ଅଶ୍ୱଯାତ୍ରା ଆରମ୍ଭ କରନ୍ତି ତାହାର ସୂଚନା ଦିଆଯାଇଛି । ଡଃ ମନୀନ୍ଦ୍ର ମହାନ୍ତି ପଦ୍ମନାଭ ଦାସ, ଦ୍ୱିଜ ଗୋପାଳ, ରାଧୁ ଦାସ ପ୍ରମୁଖଙ୍କ ଗୀତମାନ ଘୋଡ଼ାନାଟ ପାଇଁ ପ୍ରଯୁକ୍ତ ହୋଇଥିବାର ଉଲ୍ଲେଖ କରିଛନ୍ତି । ଡଃ କୃଷ୍ଣଚନ୍ଦ୍ର ବେହେରା ନିଧି ଓ କୃଷ୍ଣଦାସ ପ୍ରମୁଖ କବିଙ୍କର ଭଣିତା ଥିବା ଗୀତ ବାଲେଶ୍ୱର ଜିଲ୍ଲାର ମୁଝୁରିଗଡ଼ ଗ୍ରାମସ୍ଥ ଶ୍ରୀ ନାରାୟଣ ମାଝୀଙ୍କଠାରୁ ସଂଗ୍ରହ କରିଛନ୍ତି । ଗାଁ ଦାଣ୍ଡରେ ଘୋଡ଼ାନେଇ ବୁଲୁଥିବା ସମୟରେ ମାଗଣ କରିବା ଘୋଡ଼ା ନଚାଳୀଙ୍କର ମୁଖ୍ୟ ଉଦ୍ଦେଶ୍ୟ । ବିଶେଷ ଭାବରେ ଏହି ସମୟରେ ପୁରୁଣା ଲୁଗାମାନ ସେମାନେ ସଂଗ୍ରହ କରିଥାଆନ୍ତି ।

 

ଦଣ୍ଡନାଚ କିମ୍ବା ଅନ୍ୟାନ୍ୟ ଲୋକଗୀତ ପରି ଘୋଡ଼ାନାଟ ଗୀତର ଦୁଇପାଦରୁ ପ୍ରଥମ ପାଦଟି ପ୍ରାୟ ଅର୍ଥଶୂନ୍ୟ । ଦ୍ୱିତୀୟ ପାଦରେ ସେ ତାର ମନର ଭାବକୁ ପ୍ରକାଶ କରିଥାଏ । ଯେମିତି–

 

ଧରିଲା ଚଢ଼େଇ ଗଲା

ନଇଲେ ଲାଗିଅଛି ଭଲ ପାଲା

ବଡ଼ଘର ଦେଖି ଆଣିଛି ଘୋଡ଼ା

ଦୁଆର ନୁହଇ ଖୋଲା ।

 

ଧରିଲା ଚଢ଼େଇ ଗଲା / ନଇଲେ ଲାଗିଅଛି ଭଲପାଲାର ଗୀତ ସହିତ ସମ୍ପର୍କାନ୍ୱିତ କୌଣସି ଅର୍ଥ ନାହିଁ । ଗୀତର ଦ୍ୱିତୀୟ ପାଦରେ ଯେଉଁ ଘରକୁ ଘୋଡ଼ା ନଚାଇବାକୁ ଯାଇଥାଆନ୍ତି ସେମାନଙ୍କର ମହତ୍ତ୍ୱ କୀର୍ତ୍ତନ କରାଯାଇ ତାଙ୍କ ନିକଟରୁ କିଛି ଜିନିଷ ଆଶା କରାଯାଇଥାଏ । ଏହି ଦ୍ୱିତୀୟ ପାଦଗୋଡ଼ିକୁ ଯୋଡ଼ି ସେଥିରୁ କୈବର୍ତ୍ତର ମନର ଭାବ ଓ ଆକାଙ୍କ୍ଷାକୁ ବେଶ୍‍ ବୁଝିହେବ । ଯେମିତି– “ଏହି ଘୋଡ଼ାଟିକୁ ମୁଁ ତିନିବର୍ଷ ହେଲା ତିଆରି କରିଛି, ଘୋଡ଼ାକୁ ଧରି ବାର ଦୁଆର ବୁଲିବି । ରାତି ଅଧିକ ହେଉଛି, ବେଗାବେଗି ମୋର ଦୁଃଖ ବୁଝିଦିଅ । ମୋର ମନ ପାଟଶାଢ଼ୀରେ ଥିବାରୁ ଏଣୁତେଣୁ ଦେଲେ ମନ ବୁଝିବ ନାହିଁ । ଆପଣତ ଗୁଡ଼ର ପର୍ବତ– ଆମେ ମାତ୍ର ପିମ୍ପୁଡ଼ି । ଆମକୁ ଯେତେଦେଲେ ବି ଆପଣଙ୍କର କିଛି କ୍ଷତି ହେବନାହିଁ । ଯେମିତି ତୀର୍ଥଦେଖି ସ୍ନାହାନ କରନ୍ତି, ସେମିତି ଦାତା ଦେଖି ମୁଁ ଅଳି କରୁଛି । ସୋର ସିନା ପାଉଣା ମିଳିଗଲା, ମୋ ଢୋଲିଆର କିଛି ମିଳିନାହିଁ ବୋଲି ସେ ବାଟ ଛାଡ଼ୁନାହିଁ । ଇଷ୍ଟଦେବୀଙ୍କୁ ପ୍ରାର୍ଥନା କରୁଛି, ଖାମିଦାର ଅଧିକରୁ ଅଧିକ ହେଉ । ହେ ଖାମିଦ ! ମୁଁ ସ୍ୱଭାବରେ ଗଜମୁରୁଖ । ମୋର ଦୋଷାଦୋଷ କ୍ଷମା କରିବ ।”

 

ପୁରୀ ନିମାପଡ଼ା ଅଞ୍ଚଳର ଗୋଟିଏ ମାଗଣ ଗୀତକୁ ଏଠାରେ ଉଦ୍ଧାର କରାଯାଉଛି ।

 

“ବାଟରେ ମାଇଲି ବୁଡ଼ା

ରାତିରେ ନଚାଏ ଚଇତି ଘୋଡ଼ା ମୁଁ

ଦିନରେ କୁଟଇ ଚୁଡ଼ା ।

ଚୁଡ଼ା ରଖିଲି ବଣାରେ

ନଇଲେ ପଇସା ଅଛି ଠଣାରେ

ମାଆ ସାଆନ୍ତାଣୀ ଘର ଭିତରେ

ବାପା ବସିଛନ୍ତି ଦ୍ୱାରେ ।

କେତେ କର ନାହିଁ ନାହିଁ

ଘୋଡ଼ା ମୁଣ୍ଡେ ଶାଢ଼ୀ ଦିଅ ସଜାଇ

ଦେଖାଇବି ସାଇ ସାଇ ।

କିଟାକଟା ଗୋଡ଼ ମୁଦି

ନଇଲେ ରଙ୍ଗ ଡାଳିମ୍ବିଆ ଖଦି

ଚଞ୍ଚଳ ଚଞ୍ଚଳ ବିଦା କରିବ ମାଆ ମୋର ହେ

ନ ହୁଅଟି ଆଉ ଭାବି ।

ପନିକିରେ ଶାଗକାଟ

ନଇଲେ ଋଷି ଛିଣ୍ଡାଇଲେ ଜଟ ।

ବାପା ଦେଖନ୍ତି ତ ପିଠିଆଡ଼କୁ

ମାଆ ଦରାଣ୍ଡଇ ପେଟ ।

ନାହିଁ ନାହିଁ ନ କରିବ

ନଇଲେ ପେଟରା ଫିଟାଇ ଦେବ

ତୁମ୍ଭ ପିନ୍ଧା ଶାଢ଼ୀ ଖଣ୍ଡିଏ ଦେବ

ରାଉତାଣୀ ଯେ ପିନ୍ଧିବ ମାଆ ମୋର ଲୋ ।

ନାଚିଲେଣି କେତେ ରାତି

ହେଲେ ବାଳିଆ ମାଛର କାତି

ମାଆ ତେଣେ ମୋର ଖୋଜୁଅଛନ୍ତି

ଚାବିତ ପାଉ ନାହାନ୍ତି, ରାଉତରାରେ ।

କିପରି ଜାଣିଲୁ ତୁହି

ସତଦେଲୁ ପରା କହି

ବାପା ସାଆନ୍ତେ ତ ଉଠିଣ ଗଲେ

ଚାବିଥିଲେ ସେ ଲୁଚାଇ ।

ପେଟରା ଫିଟିଲା ପୁଣି

ଏକ୍ଷଣି ଆଣିବେ ମା ତୋ ପାଇଁ

ପାଞ୍ଚଟଙ୍କା ଦେବେ ଗଣି ! ରାଉତାଣୀଲୋ

ଏ କାଳେ ପଇସା ନାହିଁ

ନୋଅଟି ଖଣ୍ଡିଏ ମାଆ ଆଣୁଛନ୍ତି

ବାପ କରୁଛନ୍ତି ନାହିଁ ରାଉତରେ ।

ବଣରେ ବୁଣିଲି ବିରି

କେତେ ଦେଉ ନାହିଁ ଯୋଗୀ ଭିକାରୀ

ବାପା ମୋର ହେ

ମୋତେ ଦେଲେ ଯିବ ସରି ।

(ପଲ୍ଲୀ ଗୀତୀ ସଞ୍ଚୟନ,ପୃ-୫୬୧-୫୬୨)

ବିଷୟବସ୍ତୁ ଭିତ୍ତିକ ଘୋଡ଼ାନାଟର ଆରମ୍ଭରେ ଗାୟକ ସମସ୍ତଙ୍କୁ ବନ୍ଦନା କରିଥାଏ । ବିଭିନ୍ନ ଦେବ, ଦେବୀ, ମାତା, ପିତା, ଗୁରୁ, ବ୍ରାହ୍ମଣ, ବୈଷ୍ଣବ ଇତ୍ୟାଦିଙ୍କୁ ବନ୍ଦନା ନକରି ଗାୟକ ଆଗକୁ ମାଡ଼ିଯାଇପାରେ ନାହିଁ । କେତେକ ସ୍ଥାନରେ ଘୋଡ଼ାନାଟର ଗାୟକଙ୍କ ଦ୍ୱାରା ଶାରଳାବନ୍ଦନାର କିଛି ଅଂଶ ଏଠାରେ ଉଦ୍ଧାର କରାଯାଉଛି–

“ଜୟ ଜୟ ମାତ ଝଙ୍କଡ଼ନିବାସୀ

ଜଗତମାତ ଶାରୋଳା

ମୋ କଣ୍ଠରେ ବସି ପଦ କହିଦେ’

କଣ୍ଠ ମୋ ହେବ ମୁକୁଳା ।

ତୁହି ପରା ମାତ ମୋହର ଜନନୀ

ମୁହିଁପରା ତୋର ପୁଅ

ଏ ସଭା ମଧ୍ୟରେ ସଙ୍କଟ ପଡ଼ିଛି

ଉଦ୍ଧାର କରିଣ ନିଅ ।” (୧୬)

ବିଭିନ୍ନ ଦେବଦେବୀ ଓ ସର୍ବାପରି ଇଷ୍ଟଦେବୀ ବାଶୁଳୀଙ୍କୁ ବନ୍ଦନା କରିସାରିବା ପରେ ମଙ୍ଗଳାଚରଣ ଅନୁଷ୍ଠିତ ହୋଇଥାଏ । ମଙ୍ଗଳ ପରିସମାପ୍ତି ନିମିତ୍ତ ମଙ୍ଗଳାଚରଣର ଆବଶ୍ୟକତା ରହିଛି । ପାଲାକାରମାନେ ପାଲାରେ ଗୁରୁତ୍ୱର ସହିତ ମଙ୍ଗଳାଚରଣକୁ ପ୍ରୟୋଗ କରିଥାଆନ୍ତି । ସେହି ପ୍ରଭାବ ହୁଏତ ଘୋଡ଼ାନାଟ ଉପରେ ପଡ଼ିଥିବାରୁ ଏହି ନାଟରେ ମଧ୍ୟ ଅନୁରୂପ ଆଚରଣ କରାଯାଇଛି । ମଙ୍ଗଳାଚରଣ ପରେ ଘୋଡ଼ାର ଜନ୍ମ ଓ ସ୍ଥିତି ସମ୍ପର୍କରେ ଗୀତ ମାଧ୍ୟମରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥାଏ ।

ସମୁଦ୍ର ମନ୍ଥନ ସମୟରେ ସମୁଦ୍ର ମଧ୍ୟରେ ମନ୍ଦରଗିରିକୁ ଖୁଆ ଭାବରେ ପକାଇ ବାସୁକୀ ସାପକୁ ଦଉଡ଼ି କରି ଦେବତା ଓ ରାକ୍ଷସମାନେ ସମୁଦ୍ର ମନ୍ଥନ କରିଥିଲେ । ମନ୍ଥନରୁ ପ୍ରଥମେ ଅମୃତ କଳସ ଜାତ ହୋଇଥିଲା । ତା’ପରେ ପାରିଜାତ ପୁଷ୍ପ ଓ ଉଚ୍ଚୈଶ୍ରବା ଅଶ୍ୱର ସୃଷ୍ଟି ହୋଇଥିଲା । ଉଚ୍ଚୈଶ୍ରବା ଅଶ୍ୱ ନିକଟରୁ ଆଉ ସାତଗୋଟି ଅଶ୍ୱ ସୃଷ୍ଟି ହେଲା । ସମୁଦାୟ ଆଠଗୋଟି ଅଶ୍ୱ ମଧ୍ୟରୁ ଭଗବାନ ଉଚ୍ଚୈଶ୍ରବା ଅଶ୍ୱଟିକୁ ଦାସରାଜାକୁ ପ୍ରଦାନ କଲେ । ଅନ୍ୟଗୋଟିଏ ଅଶ୍ୱ କ୍ଷେତ୍ରପାଳକୁ ମଧ୍ୟ ପ୍ରଦାନ କରାଗଲା ।

“କିଛି ଦିନ ପରେ ସାତଗୋଟି ଅଶ୍ୱ

ତା’ଠାରୁ ହେଲା ଜନମ

ଅଶ୍ୱର ବିଧାନ କହିବା ବହନ

ଶୁଣ ଗାୟକ ରତନ ।

 

ଉଚ୍ଚଶ୍ରବା ଅଶ୍ୱ ଦାସଙ୍କୁ ଯେ ଦେଲେ

ଶୁଣହୋ ଗାୟକ ଭାଇ

ଆଉ ଏକ ଅଶ୍ୱ କ୍ଷେତ୍ରପାଳ ନେଲା

କିସ କହିବି ବୁଝାଇ ।”

 

ସୂର୍ଯ୍ୟ ରଥରେ ସୁମେରୁ ଗିରିକୁ ଅତିକ୍ରମ କଲାବେଳେ ରଥର ଗୋଟିଏ ଚକ୍ର ଭାଙ୍ଗିଗଲା । ଏହି ରଥକୁ ପୂର୍ବରୁ ଛଅଗୋଟି ଅଶ୍ୱ ଟାଣୁଥିଲେ । ଗୋଟିଏ ଚକ୍ରରେ ଏହି ଛଅଟି ଅଶ୍ୱ ଏବେ ସେ ରଥକୁ ଟାଣି ପାରିଲେ ନାହିଁ । ତେଣୁ ଦାସରାଜାଙ୍କ ଉଚ୍ଚଶ୍ରବା ଅଶ୍ୱକୁ ଆଣିବାକୁ ନାରଦ ଗମନ କଲେ । ଅଶ୍ୱ ଆଭାବରୁ ଦାସ ରାଜାଙ୍କ ଯଜ୍ଞରେ ପୂର୍ଣ୍ଣାହୁତି ହୋଇପାରିଲା ନାହିଁ । ଏକଥା ଭଗବାନ ଜାଣିପାରି ଯଜ୍ଞଶାଳାରେ ପ୍ରବେଶ କରି ଘୋଡ଼ାଟିଏ ସର୍ଜନା କଲେ । କୁସୁମ କାଠରେ ମୁଣ୍ଡ ଏବଂ ବାଉଁଶ ପାତିଆରେ ପିଞ୍ଜରା ଗଢ଼ିଲେ । (୧୭) ଘୋଡ଼ାନାଟ ଗୀତରେ ଉପରୋକ୍ତ କାହାଣୀର ବର୍ଣ୍ଣନା ଏହିପରି–

 

“ନପାଇଲେ ଅଶ୍ୱ ଭାଳିଲେ ଯେ ଦାସ

ଯଜ୍ଞ ତ ନୋହିଲା ପୂର୍ଣ୍ଣ

ଦାସରାଜା ମନ ଜାଣି ଭଗବାନ

ଯଜ୍ଞଶାଳେ ପ୍ରବେଶିଣ ।

କୁସୁମ କାଠରେ ମୁଣ୍ଡଗୋଟି କଲେ

କଲେ ବାଉଁଶ ପିଞ୍ଜରା

ମନ୍ତ୍ରବଳେ ଗଣ୍ଠି ପକାଇ ଦେଲେଟି

ରେ ରେ ଶବ୍ଦ ଦେଲା ଘୋଡ଼ା ।”

କୈବର୍ତ୍ତର ଜନ୍ମ, ନାବର ଜନ୍ମ, ଘୋଡ଼ାର ଜନ୍ମ, ଜାଲର ଜନ୍ମ, ବାଉଁଶର ଜନ୍ମ ଆଦି ଅନେକ କାହାଣୀ ଘୋଡ଼ାନାଟ ଗୀତରେ ଭରପୂର ହୋଇରହିଛି । ପୁଣି ଗୋଟିଏ ଗୋଟିଏ ପ୍ରସଙ୍ଗ ଜଣେ କବିର ରଚନାଠାରୁ ଅନ୍ୟ କବିର ରଚନାରେ ଭିନ୍ନ ଭାବରେ ପ୍ରଦର୍ଶିତ ହୋଇଛି । କୈବର୍ତ୍ତ ଜନ୍ମ ପ୍ରସଙ୍ଗକୁ ଏଠାରେ ବିଚାର କରାଯାଇ ପାରେ । କୈବର୍ତ୍ତ ଗୀତାରେ ଅଛି ଯେ, ଯେତେବେଳେ ପ୍ରଳୟ ଆସିଲା ସମସ୍ତେ ଚାଲିଗଲେ ମାତ୍ର ବଟବୃକ୍ଷ ରହିଲା । ମହାପ୍ରଳୟ ହେଲେ ମଧ୍ୟ ବଟ କେବେ ବୁଡେ ନାହିଁ । ନିରାକାର ପୁରୁଷ ସେହି ବଟରେ ଆଶ୍ରୟ ନେଲେ । ଏହିପରି କେତେ ସମ୍ବତ୍ସର ଅତିକ୍ରାନ୍ତ ହେବା ପରେ ସେହି ବଟରେ ଶୃଙ୍ଗଟିଏ ଜଳରେ ପଡ଼ିଯିବାରୁ ନିରାକାର ପୁରୁଷ ତହିଁରେ ନାବ ସୃଷ୍ଟିକଲେ । ନାବକେଳି କରୁ କରୁ ଆହୁରି କେତେ ସମ୍ବତ୍ସର ବିତିଗଲା । ନିରାକାର ଆସନ କରିଥିବା ବଟପୁଟ ଲହରିଘାତରେ କମ୍ପିବାରୁ ନିରାକାର କର୍ଣ୍ଣମୂଳକୁ ଆଉଁଷି ଦେଲେ । କର୍ଣ୍ଣମୂଳରୁ ମଳିଟିକିଏ ଉକୁଟିବାରୁ ନିରାକାର ତାହାକୁ ଜଳକୁ ଫିଙ୍ଗି ଦେଲେ । ସେହି ମଳିରୁ ପୁରୁଷଟିଏ ଜନ୍ମ ହେଲା । ସେହି ପୁରୁଷକୁ କୋଳରେ ବସାଇ ନିରାକାର କୈବର୍ତ୍ତ ବୋଲି ତାହାର ନାମକରଣ କଲେ ।

ବଟପୁଟେ ଥାଇ କର୍ଣ୍ଣମୂଳେ ଆଉଁଷିଲେ

ମଳିଏକ ଉକୁଟିଲା ଜଳେ ପକାଇଲେ ।

ତତକ୍ଷ‌ଣେ ସେ ମଳିରୁ ପୁରୁଷେ ଜନ୍ମିଲା

ପହଁରି ପହଁରି ବଟପୁଟକୁ ଧଇଲା ।

ସେ ପୁରୁଷେ ମହାପ୍ରଭୁ କୋଳରେ ବସାଇ

କଇବର୍ତ୍ତ ଦାସ ବୋଲି ନାମଦେଲେ ତହିଁ ।

(କୈବର୍ତ୍ତ ଗୀତା-ତ୍ରୟୋବିଂଶ ଅଧ୍ୟାୟ)

କୈବର୍ତ୍ତପୁରାଣ ଅନୁସାରେ ମହାପ୍ରଳୟରେ କଳ୍ପବଟ ଉପରେ ସ୍ୱୟଂ ପରଂବ୍ରହ୍ମ କୀଟ ରୂପ ହୋଇ ବିଶ୍ରାମ କରୁଥିଲେ । ପର୍ବତ ପ୍ରମାଣର ଲହଡ଼ି ଆସି କଳ୍ପବଟକୁ ଅସ୍ଥିର କରିପକାଉ ଥିବାରୁ ବୃକ୍ଷକୁ ସ୍ଥିର କରିବା ପାଇଁ ଭଗବାନ ଉପାୟ ଚିନ୍ତାକଲେ । ଏହା ବିଚାର କରି କର୍ଣ୍ଣମୂଳକୁ ଆଉଁସି ଦେବାରୁ କାନର ମଳିଟିକିଏ ଜଳରେ ଝଡ଼ିପଡ଼ିଲା । ସେହି ମଳିରୁ ପୁରୁଷଟିଏ ସୃଷ୍ଟିହେଲା । ପୁରୁଷଟି କଳ୍ପବଟର ଡାଳକୁ ଦୃଢ଼ ଭାବରେ ସାଉଁଟି ଧରିବାରୁ ବଟଟି ସ୍ଥିର ହୋଇଗଲା । ବୃକ୍ଷଟି ସ୍ଥିର ହୋଇଯିବାରୁ ଭଗବାନ ପୂର୍ବ ଦିଗକୁ ନିରେଖି ଦେଖିଲେ ଯେ ପୁରୁଷଟିଏ ଡାଳକୁ ଧରି ଜଳରେ ଭାସୁଛି । ଭଗବାନ ସେହି ପୁରୁଷକୁ ତାର ବାପା ଓ ମାଆଙ୍କ ବିଷୟରେ ପଚାରିଲେ । ପୁରୁଷଟି ଉତ୍ତର ଦେଲା–

“ତତକ୍ଷଣେ ସେ ପୁରୁଷ ଉତ୍ତର ଦିଅଇ

ଜନନୀ ପିଅର କେହୁ ମୁହିଁ ନଜଣାଇଁ

ପ୍ରଳୟ ଜଳେ କାହାର ଭେଟ ନପାଇଲି

ତୁମ୍ଭେ ଏ ଜଳରେ ଅଛ ତୁମ୍ଭଙ୍କୁ ଭେଟିଲି ।”

(କୈବର୍ତ୍ତପୁରାଣ-୧ମ ଭାଗ)

ଭଗବାନ ସେହି ପୁରୁଷକୁ ପୁତ୍ର ଭାବରେ ଗ୍ରହଣ କରି ତାର ନାମ ଦେଲେ ଦାସରାଜା । କର୍ଣ୍ଣମୂଳରୁ ଜାତ ହୋଇଥିବାରୁ ତାର ଜାତିକୁ କୈବର୍ତ୍ତ ବୋଲି ନାମିତ କଲେ ।

କବି ରାଧୁଦାସ ତାଙ୍କର ଘୋଡ଼ାନାଟ ଗୀତରେ ବିଷ୍ଣୁଙ୍କର ଅଙ୍ଗରୁ ପ୍ରଥମେ ବିଶ୍ୱକର୍ମା ସୃଷ୍ଟି ହୋଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । ତାଙ୍କ ଗୀତରେ ପରବର୍ତ୍ତୀ ସମୟରେ ବିଷ୍ଣୁଙ୍କର କର୍ଣ୍ଣମୂଳରୁ କୈବର୍ତ୍ତ ସୃଷ୍ଟି ହୋଇଥିଲେ ।

କୃଷ୍ଣଦାସ ନାମକ ଜଣେ କବି ଘୋଡ଼ାନାଟ ଉଦ୍ଦେଶ୍ୟରେ ଏକ ଚଉତିଶା ରଚନା କରିଛନ୍ତି । ସେଥିରେ କୈବର୍ତ୍ତ ଜନ୍ମ ପ୍ରସଙ୍ଗକୁ ଟିକିଏ ଭିନ୍ନ ଭାବରେ ଅବତାରଣା କରାଯାଇଛି । କହଛନ୍ତି-କର୍ଣ୍ଣରେ ଯେତେବେଳେ ଗହଗହ ଶବଦ ଶୁଭିଲା, ସେତେବେଳେ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଚାରିଆଡ଼େ ଜଳ ଘୋଟିଗଲା । ଘନ ଲହରୀର ଆଘାତରେ ସବୁ ନାଶ ହୋଇଯିବାରୁ ପ୍ରଭୁ ଘୃଷୋଣା ହୋଇ ଶୂନ୍ୟକୁ ଚାହିଁଲେ । ଶୂନ୍ୟରେ ଚିହାଣ ଚମକ ବାୟୁ ଠାବ ଦେଖି ଚମତ୍କାର ହୋଇ କର୍ଣ୍ଣଧାରକୁ ଜନ୍ମ କଲେ । କର୍ଣ୍ଣଧାର କେଉଁଠାରେ ଜନ୍ମହେବ ବୋଲି ପଚାରିବାରୁ ଭଗବାନ କହିଲେ

 

“ଛତ୍ରିଧାରୀ ହୋଇବୁ ତୁ ସିଂହଳ ଦ୍ୱୀପରେ

ଛଇଳେ କୃଷ୍ଣଦାସକୁ ମୁକ୍ତିଦିଅ ବାରେ ।

X x x x

ଝଟତିରେ ପଚାରୁଛି ଶୁଣ ମହାବାହୁ

ଜଗତରେ କୈବର୍ତ୍ତ ନାମ ତୋର ହେଉ । (୧୮)

 

ଦ୍ୱିଜ ଗୋପାଳଙ୍କ ରଚିତ ଘୋଡ଼ାନାଟ ଗୀତରେ କୈବର୍ତ୍ତର ଜନ୍ମ ବିଷୟଟି ଅତ୍ୟନ୍ତ ବିସ୍ତୃତ ଭାବରେ ପ୍ରଶ୍ନ ଉତ୍ତର ଶୈଳୀରେ ରଚନା କରାଯାଇଛି । କୈବର୍ତ୍ତ ଜନ୍ମ ଓ ତାର ଜୀବିକା ସମ୍ପର୍କୀୟ ଅନେକ ପ୍ରଶ୍ନ ଉତ୍ଥାପନ କରାଯାଇ ତାର ଉପଯୁକ୍ତ ଉତ୍ତର ମଧ୍ୟ ପ୍ରଦାନ କରାଯାଇଛି । ପ୍ରଶ୍ନଗୁଡ଼ିକ ହେଲା– କୈବର୍ତ୍ତ କେଉଁଠାରୁ ଜନ୍ମ ହେଲା ? ତାର ମାତା, ପିତା ଓ ଗୁରୁ କିଏ ? କୈବର୍ତ୍ତ ଯେଉଁ ଦିନ ଜନ୍ମ ହୋଇଥିଲା କେଉଁଦିନ, କେଉଁତିଥି, କେଉଁବାର, କେଉଁ ମାସ, କେତେଦିନ, କେଉଁ ନକ୍ଷତ୍ର ହୋଇଥିଲା ? ସେତେବେଳେ ଦିନ ହୋଇଥିଲା ନା ରାତ୍ରି ? ସେ କୈବର୍ତ୍ତର ନାମ କ’ଣ ? ତାର ବାସ କେଉଁଠାରେ ? ତାର ଶରୀର କେତେ ଆଙ୍ଗୁଳି ?

 

ପ୍ରଶ୍ନଗୁଡ଼ିକର ଉତ୍ତର ଏହିପରି– ମହାପ୍ରଳୟ ସମୟରେ ଚନ୍ଦ୍ର, ସୂର୍ଯ୍ୟ, ହର ବିଧାତା ଆଦି କେହି ନଥିଲେ । ଏକୋଇଶି ଗୋଟି ପୁର ଏକସ୍ଥାନ ହୋଇ ଚବିଶଗୋଟି ପାତାଳରେ ପରିଣତ ହୋଇଥିଲା । କୀଟ ପତଙ୍ଗ ଆଦି କେହି ନଥିଲେ । ଚାରିଆଡ଼େ ମହାଜଳ ଘୋଟି ଯାଇଥିଲା । ବଟପୁଟରେ ହରି ମାୟା ରୂପରେ ବିଶ୍ରାମ ନେଉଥିଲେ । ବ୍ରହ୍ମପ୍ରଳୟ ସମୟରେ ସେଠାରେ ଏକୁଟିଆ ଆଶ୍ରୟ ନେବା ଅସମ୍ଭବ ହୋଇପଡ଼ିଲା ।

 

“ବିଚାରିଲେ ତହିଁ ପ୍ରଭୁ ଭାବଗ୍ରାହୀ

ଏଠାରେ ଅଛି ମୁଁ ଶୋଇ

ଶାଖା ସହୋଦର କେହି ନାହିଁ ମୋର

କେମନ୍ତେ ରହିମି ମୁହିଁ ।

କର୍ଣ୍ଣମୂଳରୁ ଯେ ମଳି ଉପାଡ଼ିଣ

ପକାଇଲେ ଚକାଡୋଳା

ପ୍ରଳୟ ଜଳରେ ପଡ଼ିଣ ସେ ମଳି

ପୁରୁଷ ଏକ ଜନ୍ମିଲା

 

ଜନ୍ମିଥିବା ପୁରୁଷକୁ ଭଗବାନ ସେ କେଉଁଠାରୁ ଜନ୍ମ ହେଲା ଓ ତାର ମାତା, ପିତା ଓ ଗୁରୁ କିଏ ବୋଲି ପ୍ରଶ୍ନକଲେ । ସେ କିଛି ଜାଣେ ନାହିଁ ବୋଲି କହିବାରୁ ଶ୍ରୀହରି କର୍ଣ୍ଣମୂଳରୁ ଜାତ ହୋଇଥିବାରୁ ତାର ନାମ କର୍ଣ୍ଣିକାର ଦେଲେ । ଜଗତରେ ଦାସ, କୈବର୍ତ୍ତ ଓ ଧୀବର ଭାବରେ ପ୍ରସିଦ୍ଧି ଲାଭ କରିବେ ବୋଲି ବର ମଧ୍ୟ ପ୍ରଦାନ କଲେ । ବଟପୁଟ ଶୃଙ୍ଗ ଆଣି ଶ୍ରୀହରି ତାହାକୁ ବସାଇଲେ । ସେଦିନ ଥିଲା ଋଷଭ ଶୁକ୍ଳ ଦ୍ୱିତୀୟା ଓ ଆଦିତ୍ୟଙ୍କର ବାର । (୧୯)

 

ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଘୋଡ଼ାନାଟ ଗୀତ ଅନୁସୃତ ହେଉଥିବାର ଏକାଧିକ କାରଣ ରହିଛି । ଘୋଡ଼ାନାଟଗୀତର ବିଷୟବସ୍ତୁକୁ ମୁଖ୍ୟତଃ ଅଚ୍ୟୁତାନନ୍ଦ ଦାସଙ୍କ କୈବର୍ତ୍ତ ଗୀତାରୁ ସଂଗ୍ରହ କରାଯାଇଛି । ପୂର୍ବେ ପୋଥି ଲେଖନକର୍ମ ମୁଖ୍ୟତଃ ବ୍ରାହ୍ମଣମାନଙ୍କ ଦ୍ୱାରା ସମ୍ପନ୍ନ ହେଉଥିଲା । କୈବର୍ତ୍ତ ଜାତିର ଇତିହାସକୁ ବ୍ରାହ୍ମଣମାନେ ନକଲ କରିବାକୁ ଏତେଟା ଆଗ୍ରହ ପ୍ରକାଶ କରୁନଥିଲେ । ସମୟ ସମୟରେ କୈବର୍ତ୍ତମାନଙ୍କ ଅନୁରୋଧରେ ଏହି କାର୍ଯ୍ୟ ସମ୍ପନ୍ନ ହେଉଥିଲା । କୈବର୍ତ୍ତ ଗୀତାର କାହାଣୀକୁ ଶୁଣି ଲୋକକବି ଘୋଡ଼ାନାଟ ପାଇଁ ଗୀତ ରଚନା କରିଦେଉଥିଲା । ତେଣୁ ପ୍ରସଙ୍ଗରେ ସାମାନ୍ୟ ଭିନ୍ନତା ରହିବା ସ୍ୱାଭାବିକ ହୋଇପଡ଼ୁଥିଲା ।

 

ଘୋଡ଼ାନାଟ ହେଉଥିବା ସମୟରେ ସ୍ଥଳବିଶେଷରେ କେଳାକେଲୁଣୀ, ବୁଢ଼ାବୁଢ଼ୀ, ରାବଣ, ହନୁମାନ ଓ କାଳୀ ପ୍ରଭୃତି ନୃତ୍ୟ ମଧ୍ୟ ଏହି ଅବସରରେ ପରିବେଷିତ ହୋଇଥାଏ । (୨୦) ଏଥିରେ ଚଢ଼ୈୟା ଚଢ଼ୈୟାଣୀ ସୁଆଙ୍ଗ ମଧ୍ୟ ପ୍ରଦର୍ଶିତ ହୋଇଥାଏ । ଚଢ଼ୈୟାନାଟ ଓ ଘୋଡ଼ାନାଟ ମଧ୍ୟରେ ଅନୁଷ୍ଠିତ ହେଉଥିବା ଚଢ଼ୈୟା ସୁଆଙ୍ଗ ମଧ୍ୟରେ କିଛିଟା ପାର୍ଥକ୍ୟ ପରିଲକ୍ଷିତ ହୁଏ । ଚଢ଼ୈୟାନାଟ ଏକ ସ୍ୱତନ୍ତ୍ର ଅନୁଷ୍ଠାନ । ସେଥିନିମିତ୍ତ ଭିନ୍ନ କଳାକାରମାନେ କଳା ପରିବେଷଣ କରିଥାଆନ୍ତି ଓ ସେହି ନାଟ ରାତି ରାତି ଧରି ଅନୁଷ୍ଠିତ ହୋଇଥାଏ । ଘୋଡ଼ାନାଟ ସହିତ ସଂଯୁକ୍ତ ଚଢ଼ୈୟା ଚଢ଼ୈୟାଣୀ ସୁଆଙ୍ଗ ଏକ ସହାୟକ ଅନୁଷ୍ଠାନ । ଘୋଡ଼ାନାଟର ଗାୟକକୁ ବିଶ୍ରାମ ଦେବା ପାଇଁ ଏହି ନୃତ୍ୟର ଅବତାରଣା କରାଯାଇଥାଏ । ଘୋଡ଼ାନାଟରେ ଏପରି ସୁଆଙ୍ଗ ଅନୁଷ୍ଠିତ ହେବା ସପକ୍ଷରେ ପ୍ରାବନ୍ଧିକ ଅର୍ଜୁନ କରଙ୍କର ଯୁକ୍ତି ସଙ୍ଗତ ଓ ଗ୍ରହଣୀୟ । ସେ କହନ୍ତି– ‘ଘୋଡ଼ାନାଟ ଗୋଟିଏ ଦିନର ଉତ୍ସବ ନହୋଇ ଆଠଦିନ ପର୍ଯ୍ୟନ୍ତ ଚାଲୁ ରହିଥିବାରୁ ଗ୍ରାମରୁ ଗ୍ରାମକୁ ବୁଲି କଳ୍ପିତ ଘୋଡ଼ାନାଟ ପ୍ରଦର୍ଶନ କରିବା ସମୟରେ ଦୁଇ ପାତ୍ରପାତ୍ରୀଙ୍କ ପାଖରେ କାହାଣୀ ଉପସ୍ଥାପନର ଅଭାବବୋଧ ଜାଗିଉଠେ । ଫଳତଃ ଗାୟକଙ୍କୁ ସାମୟିକ ଅବକାଶ ଦେବା ସହିତ ଏକାଧିକ ସୁଆଙ୍ଗ ପ୍ରଦର୍ଶନର ଆବଶ୍ୟକତା ଅନିବାର୍ଯ୍ୟ ହୁଏ । (୨୧)

 

ନିର୍ଦ୍ଦଷ୍ଟ ସ୍ଥାନରେ ଦୀର୍ଘ ସମୟ ଧରି ହେଉଥିବା ଘୋଡ଼ାନାଟରେ ଘୋଡ଼ାକୁ କିଛି ସମୟ ନଚାଇ ସାରିବା ପରେ ଗାୟକ ଘୋଡ଼ାକୁ ରଖିଦେଇ ପାଲାଗାୟନ ଶୈଳୀରେ ରାମାୟଣ, ମହାଭାରତ, ଭାଗବତ ଆଦିର ବିଷୟବସ୍ତୁକୁ ଆଧାର କରି ଗୀତମାନ ଗାଇଥାଏ । ଯେମିତି ରାମାୟଣ କାହାଣୀ ବର୍ଣ୍ଣନା କରିବା ପୂର୍ବରୁ ଗାୟକ ଗାଏ–

 

“ଶାମବେଦୁ ଜାତ ରାମାୟଣଗ୍ରନ୍ଥ

ବାଲମିକ ମୁନି କଲେ

ଆଦ୍ୟଯେ ଅଯୋଧ୍ୟା ଆରଣ୍ୟକ କାଣ୍ଡ

କିସ୍କିନ୍ଧ୍ୟାଚାରି ରଚିଲେ

ସୁଜନେ ହେ ।” (୨୨)

 

ସେହିପରି ମହାଭାରତ ଓ ଭାଗବତ କାହାଣୀକୁ ନେଇ ମଧ୍ୟ ଗାୟକ ଘୋଡ଼ାନାଟର ବିଷୟବସ୍ତୁ କରି ଦେଇଥାଏ । ବୋଧହୁଏ ଘୋଡ଼ାନାଟରେ ରାମାୟଣ ମହାଭାରତ କାହାଣୀକୁ ପ୍ରୟୋଗ କରିବାର ମାର୍ଗ ପ୍ରଦର୍ଶନ ପାଇଁ କୈବର୍ତ୍ତ ପୁରାଣର ପ୍ରଥମ ଭାଗରେ କୁନ୍ତଭୋଜଙ୍କର ଜୀବନ ଚରିତ, କୁନ୍ତୀଙ୍କର ଜନ୍ମ, କର୍ଣ୍ଣଙ୍କର ଜନ୍ମ, ପଣ୍ଡୁଙ୍କ ସହିତ କୁନ୍ତୀଙ୍କର ବିବାହ, ଅଗ୍ନିକା ମହର୍ଷିଙ୍କର ଶାପ, ଯୁଧିଷ୍ଠିର-ଦୁର୍ଯ୍ୟୋଧନ-ଭୀମ-ଅର୍ଜୁନ-ନକୁଳ-ସହଦେବ ଇତ୍ୟାଦିଙ୍କର ଜନ୍ମ ବିଷୟ ବର୍ଣ୍ଣନା କରାଯାଇଛି । ପୁଣି କୈବର୍ତ୍ତ ପୁରାଣର ଦ୍ୱିତୀୟ ଭାଗରେ ବଳିରାଜା ଉପାଖ୍ୟାନ, ଋଷ୍ୟଶୃଙ୍ଗ ପ୍ରସଙ୍ଗ ତଥା ସୀତାଙ୍କର ସ୍ୱୟମ୍ବର କାହାଣୀ ଗୁମ୍ପିତ ହୋଇଅଛି ।

ଶ୍ରୀଯୁକ୍ତ ଅର୍ଜୁନ କର ତାଙ୍କ ରଚିତ ପ୍ରବନ୍ଧରେ ଉତ୍ତରା ଓ ଅଭିମନ୍ୟୁ ଦାୟିକାର କଥା ଉଲ୍ଲେଖ କରିଛନ୍ତି । ସେହି ଦାୟିକାରେ ଦୁଇଗୋଟି ଚରିତ୍ର । ଜଣେ ଉତ୍ତରା ଓ ଅନ୍ୟଜଣେ ଅଭିମନ୍ୟୁ । ବ୍ୟୂହଭେଦକରି ପିତାର ଶତ୍ରୁମାନଙ୍କୁ ବିନାଶ କରିବା ପାଇଁ ସଂଗ୍ରାମସ୍ଥଳକୁ ଯିବାକୁ ଅନୁମତି ଆଣିବାକୁ ଅଭିମନ୍ୟୁ ଯାଆନ୍ତି ଅନ୍ତଃସତ୍ତ୍ୱା ଉତ୍ତରା ନିକଟକୁ । ପତିପ୍ରାଣା ଉତ୍ତରା ଦୁଃଖରେ ଭାଙ୍ଗିପଡ଼ିଛି । ଆଶ୍ୱାସନା ଦେଇ ଅଭିମନ୍ୟୁ କହିଛନ୍ତି–

“ଡାକୁଛି ମୋ ଆଶା ଆସିବି ଗୋ ଯୋଷା

ଯେବେ ହେବି ରଣେ ହତ

ଟଳିଲେ ତୋ ଗର୍ଭ ଯେ ପୁତ୍ର ହୋଇବ

(ନାରୀ ଆଜି) ନାମଦେବୁ ପରୀକ୍ଷିତ ।”

 

ଘୋଡ଼ାନାଟରେ ପଡ଼ାବନ୍ଦିଆ ଓ ଅର୍ଥବନ୍ଦିଆ ଗୀତ ଗାନ କରାଯାଇଥାଏ । ପୌରାଣିକ ଅର୍ଥକୁ ଆଧାର କରି ଗାନ କରାଯାଉଥିବା ଗୀତ ଅର୍ଥବନ୍ଦିଆ । ‘ଘୋଡ଼ାକୁ କିଛିକ୍ଷଣ ନଚାଇଲା ପରେ ତଳେ ରଖିଦେଇ ଗାୟକ ଗ୍ରାମ କବିଙ୍କ ଗୀତ ବୋଲି ଦର୍ଶକମାନଙ୍କୁ ଅର୍ଥ ବୁଝାଏ । ପାଲାଗୀତ ଅନୁକରଣରେ ଶ୍ଳୋକ, ଛାନ୍ଦ, ଚଉପଦୀ ପ୍ରଭୃତି ଖଞ୍ଜାଯାଇଥାଏ । ସଂସ୍କୃତ ଶ୍ଲୋକ, ଶବ୍ଦାଡ଼ମ୍ବରମୟ କ୍ଳୀଷ୍ଟ ଗୀତ ଅଶୁଦ୍ଧ ଭାବରେ ଉଚ୍ଚାରିତ ହେଲେ ହେଁ ନିମ୍ନ ଶ୍ରେଣୀର ଊର୍ଦ୍ଧ୍ୱକୁ ଉଠିବାର ଏ ପ୍ରୟାସ ପ୍ରଶଂସନୀୟ, ସନ୍ଦେହ ନାହିଁ । ଘୋଡ଼ାନାଟୁଆ ପାଟୁଆଙ୍କପରି ଅନେକ ପଡ଼ାବନ୍ଦିଆ ଗୀତ ବି ବୋଲନ୍ତି । ଉଭୟ ପଡ଼ାବନ୍ଦିଆ ଓ ଅର୍ଥବନ୍ଦିଆ ଗୀତର ବିଷୟବସ୍ତୁ ପୌରାଣିକ । (୨୩)

ଲୋକନାଟ୍ୟରେ ଜଣେ ଗାୟକକୁ ପ୍ରଶ୍ନ କରିଥାଏ ଓ ଗାୟକ ତାର ସଠିକ୍ ଉତ୍ତର ଦେଇଥାଏ । ଏ ପ୍ରକାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଚଢ଼ା-ଉତ୍ତରା ମଧ୍ୟ କୁହାଯାଇଥାଏ । ପ୍ରଶ୍ନକର୍ତ୍ତା ଭାବେ, ଉତ୍ତରଦାତାଟା କିଛି ଜାଣେନାହିଁ । ତେଣୁ ଅଜବ ଅଜବ ଧରଣର ପ୍ରଶ୍ନମାନ ପଚାରିଥାଏ । ପ୍ରଶ୍ନ ପଚାରିବାବେଳେ ଜ୍ଞାନରୂପକ ସିଡ଼ିରେ ଉତ୍ତରଦାତାଠାରୁ ସେ ଆଉ ଦୁଇପାଦ ଉପରକୁ ଚଢ଼ି ଯାଇଥାଏ । ଗାୟକ କିନ୍ତୁ ସଠିକ୍ ଉତ୍ତର ପ୍ରଦାନ କରି ପ୍ରଶ୍ନକର୍ତ୍ତାର ଗାରିମାକୁ ନଷ୍ଟ କରିଦିଏ । ଅର୍ଥାତ୍ ସେ ଚଢ଼ିବାର ସ୍ଥାନରୁ ତାକୁ ତଳକୁ ଓହ୍ଲାଇଆଣେ । ସେଇଥି ପାଇଁ ଏପ୍ରକାର ଶୈଳୀର ନାମ ଚଢ଼ା-ଉତ୍ତରା ହୋଇଛି । କୈବର୍ତ୍ତ ଗୀତାରେ ମଧ୍ୟ ଏହି ଶୈଳିକୁ ପ୍ରୟୋଗ କରାଯାଇଛି । ତ୍ରୟୋବିଂଶ ଅଧ୍ୟାୟରେ ଘୋଡ଼ାର ଜନ୍ମ ସମ୍ପର୍କରେ ବହୁବିଧ ପ୍ରଶ୍ନ କରାଯାଇଛି ଓ ଗାୟକ ଦ୍ୱାରା ତାହାର ସଠିକ୍ ଉତ୍ତର ମଧ୍ୟ ପ୍ରଦାନ କରାଯାଇଛି ।

ପ୍ରଶ୍ନ

ଶୁଣ ଶୁଣ ରାଉତରେ ପଚାରଇ ତୋତେ

 

 

କିଏ ଦେଲା ଘୋଡ଼ା ତୋତେ ପାଇଲୁ କେମନ୍ତେ ।

 

 

କେମନ୍ତ ପ୍ରକାରେ ଘୋଡ଼ା ହୋଇଲା କି ଜାତ

 

 

ଆଦ୍ୟପ୍ରାପ୍ତ କରି ତୁହି ବୁଝାଇବୁ ତତ୍ତ୍ୱ ।

ଉତ୍ତର

ଶୁଣ ଶୁଣ ଭାଇରେ ତୁ ବଡ଼ଇ ସିଂହାଣ

 

 

ମୋତେ ପଚାରିଲୁ ତୁହି ଘୋଡ଼ା ଆଦିଜନ୍ମ ।

 

 

ମନସ୍ଥିର କରି ଶୁଣ କହଇ ବୃତାନ୍ତ

 

 

କେମନ୍ତ ପ୍ରକାର ଘୋଡ଼ା ହୋଇଲାକ ଜାତ ।

 

ଦ୍ୱିଜଗୋପାଳଙ୍କ ଘୋଡ଼ାନାଟ ଗୀତର ଗୋଟିଏ ଚଢ଼ା ଓ ଗୋଟିଏ ଉତ୍ତରା ଉଦାହରଣ ସ୍ୱରୂପ ଏଠାରେ ପ୍ରଦାନ କରାଯାଉଛି । ଏଥିରୁ ତାଙ୍କର ବହୁ ଶାସ୍ତ୍ରଦର୍ଶିତା, ପାଣ୍ଡିତ୍ୟ ଓ ତୀକ୍ଷ୍ଣବୁଦ୍ଧିର ସୂଚନା ମିଳିପାରିବ । ଏହିପରି ବହୁ ଚଢ଼ାଉତ୍ତରା ସୃଷ୍ଟି କରି ଲୋକକବି ଲୋକମାନଙ୍କ ହୃଦୟରେ ଆଗ୍ରହ ଓ ଉତ୍କଣ୍ଠା ସୃଷ୍ଟିକରି ଲୋକମାନଙ୍କୁ ଦୀର୍ଘ ସମୟ ଧରି ଯାତ୍ରା ଦେଖିବାକୁ ଅଟକାଇ ରଖୁଥିଲେ ।

 

ଚଢ଼ା

ତୋତେ ପଚାରଇ ରାଉତ ଭାଇରେ

 

 

ଶୁଣ ଶୁଣ କର୍ଣ୍ଣଦେଇ

 

 

ଗୁରୁସେବି ଯେବେ ପଦାକୁ ଆସିଛୁ

 

 

ଏହାଦେବୁ ମୋତେ କହି ।

 

 

ତୁମ୍ଭେ ଯେ ବୋଇଲେ ପ୍ରଳୟ ଜଳରେ

 

 

ଦାସ କୈବର୍ତ୍ତ ଜନ୍ମିଲା

 

 

ସେ ପ୍ରଚଣ୍ଡ ଜଳେ ଦାସ କୈବର୍ତ୍ତକୁ

 

 

ରାଘବ ଯେ ଗିଳିଦେଲା ।

 

 

ରୁହି ମାଛ ରୂପ ହୋଇ ଚକ୍ରଧର

 

 

ସେଠାରେ ମିଳିଲେ ଯାଇ

 

 

 

 

 

ନଖଘାତେ ତାର ପେଟ ବିଦାରିଣ

 

 

କୈବର୍ତ୍ତକୁ କଲେ ତ୍ରାହି ।

 

 

ସେହି ମୀନ ଗୋଟି ଦୀର୍ଘପ୍ରତି କେତେ

 

 

କେତେକ ତାର ପ୍ରମାଣ

 

 

କେତେ ଆକାରରେ ସେ ମୀନ ଖେଳଇ

 

 

କୁହ ମୋ ଆଗେ ଫେଡ଼ିଣ

 

 

ପଙ୍ଖତାର କେତେ ମୁଣ୍ଡ ତାର କେତେ

 

 

ଲାଙ୍ଗୁଳ କେତେ ଅଟଇ

 

 

ଚହଟା ପାଣି ଆକାଶକୁ ଲାଗିଲା

 

 

କୁହ ମୋତେ କାହିଁପାଇଁ ।

 

 

ଯେଉଁଦିନ ମୀନ ଅବତାର ହେଲା

 

 

ସେଦିନ କେଉଁ ନଖେତ୍ର

 

 

କେଉଁମାସ କେତେଦିନ ଯେ ଅଟଇ

 

 

ଏହା କହିବ ଯୁଗତ ।

 

 

ସଦଗୁରୁ ପଦେ ଯେବେ ସେବିଥିବ

 

 

ଏହାଦେବ ମୋତେ କହି

 

 

କୈବର୍ତ୍ତ ଉକତି ଅପୂର୍ବ ଚରିତ

 

 

ଦ୍ୱିଜଗୋପାଳ କହଇ ।

ଉତ୍ତର

ଶୁଣହେ ରାଉତ ହୋଇ ଏକଚିତ

 

 

ଯାହା ପଚାରିଲୁ ମୋତେ

 

 

ଯେଉଁ ରୋହି ମାଛ ଅବତାର ହେଲେ

 

 

ବୁଝାଇ କହିବା ତୋତେ ।

 

 

ବୈଶାଖ ଶୁକଳ ତୃତୀୟା ଅଟଇ

 

 

ସେ ଦିନ ଆଦିତ୍ୟ ବାର

 

 

ଗୁରୁ ନକ୍ଷତ୍ର ଯେ ସେଦିନ ଅଟଇ

 

 

ଶୁଭ ଯୋଗ ଅଟେ ସାର ।

 

 

ଦ୍ୱାଦଶ ଯୋଯନ ଦୀର୍ଘ ପ୍ରତି ଅଟେ

 

 

ସେ ମଛ ଗୋଟିକ ଶରୀ

 

 

ମୁଖ ତାର ତିନିଯୁଣ ଯେ ବିସ୍ତାର

 

 

ଲାଙ୍ଗଳ ଯୋଯନ ଚାରି

 

 

ପକ୍ଷତା ବିସ୍ତାର ତିନି ଯେ ଯୋଯନ

 

 

ଷୋଳ ଯୋଯନେ ଖେଳଇ

 

 

ଚହଟ ପାଣି ତା ଆକାଶେ ଲାଗଇ

 

 

ସ୍ୱୟଂ ପରଂବ୍ରହ୍ମ ସେହି

 

 

ମଚ୍ଛ ଚରିତ୍ର ଶୁଣରେ ରାଉତ

 

 

କହିଲି ତୋତେ ବୁଝାଇ

 

 

ଶ୍ରୀହରି ଚରଣେ ଶରଣ ମାଗିଣ

 

 

ଦ୍ୱିଜଗୋପାଳ କହଇ । (୨୪)

 

ଚଢ଼ା ଉତ୍ତରାର ଚଢ଼ାରେ ବିବାଦ ରହିଥିବା ଯୋଗୁଁ ତାହା ଦର୍ଶକମାନଙ୍କ ମନରେ ଆଗ୍ରହ ସୃଷ୍ଟି କରିଥାଏ । ଦର୍ଶକମାନେ ଜାଣିନଥିବେ ବହୁ ଅଦ୍ଭୁତ ପ୍ରଶ୍ନ ଚଢ଼ାରେ ପଚରା ଯାଉଥିବାରୁ ତଥା ଗାୟକ ତାର ଉତ୍ତର ଦେଇ ପାରିବକି ନାହିଁ ଏହି ଉତ୍କଣ୍ଠା ପୂରି ରହିଥିବାରୁ ଦେଖିବାର ଉତ୍ସାହ ବଢ଼େ । ଉତ୍ତରରେ ମଧ୍ୟ ସେହିପରି ବହୁ ଅନାଲୋକିତ ତଥ୍ୟକୁ ଉଦ୍‍ଘାଟନ କରାଯାଇଥାଏ । ବେଳେବେଳେ ଉତ୍ତାରରେ ଆଧ୍ୟାତ୍ମିକତାକୁ ଭର୍ତ୍ତିକରି ପାଠକର ମନକୁ ଆନ୍ଦୋଳିତ କରିଦିଆଯାଇଥାଏ । ସେହିପରି ଗୋଟିଏ ଉଦାହରଣ ଏଠାରେ ପ୍ରଦାନ କରାଯାଉଛି । ଚଢ଼ାରେ ପ୍ରଶ୍ନ ହେଲା ଦାସରାଜା ଧାରଣ କରିଥିବା ଛତ୍ରର ଦୈର୍ଘ୍ୟ ପ୍ରସ୍ଥ କେତେ ? ତାର ବେଣ୍ଟ କିପରି ହେଲା ଓ ପଞ୍ଜର କେଉଁଥିରେ ତିଆରି ? ଉତ୍ତରରେ କୁହାଯାଇଛି–

 

ଛଅଗୋଟି ଅଟେ ଊଣାଇଇଶ ବର୍ଗ

ମନଦଣ୍ଡ ତାର ବେଣ୍ଟ ।

ଆଠକାଠି ତାର ଅଷ୍ଟଦିଗପାଳ

ଛାଉଣି ସୂର୍ଯ୍ୟଙ୍କ ନେତ ।

ପଶ୍ଚିମେ ବରୁଣ ପୂର୍ବରେ ଆଦିତ୍ୟ

ଇଶାନ୍ୟରେ ସଦାଶିବ

ଅଗ୍ନିକୋଣେ ଅଗ୍ନି ଦକ୍ଷିଣେ କୁବେର

ନୈଋତେଯେ ସାର୍ଦ୍ଧହେବ ।

ବାଇବ୍ୟ କୋଣରେ ପବନ ଦେବତା

ମଧ୍ୟରେ ଯେ ମେଘମାଳ

ଅନନ୍ତ ଯେ ଚଉପାଶେ ରହିଛନ୍ତି

ବେଢ଼ିଣ ଧ୍ରୁବ ମଣ୍ଡଳ

ଉତ୍ତର ଦିଗରେ ହିମାଳୟ ଗିରି

ହେମ ସୁବର୍ଣ୍ଣ ନିର୍ମାଣ

ଏମନ୍ତ ପ୍ରକାରେ ଛତ୍ର ଗୋଟକରି

ଦେଲେକ ଚଉବଦନ ।

 

ଛତ୍ର ବୋଲି କହିଲେ ସାଧାରଣ ଭାବରେ ଯେଉଁ ଅବବୋଧ ଘଟିଥାଏ, ଏ ଛତ୍ର ତାହାଠାରୁ ଭିନ୍ନ । ଏହାର ଊଣେଇଶି ଗୋଟିବର୍ଗ (ସପ୍ତସ୍ୱର୍ଗ+ସପ୍ତପାତାଳ+ପାଞ୍ଚମହାଦ୍ୱୀପ) ଅର୍ଥାତ୍ ସମଗ୍ର ବିଶ୍ୱମଣ୍ଡଳ ଏହାର ଅନ୍ତର୍ଭୂକ୍ତ । ଏହାର ବେଣ୍ଟଟି ମନଦଣ୍ଡ । ମନକୁ ସ୍ଥିର ରଖିଲେ ସମଗ୍ର ବିଶ୍ୱକୁ ଆୟତ୍ତ କରିହେବ । ସେହି ଛତ୍ରର ଆଠଗୋଟି କାଠି ଆଠଗୋଟି ଦିଗର ପତି । ଛାଉଣି ସୂର୍ଯ୍ୟଙ୍କର ନେତ । ଅର୍ଥାତ୍ ସୂର୍ଯ୍ୟଙ୍କର କିରଣ ଯେତେଦୂର ପର୍ଯ୍ୟନ୍ତ ଯାଇଛି, ସେତେସ୍ଥାନ ଭଗବାନଙ୍କ ଆୟତ୍ତରେ । ଭଗବାନଙ୍କର ସେହି ଅପୂର୍ବ ଛତ୍ରତଳେ ସେ ଆମକୁ ନିରାପଦରେ ରଖିଛନ୍ତି ।

 

ଠିକ୍ ସେହିପରି ଘୋଡ଼ାନାଟ ଗୀତରେ ନାବର ନିର୍ମାଣ ବିଧି ସମ୍ପର୍କରେ ଚଢ଼ାରେ ଅଦ୍ଭୁତ ପ୍ରଶ୍ନ ପଚରା ଯାଇଛି–

 

ନାବଗୋଟି କେଉଁଠାରେ ସେ ଆଣିଲା

କେଥିଲା ନିର୍ମାଣ କରି

କାତ କେରୁଆଳ କାହୁଁ ସେ ଆଣିଲା

କଣ୍ଡିଆର କାହୁଁ ଧରି

ସେ ନାବ ଗୋଟିକ କେତେ ଖଣ୍ଡି ପଟା

କେତେ ଗୋଟି ତହିଁ କଣ୍ଟା

କେତେଗୋଟି ମଙ୍ଗ ତହିଁରେ ଅଟଇ

କେତେଖଣ୍ଡ ତହିଁ ବତା

କେତେ ଦୀର୍ଘପ୍ରତି ସେ ନାବ ଅଟଇ

କେ ତହିଁରେ ହୁଏ ପାରି ।

କୈବର୍ତ୍ତ ସେ ନାବ କେମନ୍ତେ ପାଇଲା

କହିବ ମତେ ବିସ୍ତାରି ।

 

ଉତ୍ତରରେ ନାବର ଯେଉଁ ବର୍ଣ୍ଣନା କରାଯାଇଛି, ତାହା ଶରୀରର ବର୍ଣ୍ଣନା ସହିତ ସମାନ-। ପ୍ରଭୁ ନାବଆଣି ଦେବା ପାଇଁ ବିଶ୍ୱକର୍ମାଙ୍କୁ ଆଦେଶ ଦେଲେ । ଆମ ଶରୀରକୁ ମଧ୍ୟ ବିଶ୍ୱକର୍ମା ଗଢ଼ିଛି ବୋଲି ବିଶ୍ୱାସ ରହିଛି । ସେ ନାବରେ ପାଞ୍ଚଗୋଟି ପଟା-ଶରୀରରେ ଅଛି ପାଞ୍ଚଗୋଟିମନ-। ନାବରେ ପଚିଶ ଗୋଟି ଲୁହାକଣ୍ଟା ଭିଡ଼ାଗଲା-ଶରୀର ସହିତ ପଚିଶି ଗୋଟି ପ୍ରକୃତି ସଂଯୁକ୍ତ । ନାବରେ ଆଠଗୋଟି ବତା ବସାଇ ଦିଆଗଲା-ଆୟୁର୍ବେଦ ଶାସ୍ତ୍ରରେ ଶରୀରକୁ ମଧ୍ୟ ଆଠ ଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା– ଦୁଇହସ୍ତ, ଦୁଇପଦ, ମୁଖମଣ୍ଡଳ, ବକ୍ଷପ୍ରଦେଶ, ଉଦର ଓ ବସ୍ତି ପ୍ରଦେଶ । ନାବରେ ଦଶଦ୍ୱାର ନିର୍ମାଣ କରାଗଲା– ଶରୀରର ଦଶଗୋଟି ଦ୍ୱାର ହେଲା ଦୁଇଚକ୍ଷୁ, ଦୁଇକର୍ଣ୍ଣ, ନାସିକାର ଦୁଇପୋଡ଼ା, ମୁଖ, ମଳଦ୍ୱାର, ମୂତ୍ରଦ୍ୱାର ଓ ରୋମମୂଳ । ନାବର ଦୁଇମୁଣ୍ଡରେ ଦୁଇଗୋଟି ମଙ୍ଗ ଖଞ୍ଜି ଧୀବର ସେଠାରେ ବସିଲା । ଇଡ଼ା ଓ ପିଙ୍ଗଳା ନାଡ଼ିମଧ୍ୟରେ ଶରୀରରେ ଶୁଷୁମ୍ନା ନାଡ଼ି ଅବସ୍ଥାନ କରୁଥିବାରୁ ବହୁ ପ୍ରମାଣ ରହିଛି । ଚନ୍ଦ୍ରନାଡ଼ି ଓ ସୂର୍ଯ୍ୟ ନାଡ଼ି ମଧ୍ୟରେ ନୈରାତ୍ମାଦେବୀ ଅବସ୍ଥାନ କରୁଥିବାର ଚର୍ଯ୍ୟାଗୀତିକାରମାନେ ସେମାନଙ୍କର ଗୀତରେ ବର୍ଣ୍ଣନା କରିଛନ୍ତି ।

 

ଘୋଡ଼ାନାଟଗୀତଗୁଡ଼ିକ ଲୋକସାହିତ୍ୟର ମୂଲ୍ୟବାନ ବିଭବ । ଏହି ଗୀତ ଗୁଡ଼ିକର ସଂଗ୍ରହ ଓ ଆଲୋଚନା ଓଡ଼ିଆ ସାହିତ୍ୟକୁ ନିଶ୍ଚିତ ଋଦ୍ଧିମନ୍ତ କରାଇବ । ଏଥିରେ ବୈଦଗ୍ଧ୍ୟ, ଯେପରିକି ଅଛି, ତା’ଠାରୁ ଅଧିକ ଅଛି ଚାତୁର୍ଯ୍ୟ । ବହୁପାଠୀ କବି ତାର କବିତ୍ୱ ଦ୍ୱାରା ରସିକମାନଙ୍କୁ ସବୁମନ୍ତେ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛି । ଏହି ବୈଚିତ୍ର୍ୟପୂର୍ଣ୍ଣ କଳା ପ୍ରଦର୍ଶନ ଲୋକ ସଂସ୍କୃତିରୁ କେବେ ହେଲେ ବିଲୁପ୍ତ ହେବନାହିଁ ।

 

ଉତ୍ତରଓଡ଼ିଶାରୁ ଘୋଡ଼ାନାଟର ଏହି ଅପୂର୍ବ ଗୀତ ସମୁହର କିଛି ଅଂଶକୁ ମୁଁ ସଂଗ୍ରହ କରିବାରେ ସକ୍ଷମ ହୋଇଛି । କୈବର୍ତ୍ତମାନଙ୍କର ଇଷ୍ଟଦେବୀ ବାଶୁଳୀ ହେଲେ ମଧ୍ୟ ଚୈତ୍ର ପୂର୍ଣ୍ଣିମାରେ ସାଧାରଣତଃ ଲକ୍ଷ୍ମୀନାରାୟଣଙ୍କୁ ପୂଜା କରାଯାଇଥାଏ । ଯେକୌଣସି ଲୋକନାଟ୍ୟ ପରି ଘୋଡ଼ାନାଚ ମଧ୍ୟ ଧର୍ମ ସହିତ ସଂପୃକ୍ତ । ହିନ୍ଦୁ ଧର୍ମର ଯେକୌଣସି ଜାନିଯାତ୍ରା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଧର୍ମ ସହିତ ଜଡ଼ିତ । ଧର୍ମଭାବନା ନଥିଲେ କୌଣସି ଜାନିଯାତ୍ରା ପ୍ରତି ତାର ଆଗ୍ରହ ସୃଷ୍ଟି ହୁଏନାହିଁ । ଲୋକ କୌଣସି ପ୍ରକାର ବାଧ୍ୟବାଧକତାରେ କିମ୍ବା ଉଦ୍ଦେଶ୍ୟରଖି ଧର୍ମସମ୍ବନ୍ଧୀୟ ଜାନିଯାତ୍ରାରେ ଭାଗ ନିଏନାହିଁ, ବରଂ ନିଜର ଲାଭକ୍ଷତିର ହିସାବ ନରଖି ଧର୍ମସମ୍ବନ୍ଧୀୟ କାମ କରିବାକୁ ଆଗଭର ହୋଇ ବାହାରିପଡ଼େ । ଧର୍ମ ସମ୍ବନ୍ଧୀୟ କାର୍ଯ୍ୟ ପ୍ରତି ମଧ୍ୟ ଲୋକ ଅନାଗ୍ରହ ହୋବାର ଦେଖାଯାଏ ନାହିଁ । ଅପରପକ୍ଷରେ ଧର୍ମକୁ ଅନୁସରଣ କରିବା ମଧ୍ୟ ଲୋକର ଏକ ଅଲଙ୍ଘନୀୟ କର୍ତ୍ତବ୍ୟ ବୋଲି ଗ୍ରହଣ କରାଯାଏ ନାହିଁ । (୨୫) ସେଥିପାଇଁ ଲୋକପର୍ବଗୁଡ଼ିକ ଧର୍ମ ସହିତ ଆପେ ଆପେ ଯୋଡ଼ିହୋଇ ଯାଇଥାଏ ।

 

ଚଇତ ପୂର୍ଣ୍ଣମୀବେଳକୁ ଶୀତଛାଡ଼ି ଯାଇଥାଏ । ଧରାପୃଷ୍ଠକୁ ଓହ୍ଲାଇ ଆସିଥାଏ ଋତୁରାଜ ବସନ୍ତ । ଚାରିଆଡ଼େ ପୁଷ୍ପର ସମ୍ଭାର ଓ ପରିବାର ପ୍ରାଚୁର୍ଯ୍ୟ । ଧାନକଟାକଟି ଶେଷ ହୋଇଯାଇଥିବା ଯୋଗୁଁ ଯାତ୍ରା ପାଇଁ ଦର୍ଶକଙ୍କର ଅଭାବ ରହେ ନାହିଁ । ଜାତି ଓ ବର୍ଣ୍ଣ ନିର୍ବିଶେଷରେ ସଭିଏଁ ମଗ୍ନ ହୋଇଯାଆନ୍ତି ପୂଜାପାର୍ବଣରେ । ନୃତ୍ୟ, ଗୀତ ଓ ବାଦ୍ୟର ତାଳେ ତାଳେ ଯେମିତି ଉଛୁଳିଉଠେ ଉନ୍ମାଦିନୀ ଧରଣୀ । ତା’ସହିତ ଉନ୍ମାଦିତ ହୋଇଉଠେ ସମଗ୍ର କୈବର୍ତ୍ତ ସମାଜ । ଘୋଡ଼ାନାଚର ଛନ୍ଦେ ଛନ୍ଦେ ବିଚ୍ଛୁରିତ କରିଦିଏ ଜୀବନର ଦୁଃଖ ସୁଖ ଭରା ମିଳନ-ମଧୁର-ବିରହ-ବିଧୂର ଛନ୍ଦ । ଇତିହାସ ଓ କିମ୍ବଦନ୍ତୀର କୈବଲ୍ୟକୁ ପୁରାଣର ପଞ୍ଚାମୃତରେ ମିଶାଇ ବାଣ୍ଟିଦିଏ ଦର୍ଶକ ଭକ୍ତଗଣଙ୍କୁ । ଲଳିତ-କୋମଳ, ଭାବଗମ୍ଭୀର, କର୍ଣ୍ଣରସାୟନ, ଚତୁରତାପୂର୍ଣ୍ଣ ଏହି ଘୋଡ଼ାନାଟ ଗୀତଗୁଡ଼ିକ ଆଦୃତ ହେଲେ ବି ଆହୁରି ଆଦୃତିର ଅପେକ୍ଷା ରଖେ-। ତାହା ଲୋକସାହିତ୍ୟରେ ଯଥୋଚିତ ଆସନ ପାଇବାକୁ ଯୋଗ୍ୟ ।

 

ଲୋକ ସମାଜରୁ ଲୋକ ନାଟକର ସୃଷ୍ଟି । ଲୋକ ସମାଜରେ ତାର ପ୍ରତିଷ୍ଠା । ଲୋକହୃଦୟ ଲୋକନାଟକର ସୃଷ୍ଟିର ଉତ୍ସ ଅଟେ । ଲୋକ ଭାଷାରେ ଏହା ରଚିତ । ଲୋକ ସମାଜ ପରି ସରଳ ଏହାର ପ୍ରକାଶଭଙ୍ଗୀ, ସ୍ୱଚ୍ଛ ଓ ସୁନ୍ଦର ଏହାର ଆବେଦନ । ସ୍ରଷ୍ଟା ଏହାର ବ୍ୟକ୍ତିବିଶେଷ ହୋଇଥିଲେ ମଧ୍ୟ ସମୂହ ମଧ୍ୟରେ ସେ ଏକାତ୍ମ । ଗ୍ରାମ୍ୟ ମୁକ୍ତମଞ୍ଚ ହିଁ ଏହି ଲୋକନାଟକର ଅଭିନୟ ସ୍ଥାନ । କୃଷି ସଭ୍ୟତା-ସଂସ୍କୃତିରୁ ଏହାର ଜନ୍ମ ଓ ବିକାଶ ହୋଇଛି । ଧର୍ମ ହିଁ ଏହାର ନେପଥ୍ୟ ପ୍ରେରଣା । ଜାତି-ଧର୍ମ ପ୍ରତିଷ୍ଠା ହେଉଛି ଏହାର ଲକ୍ଷ୍ୟ । ଗୀତିମୟ ପ୍ରାଣ-ପ୍ରାଚୁର୍ଯ୍ୟରେ ଏହା ପରିପୂର୍ଣ୍ଣ । ଏହାର ଅଭିନୟରେ ଯେପରି ଅଛି ସ୍ୱାତନ୍ତ୍ର୍ୟ, ସେହିପରି ଏହାର ରୂପାୟନ ରୀତିରେ ଅଛି ବୈଶିଷ୍ଟ୍ୟ । ଘୋଡ଼ାନାଟ ଲୋକନାଟକର ଏକ ଅଂଗ । ଏହାହିଁ ଲୋକସଂସ୍କୃତିର ବିସ୍ତାର ବାର୍ତ୍ତାବହ ।

 

କୌଣସି ଦେଶ ବା ଜାତି ସାଂସ୍କୃତିକ ପଟ୍ଟଭୂମିରେ ଗଢ଼ିଉଠେ ସାହିତ୍ୟ । ସାହିତ୍ୟ କେବେ ଜନଜୀବନଠାରୁ ପୃଥକ ହୋଇପାରି ନାହିଁ । ମଣିଷର ଜୀବନ ସହିତ ତାର ସଂସ୍କୃତି କେଉଁ ଆବାହମାନକାଳରୁ ଜଡ଼ିତ ହୋଇଆସିଅଛି । ସାହିତ୍ୟ ମାନବ ଭାବାବେଗରେ କାଳାତ୍ମକ ବାହ୍ୟ ପରିପ୍ରକାଶ ହେଲେ ସଂସ୍କୃତି ହେଉଛି ତାର ଅନ୍ତରାତ୍ମା । ଦେଶ ବା ଜାତିର ସାଂସ୍କୃତିକ ଉପଲବ୍ଧିର ପ୍ରାମାଣିକ ଆଲେଖ୍ୟ ହେଉଛି ସାହିତ୍ୟ । ତେଣୁ ସାହିତ୍ୟ ଓ ସଂସ୍କୃତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ସଂସ୍କୃତି ଜୀବନ ହେଲେ ସାହିତ୍ୟ ହେଉଛି ଏକ ପ୍ରେରଣା । ସାଂସ୍କୃତିକ ଜୀବନର ଅଭିବ୍ୟକ୍ତି ସାହିତ୍ୟରେ ହିଁ ପରିପ୍ରକାଶ ହୋଇଥାଏ ।

 

କୈବର୍ତ୍ତ ସଂସ୍କୃତିର ବିଭିନ୍ନ ବିଭବ-ଓଡ଼ିଆ ସାହିତ୍ୟରେ ଏ ସମ୍ପ୍ରଦାୟର ଚିତ୍ର, ଉତ୍କଳୀୟ ସଂସ୍କୃତି ଓ ଓଡ଼ିଶା ଇତିହାସକୁ ଏମାନଙ୍କର ଦାନ । ଏମାନଙ୍କର ପର୍ବ, କଳା, ନାଟ୍ୟ, ସାହିତ୍ୟ ଇତ୍ୟାଦିର ବିଶେଷତ୍ୱ ଓ ପ୍ରଭାବ, ସାଂସ୍କୃତିକ ସମନ୍ୱୟ ପ୍ରକ୍ରିୟାରେ ଏଗୁଡ଼ିକର ଅବଦାନ ଯଥେଷ୍ଟ ରହିଛି । ଓଡିଶାର ବିଭିନ୍ନ ଅଞ୍ଚଳରେ ଯେଉଁସବୁ କୈବର୍ତ୍ତ ସମ୍ପ୍ରଦାୟ ଅଛନ୍ତି ସେମାନଙ୍କ ସଂସ୍କୃତିର ଅଭିଯୋଜନା ଓ ସମନ୍ୱୟ ପ୍ରକ୍ରିୟାର ଧାରାକୁ ଏକପକ୍ଷରେ ଭାରତୀୟ ସମାଜର ବୃହତ୍ତମ ପରିପ୍ରେକ୍ଷୀରେ ତଥା ଅପରପକ୍ଷରେ ଓଡ଼ିଶାର ସାଂସ୍କୃତିକ ଓ ସାହିତ୍ୟ ଇତିହାସର କ୍ରମ ବିବର୍ତ୍ତନ ଧାରା ମଧ୍ୟରେ ବୈଶିଷ୍ଟ୍ୟ ଅନୁଭବ୍ୟ । ସମାଜର ସମନ୍ୱିତ ବିକାଶ ନିର୍ଭର କରେ ଏକ ସମନ୍ୱିତ ଶକ୍ତି ଉପରେ । କୈବର୍ତ୍ତ ସମାଜର ସାଂସ୍କୃତିକ ଚେତନା ଏକ ସମନ୍ୱିତ ଚେତନା-ବ୍ୟଷ୍ଟିଶକ୍ତି ଗୋଷ୍ଠୀ ଶକ୍ତିକୁ କେନ୍ଦ୍ରକରି ଗଢ଼ି ଉଠିଛି । ସମାଜ ହିଁ ଏକ ପରିବାର । ଏଠି ପ୍ରତିଟି ସମ୍ପର୍କ ଗଭୀର ଓ ନିବିଡ଼-। ଓଡ଼ିଆ ସାହିତ୍ୟକୁ ଏହି କୈବର୍ତ୍ତ ସମାଜର, କୈବର୍ତ୍ତ ସଂସ୍କୃତିର ଅବଦାନ ଯେ ଅସୀମ ଏହା ନିଃସନ୍ଦେହରେ କୁହାଯାଇପାରେ ।

 

ସଙ୍କେତ ସୂଚୀ

 

(୧)

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ - ଗୋପାଳ ଚନ୍ଦ୍ର ପ୍ରହରାଜ

(୨)

ଚଇତ ଘୋଡ଼ା ନାଟ: ଏକ ନିରୀକ୍ଷଣ - ଡଃ ମନୀନ୍ଦ୍ର ମହାନ୍ତି, ଓଡ଼ିଆ ଯାତ୍ରା ଓ ଲୋକନାଟ୍ୟ ପରିକ୍ରମା ପୃ-୧୮୬-୧୮୭

(୩)

Folklore of Tamilnadu by SML Laxshmanan Chettier, Published by National Book Trust, India, Page-165

(୪)

ମୋ ଦ୍ୱାରା ସଂଗୃହୀତ ଦ୍ୱିଜଗୋପାଳଙ୍କ କୈବର୍ତ୍ତ ଗୀତାରୁ ଉଦ୍ଧୃତ ।

(୫)

ବାଲେଶ୍ୱର ଜିଲ୍ଲାର ଅନନ୍ତପୁର ନିକଟରୁ ସଂଗୃହୀତ ଗୀତ । ସଂଗ୍ରାହକ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ

(୬)

ଓଡ଼ିଆ ଲୋକଗୀତ ଓ କାହାଣୀ - ଶ୍ରୀ କୁଞ୍ଜବିହାରୀ ଦାଶ, ବିଶ୍ୱ ଭାରତୀ, ପୃ-୧୪୬

(୭)

ଓଡ଼ିଶାର ପଲ୍ଲୀନୃତ୍ୟ - ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ - ଚିତ୍ରପୁରୀ ୧୬ଶ ବର୍ଷ/୧ମ ସଂଖ୍ୟା / ୧୯୭୭-ପୃ-୩୭

(୮)

ଚଇତି ଘୋଡ଼ା ନାଟ: ଏକ ନିରୀକ୍ଷଣ-ଡଃ ମନୀନ୍ଦ୍ର ମହାନ୍ତି, ଓଡ଼ିଆ ଯାତ୍ରା ଲୋକନାଟ୍ୟ ପରିକ୍ରମା,ପୃ-୧୩୧

(୯)

ପଶୁନୃତ୍ୟ - ଅ. ଅଶୋକ କୁମାର ତ୍ରିପାଠୀ - ‘ଓଡ଼ିଶାର ଲୋକନାଟ୍ୟ’ - ପ୍ରବନ୍ଧ - ବନଫୁଲ ସାହିତ୍ୟ ପରିଷଦ ୧୯୯୨, ପୃ-୩୨

(୧୦)

ଚଇତି ଘୋଡ଼ାନାଟ : ଏକ ନିରୀକ୍ଷଣ - ଡଃ ମନୀନ୍ଦ୍ର ମହାନ୍ତି, ଓଡ଼ିଆ ଯାତ୍ରା ଓ ଲୋକନାଟ୍ୟ ପରିକ୍ରମା, ଓଡ଼ିଆ ଯାତ୍ରା ଓ ଲୋକନାଟ୍ୟ ପରିକ୍ରମା-ପୃ-୧୮୪

(୧୧)

କୈବର୍ତ୍ତ ପୁରାଣ, ପୃ-୭୨

(୧୨)

ଚଇତି ଘୋଡ଼ାନାଟ : ଏକ ନିରୀକ୍ଷଣ - ଡଃ ମନୀନ୍ଦ୍ର ମହାନ୍ତି, ଓଡ଼ିଆ ଯାତ୍ରା ଓ ଲୋକନାଟ୍ୟ ପରିକ୍ରମା, ଓଡ଼ିଆ ଯାତ୍ରା ଓ ଲୋକନାଟ୍ୟ ପରିକ୍ରମା, ପୃ-୧୮୫

(୧୩)

ଶ୍ରୀଗୟାଧର ମାଝୀ- ପିତା- ଧର ମାଝୀ, ଗ୍ରାମ- ଅଭଣା- ଜି- ବାଲେଶ୍ୱରଙ୍କଠାରୁ ସଂଗୃହିତ

(୧୪)

ଅଶ୍ୱଯାତ୍ରାର କାହାଣୀ ଶୁଣ ହେ ଅର୍ଜୁନ / ଯେଉଁ ପ୍ରକାରେ ଏ ଯାତ୍ରା ହୋଇଲା ଭିଆଣ-/ ବାସେଳୀକୁ ଦେବୀ ରୂପେ ସ୍ଥାପନା କରିଲି / ପୂଜାର ବିଧାନ ତାକୁ ଶିଖାଇଣ ଦେଲି/ପଞ୍ଜରାରେ ମୁଣ୍ଡଗୋଟି ଯତ୍ନରେ ଲଗାଇ / ସିନ୍ଦୂର କଜ୍ଜଳ ଦେବ ଯତନରେ ତହିଁ / ଜବାକୁସୁମର ହାର ଅଶ୍ୱଗଳେ ଦେବ / ଧୂପ ନଇବେଦ୍ୟ କରି ତାହାକୁ ପୂଜିବ / ଅର୍ଘସ୍ୟ ଗୌରୀ ଦେବୀ ମାଗୋ ମହାମାୟୀ / ତ୍ରିପୁରା ସୁନ୍ଦରୀ ବିଜେ କର ଶୀଘ୍ର ତୁହି-/ ଜୟମା ବାସେଳୀ ନମେ ତୋହର ଚରଣ / ମୁଣ୍ଡ ଚଢ଼ାଇବ ଏହା ତୁଣ୍ଡରେ ପଢ଼ିଣ / ଓଁ ଦନ୍ତ କିଟି କିଟି ତୋର ଆଖି ମିଟି ମିଟି / ଷଡ଼ଚକ୍ର ପରେ ଅଲେଖ ପାଟଣାର ସ୍ଥିତି / ତ୍ରୟବାର ଏହି ମନ୍ତ୍ର କରିଲେ ପଠନ / ଜୀବନ୍ୟାସ ପାଇବ ସେ ଅଶ୍ୱ ତତକ୍ଷଣ / ସାତ ପାଞ୍ଚ ଅହ୍ୟସ୍ତିରୀ ଡକାଇ ଆଣିବ / ଘୃତଦୀପ ସେମାନଙ୍କ କରେ ସମର୍ପିବ / ହୁଳହୁଳି ଦେବ ଫିଙ୍ଗି ଅରୁଆ ଚାଉଳ / ଦୁବ ବରକୋଳି ଧରି ବନ୍ଦାଅ ତତ୍କାଳ / ଶୀତଳ ମନ୍ତ୍ର ପଠନ କରିବ ମୁଖରେ / ଶାନ୍ତ ହୋଇବ ବାସେଳୀ ଆପଣା ଇଚ୍ଛାରେ / *** / ତାହାପରେ ମୁଖେ ସ୍ତୁତି ଉଚ୍ଚାରିବୁ ତୁହି / ନମୋ ମାତ ବାସେଳୀ ଗୋ ନମୋ ମହାମାୟୀ / ନମୋ ମାତ ବନ୍ଦେ ତୋର ଚରଣ ଯୁଗଳ / ଦୀନଜନେ ଜନନୀ ଗୋ ବରେ ରକ୍ଷାକର । (କୈବର୍ତ୍ତ ପୁରାଣ ପ୍ରଥମ ଭାଗ,ପୃ-୭୨/୭୩)

(୧୫)

ଅର୍ଘସ୍ୟ ଗୋରୀ ସର୍ବସ୍ୟ କରି ଏ କାଷ୍ଠ ଅଶ୍ୱଶିରେ ବିଜୟ କର ଗୋ ତ୍ରିପୁର ସୁନ୍ଦରୀ । ନମଃ ନମସ୍ତେ ନମସ୍ତେ । ଏହାପଢ଼ି ମୁଣ୍ଡ ଚଢ଼ାଇବ । ଏବେ ଜୀବନ୍ୟାସ ମନ୍ତ୍ର । ଓଁ ଦନ୍ତଂ କିଟି କିଟି ଆଖି ମିଟି ମିଟି । ଷଟଚକ୍ର ମଧ୍ୟରେ ବିରାଟ ମଣ୍ଡଳ ହରି ଥାଅ ସ୍ଥିତି । ଏହାକୁ ତିନିଥର ପଢ଼ି ଘୋଡ଼ାର କର୍ଣ୍ଣରେ ଶୁଣାଇଲେ ଘୋଡ଼ା ଜୀବନ୍ୟାସ ମନ୍ତ୍ରପାଏ । ତହିଁ ଉତ୍ତାରେ ନୈବେଦ୍ୟ ଦେବ । ଘୃତ ଦୀପଧରି ସାତ ପାଞ୍ଚ ଅହ୍ୟ ସ୍ତ୍ରୀ ହୁଳହୁଳି ଦେଇ ଅରୁଆ ଚାଉଳ, ଦୁବ, ବରକୋଳିପତ୍ର ଧରି ଘୋଡ଼ାଇ ବନ୍ଦାଇଦେବ ।

 

ଘୋଡ଼ା ଶୀତଳ ମନ୍ତ୍ର

 

ଓଁନମୋ ତ୍ରିପୁର ସୁନ୍ଦରୀ । ଅଷ୍ଟଭୂଜା ଜଗତ ତାରିଣୀ । ଆଦିମାତା ପରମ ବୈଷ୍ଣବୀ ବାଶେଳୀ ନୈବେଦ୍ୟ ସ୍ୱାହା । (କୈବର୍ତ୍ତ ଗୀତା-ବିଂଶ ଅଧ୍ୟାୟ)

(୧୬)

ଓଡ଼ାଶାର ‘ଯାତ୍ରା’ ଓ ପାକମ୍ପାରିକ ଲୋକପ୍ରିୟ ନାଟ୍ୟଧାର-ଅଧ୍ୟାପକ ଡଃ କୃଷ୍ଣଚରଣ ବେହେରା- ୧୯୯୭, ପୃ-୭୧

(୧୭)

ଚଇତି ଘୋଡ଼ାନାଟ: ଏକ ନିରୀକ୍ଷଣ - ଡଃ ମନୀନ୍ଦ୍ର ମହାନ୍ତି ଓଡ଼ିଆ ଯାତ୍ରା ଓ ଲୋକନାଟ୍ୟ ପରିକ୍ରମା, ପୃ-୧୯୧

(୧୮)

ଓଡ଼ିଶାର ‘ଯାତ୍ରା’ ଓ ପାରମ୍ପାରିକ ଲୋକପ୍ରିୟ ନାଟ୍ୟଧାରା - ଅଧ୍ୟାପକ କୃଷ୍ଣଚରଣ ବେହେରା- ୧୯୯୭,ପୃ-୭୨

(୧୯)

ମୋ ଦ୍ୱାରା ସଂଗୃହୀତ ଗୀତ

(୨୦)

ଚଇତି ଘୋଡ଼ାନାଟ: ଏକ ନିରୀକ୍ଷଣ - ଡଃ ମନୀଦ୍ର ମହାନ୍ତି, ପୃ-୧୮୭

(୨୧)

ଓଡ଼ିଆ ଲୋକନାଟ୍ୟ ପରିପ୍ରେକ୍ଷୀରେ ବାଲେଶ୍ୱର ଅଞ୍ଚଳର ଘୋଡ଼ାନାଟ ଓ ବହୁରୂପା - ଅର୍ଜୁନ କର, ଗୋକର୍ଣ୍ଣିକା-୧୯୯୩, ପୃ-୧୯

(୨୨)

ମୋ ଦ୍ୱାରା ସଂଗୃହୀତ

(୨୩)

ଓଡିଆ ଲୋକଗୀତ ଓ କାହାଣୀ - ଡଃ କୁଞ୍ଜବିହାରୀ ଦାଶ -୧୯୫୮, ପୃ-୧୫୨

(୨୪)

ମୋ ଦ୍ୱାରା ସଂଗୃହିତ

(୨୫)

All the affairs of the Hindu are directly or indirectly connected with religion. He feels no interest and can not induce himself to join in any work that does not seem to him to possess any religious merit. It is generally seen, how ever, that people are not disposed to undertake any religious work purely for the save of the work itself without any reference to personal gain or loss. Very rare is the case where a person will be found to practise religious observances disinterestedly and equally rare is the case where the pursuit of religion will be found to have a place among the inviolable duties of man. (The folkelement in Hindu culture, by Binoy Kumar Sarkar-1972, Page-3

Image

 

ଦେବାଦେବୀ ବନ୍ଦନା

 

ପ୍ରଥମେ ବନ୍ଦଇ ଗଉରୀ ତନଈ

ନମୋ ପ୍ରଭୁ ସିଦ୍ଧିଦାତା,

ଉପରେ ଯେ ଧର୍ମ ଦେବତା ବନ୍ଦଇ

ତଳେ ବନ୍ଦେ ବସୁମାତା ।୧।

ଏକ ଚକ୍ରରଥେ ସୂର୍ଯ୍ୟଙ୍କୁ ବନ୍ଦଇ

ବନ୍ଦଇ ଭୋଳା ମହେଶ,

ସଂସାର କରତା ବିଷ୍ଣୁଙ୍କୁ ବନ୍ଦଇ

ଖେମା କର ମୋର ଦୋଷ ।୨।

ବନ୍ଦେ ଦୁର୍ଗା ମାତା ସିଂହର ବାହନ

ଭ୍ରମୁ ଅଛୁ ତ୍ରିଭୁବନ,

ସୁପ୍ରସନ୍ନ ହୋଇ କଣ୍ଠେ ବିଜେକର

କରିବି ପଦ ଗାୟନ ।୩।

ସ୍ୱର୍ଗରେ ବନ୍ଦଇ ଯମଧର୍ମ ମୁଁ ଯେ

ଆବର ଧ୍ରୁବ ମଣ୍ଡଳ

ବରୁଣ କୁବେର ସହିତେ ବନ୍ଦଇ

ଯେତେ ଦଶଦିଗପାଳ ।୪।

ପବନ ଅନଳ ବାସୁକି ବନ୍ଦଇ

ପାତାଳରେ ନାଗଗଣ

ସପ୍ତ ପତାଳକୁ ଠୁଳରେ ବନ୍ଦଇ

ବନ୍ଦେ ବିଷ୍ଣୁ ଶ୍ରୀଚରଣ ।୫।

ମଞ୍ଚପୁର ମଧ୍ୟେ ନିଳାଞ୍ଚଳ ବନ୍ଦେ

ବନ୍ଦେ ପଞ୍ଚୁକୁଶି କ୍ଷେତ୍ର

ବଡ଼ ଦେଉଳକୁ ଠୁଳରେ ବନ୍ଦଇ

ବନ୍ଦଇ ଯେ ନୀଳଚକ୍ର ।୬।

ଶରଧା ବାଲି ଯେ ବଳିଗଣ୍ଡେ ବନ୍ଦେ

ବନ୍ଦେ ଆବର ଗୁଣ୍ଡିଚା ଘର

ମହୁ ନଦୀ ଜଳ ଦକ୍ଷିଣ ପାରୁସେ

ବନ୍ଦେ ବାଙ୍କି ମୁହାଣର ।୭।

ଝଙ୍କଡ଼େ ବନ୍ଦଇ ସିଂହ ଯେ ଶାରୁଳା

ବାଙ୍କି ଗଡ଼େ ଚାଚକାଈ

କଟକେ କଟକ ଚଣ୍ଡିକି ବନ୍ଦିଲି

ଯାଯପୁରେ ବିରୁଜାଈ ।୮।

ଢାମରା ଗ୍ରାମରେ ଢାମରାଇ ବନ୍ଦେ

ବନ୍ଦିଲି ଆରଡ଼େଶ୍ୱର

ଯାହାର ଆଜ୍ଞାରେ ନାହିଁ କପାଖାଇ

ନାହିଁ ଗାରଡ଼ି ମନ୍ତର ।୯।

କାଶୀ ବାରାଣସୀ ପ୍ରୟାଗ ସହିତେ

ବନ୍ଦିଲି ମୁଁ ବୃନ୍ଦାବନ

ଚଉଷଠି ମଠ ସହିତେ ବନ୍ଦଇ

ଆବର ଷୋଳ ଶାସନ ।୧୦।

ଗୟାତୀର୍ଥେ ବନ୍ଦେ ଫଲଗୁ ନଦୀକି

ଝାଡ଼ଖଣ୍ଡେ ବଦ୍ୟନାଥ

କଣା ପେଟଟଣା ଦିଅନ୍ତି ଧାରଣା

ଯାହା ଆଜ୍ଞାରେ ମୁକୁତ ।୧୧।

ଗଙ୍ଗାମାତାଙ୍କୁ ଯେ ବନ୍ଦନା କଲଇଁ

ବନ୍ଦେ କଲିକତା କାଳୀ

ଯାହାର ଆଜ୍ଞାରେ ନିତ୍ୟେ ପଢ଼ୁଛନ୍ତି

ଲକ୍ଷ ଲକ୍ଷ ପୁଢ଼ଛେଳି ।୧୨।

ଆବର ବନ୍ଦଇ କୁଳ ଦେବତା ଯେ

ଜୟ ଗୋ ମାତ ବାସୁଳୀ

ପଣନ୍ତ ଘୋଡ଼ାଇ ସାହା ହୋଇଥିବୁ

ତୋ ପାଦେ ମୋହର ଅଳି ।୧୩।

ତୁହି ଦୟା କଲେ ଘରୁ ବାହାରିବି

ଗାୟନ କରିବି ପଦ

ଦ୍ୱିଜ ଗୋପାଳ ଏ ଗୀତରେ ରଞ୍ଚିଲେ

ମନବାଞ୍ଛା କର ସିଧ୍ୟ ।୧୪।

Image

 

ବେଢ଼ା ବନ୍ଦନା

 

ଶୁଣହେ ସୁଜନ ଦେଇ ମନକର୍ଣ୍ଣ

କ୍ଷେତ୍ର ବିଧାନ ଚରିତ୍ର

ବେଢ଼ା ପରିକ୍ରମା ବନ୍ଦଣା କରୁଛି

ଶ୍ରୀଜଗନ୍ନାଥଙ୍କ କୃତ୍ୟ ।୧।

ସିଘଂଦ୍ୱାରେ ମିଳି ପତିତ ପାବନି

ଆଦ୍ୟରେ ବନ୍ଦିଲି ମୁହିଁ

ବାଇଶି ପାବଚ୍ଛ କାଶି ବିଶ୍ୱନାଥ

ପୂର୍ଣ୍ଣବ୍ରହ୍ମ ରୂପ ଧ୍ୟାୟୀ ।୨।

ଅଜାଣ ନାଥଙ୍କୁ ବନ୍ଦଣା କରିଣ

ବିଘ୍ନେଶ୍ୱର ପାଶେ ଗଲି

ବଟମଙ୍ଗଳାଙ୍କୁ ଦରଶନ ସାରି

ତହିଂ ଦୁଃଖ ଜଣାଇଲି ।୩।

ମୁକ୍ତି ମଣ୍ଡପକୁ ବନ୍ଦଣା କଲି ଯେ

ଅଷ୍ଟାଦଶ ଯେ ପୁରାଣ

ରୋହିଣୀ କୁଣ୍ଡରେ କାକ ଚତୁର୍ଭୁଜ

ଦେଖି ମାଗିଲି ଶରଣ ।୪।

ଅନନ୍ତ ଯେ ପୃସୋତ୍ତମଙ୍କୁ ବନ୍ଦିଣ

ବନ୍ଦିଲି ବିମ୍ୱଳା ଆଖି

ସରସ୍ୱତୀ ନୀଳ ମାଧେବ ସହିତ

ବେଢ଼ା କାଳିକା ମୂରତି ।୫।

ପଶ୍ଚିମ ଦ୍ୱାରରେ ବୀର ହନୁମାନ

ନନ୍ଦ ଯଶୋବନ୍ତୀ ମୂଳେ

ଷୋଳସସ୍ର ଗାବ ଦୁହନ କରନ୍ତି

ବେଢ଼ିଣ ସର୍ବ ଗୋପାଳେ ।୬।

ତଦଅନ୍ତେ ଯାଇ ବନ୍ଦଣା କଲି ମୁଁ

ମୋହାଲକ୍ଷ୍ମୀଙ୍କ ମନ୍ଦିର

ଉତର ଉତରାୟଣୀକି ବନ୍ଦିଲି

ସୁବର୍ଣ୍ଣ କୂପ ପାଖର ।୭।

ପାତାଳନାଥଙ୍କୁ ବନ୍ଦଣା ମୁଁ କଲି

ବନ୍ଦେ କୋଇଲି ବୈକୁଣ୍ଠ

ସ୍ନାହାନ ମଣ୍ଡପ ସହିତ ବନ୍ଦିଲି

ବନ୍ଦିଲି ମୁଁ ଚକାପୀଠ ।୮।

ଗରୁଡ଼ ଖୁମ୍ୱକୁ ବନ୍ଦନା ମୁଁ କଲି

ବନ୍ଦୁଛି ଭୋଗମଣ୍ଡପ

କଳାଧଳା ତିନି ମୃତି ବନ୍ଦିଲି ମୁଁ

ଦେଖି ଛଡ଼ାଇଲି ପାପ ।୯।

ପଦ୍ମପାଦେ ବନ୍ଦେ ଅଷ୍ଟାଦଶ ଚିହ୍ନ

ଦ୍ରଶନେ ହେଲି ମୁକତି

ଯେ ପାଦ ମହିମା ନ ଜାଣନ୍ତି ବ୍ରହ୍ମା

ଗଙ୍ଗା ହୋଇଛି ଗୁପତି ।୧୦।

ଯେହୁ ପାଦ ଲାଗି ଅହଲ୍ୟା ତରିଲା

ପାତାଳକୁ ଗଲା ବଳି

ସେହି ପାଦ ଗୋଟି କୈବର୍ତ୍ତ ଧୋଇଲା

ଚକ୍ରଶିରେ ନେଲା କାଳି ।୧୧।

କଟି ପୀତପଟ ଦିଶେ ଝଟଝଟ

ଘନେ ଯେସନେ ବିଜୁଳି

ତାପରେ କିଙ୍କିଣୀ ବାଜେ କିଣି କିଣି

ସର୍ବେ କୁରୁମ ଉଛୁଳି ।୧୨।

ନାଭିର ମହିମା କି ଦେବି ଉପମା

ଯେ ନାଭିରେ ପଦ୍ମଜାତ

ସେହି ପଦ୍ମପରେ ବ୍ରହ୍ମ ଯୋଗାସନ

ପୃଥିବୀ କଲେ ସମ୍ଭୂତ ।୧୩।

ହୃଦୟ ବିସ୍ତାର ଅତି ମନୋହର

ବିରାଜେ ଶ୍ରୀବତ୍ସ ଚିହ୍ନ

ଲମ୍ୱିତ ଯେ ହାର ଦିଶେକି ସୁନ୍ଦର

ମୃଗମଦ ଯେ ଚନ୍ଦନ ।୧୪।

ଚତୁର୍ଦ୍ଧା ମୂରତି ଶୋଭା ପାଉଛନ୍ତି

ଶଙ୍କ ଚକ୍ର ଗଦା ପଦ୍ମ

କଉସ୍ତୁଭ ମଣି ରାଜେ ଦିନମଣି

ବ୍ୟାପ୍ତ ଲଖ ଅଛି ଛଦ୍ମ ।୧୫।

ଶ୍ରୀମୁଖ ମଣ୍ଡଳ ଦିଶେ କି ସୁଢଳ

ପ୍ରକାଶେ ଯେହ୍ନେ କମଳା

ତିଳ ପୁଷ୍ପ ନାସା ବିରାଜି ଦିଶଇ

ବେନି ନେତ୍ର ଢଳହଳ ।୧୬।

ଭ୍ରୁଲତା ନିନ୍ଦଇ କନ୍ଦର୍ପ କୋଦଣ୍ଡ

ମଧ୍ୟେ ଗୋରଚନା ବିନ୍ଦୁ

ତଥି ପରେ ରାହୁରେଖା ଯେ ତିଳେକ

ନିନ୍ଦା କରେ ପୂର୍ଣ୍ଣଇନ୍ଦୁ ।୧୭।

ମସ୍ତକ ଉପରେ ମୟୂର ଚନ୍ଦ୍ରିକା

ବାମକୁ ପଡ଼ଇ ଢଳି

କାନରେ କୁଣ୍ଡଳ ଭାନୁର ମଣ୍ଡଳ

ପରାୟେ ଦିଶଇ ଝଳି ।୧୮।

ଠିକ ଠିକରେ ମୁଁ କଳଣା ଏତେକ

କି ବର୍ଣ୍ଣିବି ମୁର୍ଖଜନ

ଦ୍ୱିଜ ଗୋପାଳ ଏ ଗୀତରେ ରଞ୍ଚିଲେ

କଣ୍ଠେ ହୁଅ ସୁପ୍ରସନ୍ନ ।୧୯।

Image

 

ଗୋପୀନାଥଙ୍କ ବନ୍ଦନା

 

ହସ୍ତ ଯୋଡ଼ି ମୁହିଁ ପ୍ରଥମେ ବନ୍ଦଇ

ପ୍ରଭୁ ଗୋପୀନାଥ ଜୀଉ

କଣ୍ଠେ ବସି ମାତ ଭାନୁର ଦୁହିତ

ମନୋବାଞ୍ଛା ପୂର୍ଣ୍ଣ ହେଉ ।୧।

ଯୁଗଳାଙ୍ଗେ ମୁହିଁ ବନ୍ଦଣା କରୁଛି

ବୁଦ୍ଧି ମୋର ଅଟେ କିସ

ବୃନ୍ଦାବନବାସୀ ଭକ୍ତ ଛଳେ ଆସି

ବିଷ୍ଣୁପୁରେ କଲ ବାସ ।୨।

ଅରୁଣ ତରୁଣ ତଳିପା ଶୋଭନ

ଅଷ୍ଟାଦଶ ଚିହ୍ନ ଧରେ

ସେ ପାଦାରବିନ୍ଦ ଝରେ ମକରନ୍ଦ

ଭକ୍ତଜନ ପାନ କରେ ।୩।

ପାଦାଙ୍ଗୁଳି ନଖ ଦିଶଇ ଝଟକ

ଗଗନେ ନିନ୍ଦେ ବିଜୁଳି

ସେହି ନଖ କୋଣେ ଗଙ୍ଗାକୁ ଗୁପତି

କରିଅଛି ବନମାଳି ।୪।

ଚରଣ ଯୁଗଳ ନେପୁର ମଞ୍ଜୁଳ

ଋଣିତ ଶବଦ ଧୁନି

ସେ ଧୁନି ଶୁଣିଲେ ଭୁବନ ତରଳେ

ତରଳନ୍ତି ସୁରମୁନି ।୫।

ବୃଷଭାନୁ ଜେମା କି ଦେବି ଉପମା

ପାଦେ ଊନବିଂଶ ଚିହ୍ନ

ବାଜେଣି ନେପୁର ମୋହେ ତିନିପୁର

ମୋହିଲା ତା କୃଷ୍ଣମନ ।୬।

ଶୋଭା ପୀତପଟ ଦିଶେ କଟିତଟ

ତା’ ପରେ ଘଣ୍ଟି ଘାଗୁରି

କଳାମେଘେ ଖେଲା ଯେସନେ ଚପଳା

ଖଦ୍ୟୁତ ମାଳାକି ବେଢ଼ି ।୭।

ନାଭି ସୁଗଭୀର ଚାରୁ ମନୋହର

ତହିଁରୁ ଯେ ପଦ୍ମଜାତ

ସେ ପଦ୍ମରୁ ପ୍ରଭୁ ଧାତା ଜନମିଲେ

ବେଦରେ ହୋଇଛି ଖ୍ୟାତ ।୮।

ସେହି ନାଭିରୁ ଯେ ପାଦ ଏକ ଆଣି

କାହୁଁ ଜାତ କଲେ ହରି

ବଳିଶିରେ ସେହି ପାଦକୁ ଦେଇଣ

ପେଶିଲେ ପାତାଳପୁରୀ ।୯।

ଜୟମା କିଶୋରୀ ଭାନୁର କୁମାରୀ

ସୁଲଳିତ ବେନି ଯାନୁ

କିବା ତୁମ୍ୱି ଯୁଡ଼ି ଧାତା ଅଛି ଗଢ଼ି

ତେଜ ଗଞ୍ଜୁ ଅଛି ଭାନୁ ।୧୦।

ସିଂହ ମଝି ଜିଣି ଖିନ କଟିଠାଣି

ରଂଗଝୀନ ଶାଢ଼ୀ ଶୁହେ

ଚାଲନ୍ତେନ ଢଳି ପଡ଼ିବକି ଲୁଳି

ଜଗୁ ଜନମନ ମୋହେ ।୧୧।

ବେନି କୁଚ ଦମ୍ଭ କିବା ସୁଧା କୁମ୍ଭ

ଧାତା ବସାଇଛି ଆଣି

ତଥି ପରେ ହାରମାନ ଲୁଳିଅଛି

ଶମ୍ଭୁଶିରେ ଯେହ୍ନେ ଫଣି ।୧୨।

ବାହୁ କି ମୃଣାଳ ଅତି ହିଁ ସୁଢଳ

ବଳିଷ୍ଠ ବୃଶାଳ ବେନି

କଚଟି ବାହୁଟି ତାଡ଼ି ବାଜୁ ଘଣ୍ଟି

ଗଢ଼ିଛି କେଉଁ ବିନ୍ଧାଣି।୧୩।

ହସ୍ତରେ ବଳୟ କଙ୍କଣ ବିରାଜେ

ଅଙ୍ଗୁଷ୍ଟି ଯେ ଚମ୍ପା କଳି

ତହିଁରେ ମୁଦ୍ରିକା କନକ ଯଡ଼ାଉ

ଲଖ ନିନ୍ଦେ ବିହୁମାଳି ।୧୪।

ହୃଦୟ ବିସ୍ତାର ଶ୍ରୀବଚ୍ଛ ପୟର

ବିଚିତ୍ର ଚନ୍ଦନ ଶୁଭା

ତାପରେ ପଦ୍ମକ ଦିଶେ ଦକଦକ

କାମେନିଙ୍କ ମନଲୁଭା ।୧୫।

ମତ୍ତ କରିବର କରକୁ ନିନ୍ଦଇ

ବାହୁ ବେନି କି ସୁଢଳ

ବିରହ ବାଂଶରି ହସ୍ତେ ଅଗ୍ରଧରି

ମୁଦ୍ରିକା ସଂଗତେ ଦୁଳ ।୧୬।

ଚାରୁ କଣ୍ଠ ତଟ ମୁକୁତା କନକ

ଶୋଭା ଦିଶେ ବନମାଳି

ଋଞ୍ଜ ଗଞ୍ଜମାଳି ଦିଶୁ ଅଛି ଝଲି

ନିନ୍ଦେ ଭାନୁର ମଣ୍ଡଳି ।୧୭।

ଶ୍ରୀରଙ୍ଗ ଅଧର କେତେ ମନୋହର

ବିକଚ କମଳ ପ୍ରାୟେ

ନାସାପରେ ମଣି ଗୁରୁ ତାରାଜିଣି

ତ୍ରିଭୁବନ ମନ ମୋହେ ।୧୮।

ଶୋଭା ବେନି ଡୁଳ ଦିଶେ କି ସୁଢଳ

ଖେଳଇ ଯେହ୍ନେ ଲହରି

ଭ୍ରୁଲତା ଭଙ୍ଗିମା କି ଦେବା ଉପମା

କାମଧନୁ ନୁହେଁ ସରି ।୧୯।

ଜବା ପୁଷ୍ପ ନିନ୍ଦେ ଅରୁଣ ଅଧର

ମୁଖ କି ପୂର୍ଣ୍ଣମୀ ଶଶି

ଯେହ୍ନେ କ୍ଷୁଦ୍ର ମୋତି ଦିଶେ ଦନ୍ତପନ୍ତି

କୁନ୍ଦ କେ କରିଛି ବସି ।୨୦।

ନାସାର ବସଣି ମୋତି ସଙ୍ଗେ ମଣି

ନଥ ଦିଶେ ବିରାଜିତ

ଚଇତନ୍ୟ କଲି ତାପରେ ଟିକିଲି

ସିନ୍ଦୂର ବିନ୍ଦୁ ଶୋଭିତ ।୨୧।

କର୍ଣ୍ଣରେ ତାଟକ ଦିଶଇ ଝଟକ

ହାଟକରେ କି ଖଞ୍ଜଣି

ଭୁରୁ ଶକ୍ରଧନୁ ଅଳକା ମଣ୍ଡଳି

ନକ୍ଷତ୍ର ମାଳାକୁ ଜିଣି ।୨୨।

ସୁରଙ୍ଗ ଚିକୁର ଜିଣିଛି ମୁଦିର

ଘଟଣ ଓଲଟ ଖୋଷା

ତଥିପରେ ନାନ ପୁଷ୍ପ ଆଭରଣ

ମୋହ ହେଲେ ଗୋପ ଯୋଷା ।୨୩।

ତେରଛି ଚାହାଣି ତ୍ରିଭୁବନ ଜିଣି

କର୍ଣ୍ଣେ ମକର କୁଣ୍ଡଳ

ଲଲାଟେ ତିଳେଇ ଯେହ୍ନେ ରାହୁ ରେଖ

ଅଳକାକି ଅଳିମେଳ ।୨୪।

ମସ୍ତକରେ ଚୁଳ ଶିଖି ପୁଚ୍ଛମେଳ

କିରଙ୍ଗେ ବାମକୁ ଢଳି

ମୂରଲୀର ଧ୍ୱନି ମଧୁର ମଧୁର

ବଶ୍ୟକଲ ବ୍ରଜବାଳି ।୨୫।

ଏଣୀ କି ତାରଣ ଗଜ ଉଦ୍ଧାରଣ

ଚକ୍ରେ କଲ ନକ୍ତନାଶ

ତର୍କ ଛଳେ ଶକ୍ତି ବିବାଦରେ ଜିଣି

ସୁକ୍ର ନେତ୍ରେ ଦେଲେ କୁଶ ।୨୬।

ଯାହାର ମହିମା ସୁର ମୁନି ବ୍ରହ୍ମା

ହର ନପାଇଲେ କଳି

ଏବେ ମୁହିଁଛାର ମନୁଷ୍ୟ ମାତର

କି କଳିବି ବନମାଳି ।୨୭।

ତୁମ୍ଭ କୃପା ହେଉ ମୋହ ଦୁଃଖ ଯାଉ

ବାରେ ହୁଅ ସୁପ୍ରସନ

ଦ୍ୱିଜ ଗୋପାଳ ଦୁଃଖରେ ଜଣାଉଛି

ଶ୍ରୀ ପଦ୍ମ ଚରଣେ ଧ୍ୟାନ ।୨୮।

Image

 

Unknown

ସଭା ବନ୍ଦନା

 

ପ୍ରଥମରେ ମହିଁ ବାହାରିଣ

ସମସ୍ତଙ୍କୁ କରେ ଅଳି

ମାଆ ଯେ ମାଉସୀମାନଙ୍କୁ କହୁଛି

ଦିଅବାରେ ହୁଳହୁଳି ।୧।

ଅହ୍ୟସ୍ତିରୀମାନେ ପ୍ରେମ ଆନନ୍ଦରେ

ବଜାଇବ ତୁମେ ଶଙ୍ଖ

ହରିଧ୍ୱନି ଦିଅ ସଭାଜନମାନେ

ପାଇବାରେ ମୋର ଦୁଃଖ ।୨।

କାନତ ମୋହର ତଡ଼ା ପଡ଼ୁଅଛି

ଶୁଣି ଫସଫସ କଥା

ଶଙ୍ଖ ହୁଳହୁଳି ଦବାକୁ କିଏ ଯେ

ତୁଣ୍ଡ କରୁଅଛି ବଥା ।୩।

ପକ୍ଷପାତ୍ର ତୁମ୍ଭେ କେହି ନକରିବ

କହୁଅଛି ମୁହିଁ ଶୁଣ

ଶଙ୍ଖ ହୁଳାହୁଳି ଦିଅଗୋ ମାଉସୀ

ତୁମ୍ଭଝିଅ ଜ୍ୱାଇଁ ରାଣ ।୪।

ଶଙ୍ଖ ହୁଳାହୁଳି ସଭା‌ରେ ନଦେଲେ

ହୋଇବ ଜଳେ କୁମ୍ଭୀର

ଶ୍ୱାନ ପ୍ରାୟେ ଜିହ୍ୱା କାଢ଼ିଣ ବୁଲିବ

ଚାରିଯୁଗେ ଏ ମହୀର ।୫।

ଆଷାଢ଼ ମାସରେ ଆଷାଡ଼ୁଆ ଫଳ

ବଢ଼େ ଅଷାଢ଼ୁଆ ସରି

ହୁଳହୁଳି ଯିଏ ସଭାରେ ନଦେବ

ବଡ଼ ପୁଅ ତାର ମରି ।୬।

ସମସ୍ତଙ୍କୁ ମୁହିଁ ଅଳି କରୁଅଛି

ସଭାରେ କରିବା ନାଟ

ସ୍ୱର୍ଗ ମଞ୍ଚ ଯେ ପାତାଳ ବନ୍ଦୁଛି

ବନ୍ଦୁଛି ମୁଁ ଚାରି ଘାଟ ।୭।

ଦେବତା ବ୍ରାହ୍ମଣ ବୈଷ୍ଣବ ବନ୍ଦଇ

ଦିକ୍ଷାଗୁରୁ ଶିକ୍ଷାଗୁରୁ

ମାତା ପିତା ଆଦି ସକୂ ବନ୍ଦୁଛି

ବନ୍ଦୁଛି ଜଳାଦି ମେରୁ ।୮।

ସଭା ମଧ୍ୟେ କୁଳଦୀପ ବନ୍ଦୁଅଛି

ବନ୍ଦେ ପୁଷ୍କରଣୀ ତଟ

କୀଟୁ ବ୍ରହ୍ମଯାଏ ଠୁଳେ ବନ୍ଦୁଛି ମୁଁ

ଅହ୍ୟ ସ୍ତିରୀଙ୍କର ଜଟ ।୯।

ବାଣ ସିଘାଂର ଯେ ସମସ୍ତ ବନ୍ଦୁଛି

ବନ୍ଦୁଛି ଗୁଣି ଗାଏକ

ବାରେ ମାତ୍ର ମୋତେ ଅନୁଗ୍ରହ କର

ମାଗୁଣି ମୋର ଏତକ ।୧୦।

ପଦ ମଧ୍ୟେ ବନ୍ଦେ ଭାର ଯେ ସଭାର

ପରସୁ କେଦାର ପଦ

ଅଜାଣ ସୁଜାଣ ବୀର ବାହୁ ବନ୍ଦେ

ଯେତେ ଅଛି ଛେଦ ଭେଦ ।୧୧।

ବସୁଧାକୁ ମୁହିଁ ବନ୍ଦଣା କରୁଛି

ବହିଅଛି ସର୍ବଭାରା

ଚନ୍ଦ୍ର ସୂର୍ଯ୍ୟଙ୍କୁ ଯେ ବନ୍ଦଣା କରଇ

ବନ୍ଦୁଛି ଆକାଶ ତାରା ।୧୨।

ସର୍ବେ ବାରେ ମୋତେ ଅନୁଗ୍ରହ କର

ଗାୟନ କରିବି ଗୀତ

ହରିଧ୍ୱନି କର ସଭା ସର୍ବଜନ

ଦ୍ୱିଜ ଗୋପାଳ ରଚିତ ।୧୩।

Image

 

ଅଶ୍ୱ ବନ୍ଦନା

 

ଜୟ ଜୟ ଅଶ୍ୱବର

ଜୟ ତ ମୂରତି

ରାଜାମାନଙ୍କର ଥାଟେ

ଅଟୁ ସେନାପତି ।୧।

ସତ୍ୟ ଯୁଗେ ଦେବାସୁର

ଭୟରେ ଯେ ମିଳି

ବାରଧି ମନ୍ଥନ କଲେ

ପକାଇଣ ଗିରି ।୨।

ତହିଁ ମନ୍ଥନରୁ ଜନ୍ମ

ଉଚ୍ଚଶ୍ରବା ଅଶ୍ୱ

ଅତି ବଳବାନ ୟେହୁ

ନାମ ମହାଅଶ୍ୱ ।୩।

ତାହାର ଅଂଶରୁ ଜାତ

ଅଷ୍ଟ ଅଶ୍ୱ ହୋଇ

ସୂର୍ଯ୍ୟ ଆଦି ଦିଗପାଳ

ପାଳନ୍ତି ତାକୁ ନେଇ ।୪।

ଯେବଣ ଅଶ୍ୱ ଗୋଟିକ

ନେଲେକ ବରୁଣ

ପୀରଭଦ୍ରା ନାମ ତାର

ଦେଲେ ଚଉନାନ ।୫।

ଯୁଗେ ଯୁଗେ ଅମର ଯେ

ଅକ୍ଷୟ ମହିମା

ବରଯାଚି ଦେଇଛନ୍ତି

ହରିହର ବ୍ରହ୍ମା ।୬।

ଯୁଦ୍ଧକାଳେ ସୁମଙ୍ଗଳେ

ହେଉଛୁ ବରଣ

ସର୍ବକାର୍ଯ୍ୟ ସିଦ୍ଧିକରୁ

ବାଜି ତୋର ନାମ ।୭।

ସେହି ସତ୍ୟ ଯୁଗେ ଦାସ

ରାଜା ଯେ ଉତ୍ପତ୍ତି

ବରୁଣ ସଙ୍ଗତେ ଯୁଦ୍ଧ

କରି ଆଣିଛନ୍ତି ।୮।

ଜୟ ଜୟ ଅଶ୍ୱବର

ମୁଁ ତୋର ଶରଣ

ବିପଦ କାଳରେ କରୁ

କଷ୍ଟ ବିନାଶନ ।୯।

ଶ୍ୱେତ ପୀତ ଗଉର ଯେ

ଧବଳ ତୋ ବର୍ଣ୍ଣ

ଭୂତ ପ୍ରେତ ପିଶାଚ ଡରନ୍ତି

ଶୁଣି ସ୍ୱନ ।୧୦।

ମସ୍ତକ ଗୁଟିକ ତୋର

କରୁଅଛୁ ଇଷ୍ଟ

ଗଣ୍ଡି ତୋ ସମ୍ୱରେ ପଡ଼ି

ହୋଇଅଛି ନଷ୍ଟ ।୧୧।

ଧାତାଙ୍କ ବଂଶରୁ ଜାତ

ହେଲା ବସନ୍ତରୁ

ତୋ ଗଣ୍ଡି ସର୍ଜନା କହି

ତହିଁର ମଧ୍ୟରୁ ।୧୨।

ଏହି ରୂପେ ଯୁଗେ ଯୁଗେ

ହେଲୁ ଉତପତି

ଅଶ୍ୱ ଅବତାର ତୋର

ପୃଥିବୀରେ କ୍ଷାତି ।୧୩।

ତ୍ରେତୟା ଯୁଗରେ ଥିଲା

ପାବନ ଧୀବର

ତୁହି ଅଶ୍ୱ ପ୍ରବେଶିଲୁ

ତାହାର ମନ୍ଦିର ।୧୪।

ଅଷ୍ଟ ଅଇଶୁର୍ଯ୍ୟ ଦେଲୁ

କୁବେର ସମ୍ପତ୍ତି

ପ୍ରସନ୍ନ ହୋଇଣ ବର

ଦେଲେ ଦାସରଥି ।୧୫।

ଦ୍ୱାପର ଯୁଗରେ ତୋର

ମହିମା ଅଶେଷ

ସୁଦାମ କୈବ୍ରତ ଘରେ

ହେଲୁ ବାରୁଅଶ୍ୱ ।୧୬।

ସିଂହଳ ଦେଶରେ ଯେ

ଅଟଇ ତାର ଘର

ସହୀ କ୍ଷେତ୍ରୀ ଅଟଇ ଯେ

ଯୁଦ୍ଧେ ବଳିଆର ।୧୭।

କଳି ଯୁଗେ ଯେତେ ରାଜା

ଜଗତେ ବିଖ୍ୟାତ

ସବୁଙ୍କର ଥାଟରେ

ହୁଅଇ ମଧ୍ୟପାତ୍ର ।୧୮।

ଯେ ଯାହା ବାଞ୍ଛଇ ପୂର୍ଣ୍ଣ

କରୁ ତା କାମନା

ତ୍ରିପୁରେ ଉଡ଼ଇ ତୋର

ଶତ୍ରୁଜିତ ବାନା ।୧୯।

କୈବ୍ରତମାନଙ୍କ ଇଷ୍ଟ

ଅଟୁ ତୁ ସଂସାରେ

ବାରେ ମାତ୍ର ଅନୁଗ୍ରହ

କର ମୋହଠାରେ ।୨୦।

ସତ୍ୟଯୁଗେ ପୀରଭଦ୍ରା

ନାମ ଅଟେ ତୋର

ତ୍ରେତୟାରେ ନାମ ଅଟେ

ତ ଭ୍ରମର ବର ।୨୧।

ଦ୍ୱାପର ଯୁଗରେ ନାମ

ଅଟେ ଜୟ ଅଶ୍ୱ

କଳି ଯୁଗେ ନାମ ତୋର

ବିଜୟା ପ୍ରକାଶ ।୨୨।

ଅଶ୍ୱିନୀ ତୁରଗ ବାଜି

ନାମ ତୁରଙ୍ଗମ

ହୟ ଯେ ଘୋଟକ ମୟ

ସପ୍ତତ ପ୍ରଧାନ ।୨୩।

ଏତେ ଗୋଟି ନାମ ବାଛି

ଦେଲେ ବେଦବର

ମୁହିଁତ ହର ଅଧିନ

ଶରଣ ତୋ ଠାରେ ।୨୪।

ପ୍ରଥମ ଦିନରେ ମୁହିଁ

କରୁଛି ବନ୍ଦଣା

ଧୂପଦୀପ ନଇବେଦ୍ୟ

କରିଣ ଆର୍ଧନା ।୨୫।

ସବୁ ଜଏ କରି ମୋର

କଣ୍ଠେ ବିଜେକର

ତୋର ନାମ ଧରି ମୁହିଁ

ଭ୍ରମୁଛି ସଂସାର ।୨୬।

ମୁହିଁ ହୀନ ମୃଖଜନ

କିସ ମୋର ବୁଦ୍ଧି

ଖୁରାପେନି ବାହି ଲୋଡ଼େ

ଅଥଳ ବାରିଧି ।୨୭।

କହଇ ଦ୍ୱିଜ ଗୋପାଳ

ଯୋଡ଼ି ବେନି କର

ମେଲାଣି ନେଉଛି ବାରେ

ହରି ଧୁନି କର ।୨୮।

Image

 

ମଙ୍ଗଳାଚରଣ

।। ୧ ।।

 

 

ଦିନେ ଚନ୍ଦ୍ରାବଳୀ ଘେନି ବ୍ରଜବାଳୀ

 

ଯମୁନା ଜଳକୁ ଗଲେ

 

ନନ୍ଦର ନନ୍ଦନ ବରଜ ମୋହନ

 

କଦମ୍ୱ ମୂଳେ ଭେଟିଲେ ।୧।

କହ୍ନାଇ–

କହନ୍ତି କହ୍ନାଇ ଶୁଣ ଆଲୋ ମାଈଁ

 

ନିତି ଯାଅ ଲୁଚି ଲୁଚି

 

ଏକା ତୁମ୍ଭ ପାଇଁ ଜଗିଅଛି ମୁହିଁ

 

କ୍ଷୁଧା ନିଦ୍ରା ନାହିଁ କିଛି ।୨।

ଚନ୍ଦ୍ରାବଳୀ–

କି ଦେବୁ କି କାହ୍ନୁ ଜଗିଛୁ କେଦିନୁ

 

କାହିଁକି ଏତେ ସରାଗ

 

ତୁ ବାଙ୍କ ଚୁଲିଆ କଦମ୍ୱ ମୂଳିଆ

 

ଜାତି କଳା ଚିତି ନାଗ ।୩।

କହ୍ନାଇ–

ଶୁଣ ଆଲୋ ମାଈଁ ବସନ ଘୋଡ଼ାଇ

 

ଢାଙ୍କି ରଖିଅଛୁ କିସ

 

ବସନ ତ ସେଠି ଯାଉଅଛି ଦିଶି

 

ଫଳ କି ଅଟଇ ପୁଷ୍ୟ ।୪।

ଚନ୍ଦ୍ରାବଳୀ–

ସେ ତ ଯେଉଁ ଫଳ ଅତି ହିଁ ସୁଢଳ

 

ଦଇବ ଗଢ଼ିଛି ତାକୁ

 

ଜମ୍ୱିର ଶ୍ରୀଫଳ ତାଳରୁ ରସାଳ (କହ୍ନାଇରେ)

 

ବାଇକରେ ପୁରୁଷଙ୍କୁ ।୫।

କହ୍ନାଇ–

ଦିଶୁଅଛି ଫୁଟି ଶାଢ଼ୀ ତ ଚହଟି

 

ଯେ ରୂପେ ଯୋଡ଼ି ଡାଳିମ୍ୱ

 

ରବି କିରଣକୁ ଝଟକି ଦିଶୁଛି

 

ଯେସନେ ପାଚିଲା ଆମ୍ୱ ।୬।

ଚନ୍ଦ୍ରାବଳୀ–

ଡାଳିମ୍ୱ ହୋଇଲେ ଡାଳେ ଓଳିଥାନ୍ତା

 

ଆମ୍ୱରେ ଥାନ୍ତା ଟାକୁଆ

 

ଅପୂର୍ବ ସୁରଙ୍ଗ ଫଳରୁ ତା ରଙ୍ଗ

 

ଖାଇଲେ ବଞ୍ଚନ୍ତି ଛୁଆ ।୭।

କହ୍ନେଇ–

ମୁଁ ତ ଗୋଟେ ଛୁଆ ରଖିଅଛୁ ଯାହା

 

ଦେଖୁ ମୋ ନୟନ ଦେଖା

 

କଷା କି ମଧୁର କି ମଜା ତହିଁର

 

ଥରେ ଭଲା ମୋତେ ଚଖା ।୮।

ଚନ୍ଦ୍ରାବଳୀ–

କେ ଦିନୁ ଏ ବୁଦ୍ଧି ଶିଖିଲୁ ଅବଧି

 

ଶୁଣ ଆରେ ନନ୍ଦ ବଛି

 

ପର ସ୍ତିରୀକୁ ତୁ କାହିଁକି ପଚାରୁ

 

ତୋ ମାତା ପାଖରେ ଅଛି ।୯।

କହ୍ନେଇ–

ଜନମ କାଳରୁ ବଢ଼ିଅଛି ମୁହିଁ

 

କରି ମାତା କ୍ଷୀର ପାନ

 

ମାମୁଁ ଯେଉଁ ସ୍ତନ ହସ୍ତରେ ଧରଇ

 

ଥରେ କରା ଦରଶନ ।୧୦।

ଚନ୍ଦ୍ରାବଳୀ–

କାଲି ପିଲାଖଣ୍ଡ କେଦିନ ଦୃଦଣ୍ଡ

 

ଏ ବୁଦ୍ଧି ଶିଖୁଲୁ କାହୁଁ

 

ଆପାଣାର ନାହିଁ ପର ପଦାର୍ଥକୁ

 

କି ଶରମେ ଟେକି ଚାହୁଁ ।୧୧।

କହ୍ନେଇ–

କହୁଅଛି ମୁହିଁ ଶୁଣ ଆଲୋ ମାଈଁ

 

ଏ ଫଳ ଯୋଡ଼ିକ ତୋର

 

କିଏ ସେ ଗଢ଼ିଲା କି ରୂପେ ବଢ଼ିଲା

 

କିସ ଅଛି ତା ମଧ୍ୟର ।୧୨।

ଚନ୍ଦ୍ରାବଳୀ–

ଆଦ୍ୟେ ବାନ୍ଧି ମଞ୍ଚା ହୋଇଲାକି ଉଞ୍ଚା

 

ଅଳପେ ଟେକିଲା ଚୂଳି

 

କ୍ରମେ ବଢ଼ି କରି ବ୍ରିହି ଫଳ ପରି

 

ହୋଇଲା ବଦରି କୋଳି ।୧୩।

କହ୍ନେଇ–

ଶୁଣଲୋ ଛଟକି କି ରୂପେ ଝଟକି

 

ହୋଇଲା ଏତେ ବୃଷାଳ

 

ଦେଖିଲା ବେଳୁ ମୋ ମନୁ ଯାଉନାହିଁ

 

ଦିଶୁଛି ଯେହ୍ନେ ଶ୍ରୀଫଳ ।୧୪।

ଚନ୍ଦ୍ରାବଳୀ–

ଫୁଟିବାରୁ ପୁଷ୍ପ ଡାଳିମ୍ୱ ସାଦୃଶ

 

ଦୂରକୁ ଦିଶିଲା ଝଳି

 

ଯେଉଁଦିନୁ ପାଣି ତହିଁରେ ଲାଗିଲା (କହ୍ନେଇରେ)

 

ହୋଇଗଲା ଏଡ଼େ ଭଳି ।୧୫।

କହ୍ନେଇ–

ତୋତେ ମୋହ ରାଣ କହୁଅଛି ଶୁଣ

 

ଲାଗୁଅଛି ବଡ଼ ଭୋକ

 

ଦିନେ ମାଈଁ ତୋର ଦୁଧ ନଖଇଲୁ

 

ଦିନେ ତୁ ନକଲୁ କାଖ ।୧୬।

ଚନ୍ଦ୍ରାବଳୀ–

ଯିବାକୁ ପାଣିକି ଉଛର ହେଉଛି

 

କାହିଁଏକି କରୁଛୁ ଝିଟ

 

ତୋ ମାତା ଆଗର କହିବି ଆଜିର

 

ପିଠିର ବସିବ ଛାଟ ।୧୭।

କହ୍ନେଇ–

ଜାତି ଗୋପାଳୁଣୀ ତୁମ୍ଭେ ଦୋଚାରୁଣୀ

 

କେବେ ମୁଁ ଛାଡ଼ିବି ନାହିଁ

 

ରାଧାକୃଷ୍ଣ ପାଦେ ଶରଣ ମାଗିଣ

 

ଦ୍ୱିଜ ଗୋପାଳ କହଇ ।୧୮।

 

।। ୨ ।।

 

ଏଥୁ ଅନ୍ତେ ଶୁଣ ଅପୂର୍ବ ବିଧାନ

ଗଲେ ସର୍ବେଗୋପବାଳୀ

କୂଳେ ବସ୍ର ଥୋଇ ଜଳ ମଧ୍ୟେ ଯାଇ

ଆରମ୍ଭିଲେ ଜଳକେଳି ।୧।

ମାୟାଧର ପ୍ରଭୁ ମାୟା ଆରମ୍ଭିଲେ

କଦମ୍ୱଡାଳରେ ରହି

ଗୋପୀଙ୍କ ବସନ ଚୋରାଇଣ ନେଲେ

ପବନକୁ ଆଜ୍ଞା ଦେଇ ।୨।

ସାରି ଜଳକେଳି ଗୋପର ଗୋଆଳି

କୂଳକୁ ଦେଲେ ଅନାଇଁ

ଦେଖିଲେ ବସନ ନାହିଁ ତ କୂଳେଣ

ଏକୁ ଆରେ କୁହାକୁହି ।୩।

ବିଚାରିଲେ ବାଟେ କରୁଥିଲା ଝିଟ

ଡକାଇତ ନନ୍ଦକହ୍ନା

ବସ୍ରକୁ ଆମ୍ଭର ଚୋରି କରି ନେଇ

ବୃକ୍ଷେ ବାନ୍ଧିଲାଣି ବାନା ।୪।

ବୋଲନ୍ତି କହ୍ନାଇ ଶୁଣ ଆଲୋ ମାଈଁ

ଅଲଜ୍ଜ୍ୟା ଗୋପ ଗୋଆଳୀ

ଜଳରେ ପଶିଛ ଉଲଗ୍ନ ହୋଇଛ

ତୁମ୍ଭେ ଏଡ଼େ ବାରୁଆଳୀ ।୫।

ଆରେ ନନ୍ଦଚାଟ ତୁତ ଏଡ଼େ ଝୀଟ

କାଳକ ଅଟୁତୁ ଚୋର

ଖିର ଲୁଭେ ତୁହି ପୁତନା ନାଶିଲୁ

ସ୍ତିରୀ ହତ୍ୟା ତୋ କର୍ମର ।୬।

ତୁମ୍ଭେ ସ୍ତିରୀ ଜାତି ଅଟ ଯେ ଅନୀତି

ତୁମ୍ଭର କି ଧର୍ମ କର୍ମ

ତେଜି ନିଜ ପତି କର ପରେ ପ୍ରୀତି

ପୋଡ଼ୁ ତୁମ୍ଭ ସ୍ତିରୀ ଜନ୍ମ ।୭।

ମାତା ତୋର ପେଟୀ ଗୋବର ସାଉଁଟି

ବାବା ଜଗେ ସମଶାନ

ତାର ପୁତ ତୁହି କହୁଛୁ ବଢ଼ାଇ

ନେଇ ପାଲଟା ବସନ ।୮।

ଆଲ ନିଲକ୍ଷଣୀ ଶୁଣ ଦୋଚାରୁଣୀ

ଧିକ ତୁମ୍ଭ ସ୍ତିରୀ ଜାତି

ଦିବସେ ଉଲଗ୍ନ ଜାନୁ ଯଉବନ

ଦେଖିଲେ ତ ଛାୟାପତି ।୯।

ରେ ନନ୍ଦକୁମର ଧରୁଅଛି କର

ନକର ଆଉ ଜଞ୍ଜାଳ

ଶୁଣିଲେ ନଣନ୍ଦ ଲଗାଇବେ ଦ୍ୱନ୍ଦ

ଉଛର ହେଉଛି ବେଳ ।୧୦।

କିସ କହୁଅଛି ପଞ୍ଚାଳ କରୁଛ

କି ଦେବି ତୁମ୍ଭଙ୍କୁ ମୁହିଁ

ପବନ ତୁମ୍ଭର ବସ୍ର ନେଇଅଛି

ମୋତେ କହୁଛ କିମ୍ପାଇ ।୧୧।

ଦିଅତୁ ବସନ ଆରେ ନନ୍ଦକାହ୍ନ

ମାଗିବୁ ପଛେ ତୁ ଯାହା

କରୁଅଛୁ ସତ୍ୟ ଶୁଣ ଗୋପୀନାଥ

ନିଶ୍ଚେ ଆମ୍ଭେ ଦେବୁ ତାହା ।୧୨।

ମୁହିଁତ ନାଟୁଆ ଜନମ ଖଚୁଆ

ତହିଁକି ମୋ ଲଜ୍ଜା ନାହିଁ

ଯେବେ ବସ୍ର ନେବ ଗୃହକୁ ଚଳିବ

ଜଣେ ଯାଅ ବନ୍ଧା ଦେଇ ।୧୩।

ତୁହିକି ହଟିଆ ଏତେ କପଟିଆ

କାହିଁକି କରୁଛୁ ନିନ୍ଦା

କେଉଁ ସାହାସ୍ରର ଶୁଣିଛୁ କର୍ଣ୍ଣର

ପୁରୁଷକୁ ସ୍ତିରୀ ବନ୍ଧା ।୧୪।

ତହିଁର ବିଧାନ କହୁଅଛି ଶୁଣ

ଏ ଅଟେ ରାମାୟଣରେ

ଆପଣା ସ୍ତିରୀକୁ ରାଜା ହରିଶ୍ଚନ୍ଦ୍ର

ବ୍ରାହ୍ମଣକୁ ବନ୍ଧା ଦେଲେ ।୧୫।

ଯେବେ ୟେ ପ୍ରକାର କହିଲୁ ଆଜିର

ପାଳିଲୁଟି ଆମ୍ଭେ ସତ୍ୟ

ଦିଅତୁ ବସନ ଆରେ ନନ୍ଦକାହ୍ନ

ବେଳ ହେଉଅଛି ଅସ୍ତ ।୧୬।

ଶୁଣ ଲୋ ଗୋଆଳି ତୁମ୍ଭେ ବାରୁଆଳୀ

ଦେଖାଇଲ ମୋତେ ଯୋନୀ

ଦିବସେ ପୁରୁଷ ଦେଖିଲେ ଏ ବେଶ

ଆୟୁଷ ହୁଅଇ ହାନି ।୧୭।

କାହ୍ନୁ ଘରବୁଡ଼ା ନକର ଝଗଡ଼ା

ତୋହ ମାତା ପିତା ରାଣ

ବସନ ଦେଇଣ ଲଜ୍ଜାକୁ ନିବାର

ଧରୁଛୁ ତୁମ୍ଭ ଚରଣ ।୧୮।

ଯେବେ ଏତେ ଅଳି କରୁଛ ଗୋଆଳୀ

କଲ ବଡ଼ ଅବିଚାର

ଜଳରୁ ବାହାରି ହସ୍ତ ଯୋଡ଼ି କରି

ସୂର୍ଯ୍ୟଙ୍କୁ କର ଜୋହାର ।୧୯।

ଚନ୍ଦ୍ର ସୂର୍ଯ୍ୟ କିସ ନଜାଣୁ ଭବିଷ୍ୟ

ତୁମ୍ଭେ ଅଟଆମ୍ଭ ଗୁରୁ

ତୋତେ ପଛେ କାହ୍ନୁ ଜୁହାର ହେଉଛି

ଉଦ୍ଧାର କର ଲଜ୍ଜାରୁ ।୨୦।

ଯେବେ ଗୋ ଆକୁଳ ହେଉଛ ସକଳ

ବେନିହସ୍ତ ପାତି ମାଗ

ଶର୍ମ କରି ମର୍ମ ସ୍ଥାନେ ହସ୍ତ ଦେଲେ

କେଭେ ନମେଣ୍ଟେ ଗୋ ରାଗ ।୨୧।

ହେଲା ତୋହ କଥା କଲାଣି ବିଧାତା

ଦିଅ ଏବେ ଆମ୍ଭ ବସ୍ର

ବେନି ହସ୍ତ ପାତି ମାଗୁଛୁ ଶ୍ରୀପତି

ରହୁପଛେ ତୋର ଯଶ ।୨୨।

ଗୋପୀଙ୍କ ବଚନ ଶ୍ରୀହରି ଶୁଣିଣ

ମନରେ ହୋଇ ହରଷ

ଷୋଳ ସସ୍ର ଗୋପୀ ଉଭା ହୋଇଛନ୍ତି

ସକଳେ ହୋଇ ବିବସ୍ର ।୨୩।

ଦେଲେ ବସ୍ତ୍ର ଆଣି ତାଙ୍କୁ ବେଣୁ ପାଣି

ଦେଖି ଯାନୁ ଯଉବନ

ଦ୍ୱିଜ ଗୋପାଳ ଏ ଗୀତରେ ରଞ୍ଚିଲେ

କେଳି କଲେ ବୃନ୍ଦାବନ ।୨୪।

Image

 

କୈବର୍ତ୍ତ ଜନ୍ମବୃତ୍ତାନ୍ତ

 

ପ୍ରଶ୍ନ :

 

 

ଶୁଣରେ ରାଉତ ଅପୂର୍ବ ଚରିତ

 

ତୁ ସେ ପରା କଇବ୍ରତ

 

ଆପଣା ଜନମ କଥା ପଚାରୁଛି

 

କହିବ କରିଣ ତଥ୍ୟ ।୧।

 

ସମସ୍ତେ ବୋଲନ୍ତି ବିଷ୍ଣୁ କର୍ଣ୍ଣମୂଳୁ

 

କର୍ଣ୍ଣିକାର ଜାତ ହେଲା

 

ଦାସରାଜା ଠାରୁ ଜଗତ ମଧ୍ୟରେ

 

ସବୁ କ୍ରୀତି ପ୍ରକାଶିଲା ।୨।

 

ତହିଁର ଆଦ୍ୟରୁ ପଚାରୁଛି ମୁହିଁ

 

ବ୍ରହ୍ମ ପ୍ରଳୟର କଥା

 

ବ୍ରହ୍ମ କୈବର୍ତ୍ତ ଯେ କାହୁଁ ଜନମିଲା

 

କହିବ ତହିଁ ବ୍ୟବସ୍ଥା ।୩।

 

ସେ ବ୍ରହ୍ମ କୈବର୍ତ୍ତ କାହିଁରୁ ସମ୍ଭୂତ

 

କେହୁ ମାତା ପିତା ତାର

 

କିସ ତାର ନାମ କୁହ ଏ ବିଧାନ

 

କେଉଁ ଦେଶେ ଥିଲା ଘର ।୪।

 

କେଉଁ ଦେବତାର ଅଟଇ ପ୍ରଚାର

 

କେହୁ ଦେଲା ଯଜ୍ଞସୂତ୍ର

 

କେଉଁ ସେବା କରି ସେ ବ୍ରହ୍ମ କୈବର୍ତ୍ତ

 

ସାଞ୍ଚିଥିଲା କେଉଁ ମନ୍ତ୍ର ।୫।

 

କେତେ ଖିଅ ସଂଖ୍ୟା ପଇତା ତାହାର

 

କେ କଲା ତାକୁ ତ୍ରିଗୁଣ

 

କେହୁ ଦେଲା ଚଣ୍ଡୀ ମତେ କହିବଟି

 

ମନ୍ତ୍ରୀ ଥିଲା କେ ବ୍ରାହ୍ମଣ ।୬।

 

ସେ ଯଜ୍ଞ ସୂତ୍ରରେ କେତେକ ଦେବତା

 

ଗ୍ରନ୍ଥି ମଧ୍ୟେ ଥିଲେ ରହି

 

ସେହି ଯଜ୍ଞସୂତ୍ର କାହୁଁ ଜନମିଛି

 

ଏଥିଦେବ ମତେ କହି ।୭।

 

କେବଣ ବେଦଟି କୈବତ୍ରମାନଙ୍କ

 

ଅଟଇ ସଂଖ୍ୟା ପ୍ରମାଣ

 

ଯଜ୍ଞସୂତ୍ର ଏବେ କାହିଁ ନୁଚାଇଲେ

 

କହିବ ଏହି ବିଧାନ ।୮।

 

କରି କେଉଁ ପାପ ପାଇ କାହା ସାପ୍ୟ

 

ହୋଇଲେକ ନୀଚ କୁଳ

 

ଏଥିର ସନ୍ଦେହ ମନକୁ ଲାଗୁଛି

 

କହିବ କଥାର ମୂଳ ।୯।

 

ବେଣୁ ଦଣ୍ଡ ସେ କୈବତ୍ର ଜୀବିକା

 

ହୁଅଇ ସେ ଜାଲ ଦଣ୍ଡ

 

ଅମ୍ୱର ପଞ୍ଜର ବାନ୍ଧନ୍ତି ତହିଁର

 

ଆଲମ କରି ପ୍ରଚଣ୍ଡ ।୧୦।

 

ତହିଁ ଡାଳ ନେଇ ବ୍ରାହ୍ମଣ କିମ୍ପାଇ

 

ବାର ବ୍ରତରେ ପୂଜନ୍ତି

 

ବେଦ ପୂଜା ଦିନ ସ୍ତରୀମାନେ ତାକୁ

 

କିମ୍ପାଇ ଜଳେ ପୋତନ୍ତି ।୧୧।

 

ଆବର ପଚାରୁ ଅଛି ଏବେ ଶୁଣ

 

ସନ୍ଦେହ ଲାଗିଲା ମନେ

 

ଅଠର ବର୍ଣ୍ଣର ଗୁରୁ ଯେ ବ୍ରାହ୍ମଣ

 

ରାଜା ଯେ ଛତିଶ ବର୍ଣ୍ଣ ।୧୨।

 

ଯେଉଁ ଅଷ୍ଟାଦଶ ବର୍ଣ୍ଣରେ ବ୍ରାହ୍ମଣ

 

ଗୁରୁ ଯେ ଅଛନ୍ତି ହୋଇ

 

ତାଙ୍କ ନାମ କିସ କୁହ ହେ ଭବିଷ

 

ଛତିଶ ବର୍ଣ୍ଣ ବୁଝାଇ ।୧୩।

 

ନିଚ କେତେ ଜାତି ଉଚ୍ଚ କେତେ ଜାତି

 

କେତେ ଅଟନ୍ତି ଅସ୍ପର୍ଶି

 

ଏଥିମଧ୍ୟରୁ ଯେ କେଉଁ ଜାତି ସଙ୍ଗେ

 

କୈବର୍ତ୍ତ ଅଛନ୍ତି ମିଶି ।୧୪।

 

ପ୍ରଳୟ କାଳରେ କେବଣ ଅଶ୍ୱ ଯେ

 

ଆଦ୍ୟରେ ସର୍ଜନା ହେଲା

 

ସେ ଅଶ୍ୱ ଗୋଟିକ କାହାଠାରୁ ଜାତ

 

କେଉଁଠାରେ ସେ ରହିଲା ।୧୫।

 

ଚାରି ପାଦ କିମ୍ପା ହୋଇଲା ତାହାର

 

ଲାଙ୍ଗୁଳରେ ରୁମାବଳୀ

 

ନିଶାଚର ମାନେ ତାହାକୁ କିମ୍ପାଇ

 

ଦେଖିଲେଣ ଭୟ କରି ।୧୬।

 

ଅଶ୍ୱ ବୋଲି କରି କିମ୍ପା ହେଲା ନାମ

 

କେହୁ ବା ବୋଲନ୍ତି ବାରୁ

 

ଘୋଡ଼ା ବୋଲି ତାକୁ କାହିଁକି ବୋଲନ୍ତି

 

କେଉଁ କର୍ମ କରିବାରୁ ।୧୭।

 

ତାହାପରେ କିମ୍ପା ସକଳେ ଚଢ଼ନ୍ତି

 

କି ପାପ ଥିଲା ତାହାର

 

କେତେ ଗୋଟି ଅଶ୍ୱ ଆଦ୍ୟରେ ଜନମ

 

କହିଦେବ ଏ ସଭାର ।୧୮।

 

କେଉଁ ଅଶ୍ୱ ଗୋଟି ପ୍ରଳୟ କାଳରେ

 

ସମୁଦ୍ରରେ ଥିଲା ରହି

 

ମନ୍ଥନ କାଳରେ ଉଚ୍ଚେସର୍ବା ଅଶ୍ୱ

 

ନାମ ତା ହେଲା କିମ୍ପାଇ ।୧୯।

 

ଅଧିକ କହିଲେ ହେବ ଗୋଳମାଳ

 

ପଚାରୁ ଅଛି ଏତେକ

 

କଙ୍କଣ ଶିଳାକୁ କାଟିବାକୁ କାହିଁ

 

ସମର୍ଥ ହେବ ଜଳକ ।୨୦।

 

ସ୍ତିରୀଙ୍କ ଆଗରେ ପ୍ରଶଂସା କୁହନ୍ତି

 

ଆପଣା ରାଜ୍ୟରେ ଯାଇ

 

ନ କହି ପାରିଲେ ଘୋଡ଼ା ଛାଡ଼ିଦିଅ

 

ଦ୍ୱିଜ ଗୋପାଳ କହଇ ।୨୧।

 

ଉତ୍ତର-୧

 

 

ଏ ବ୍ରହ୍ମ ସଭାରେ ଦେବ ବ୍ରାହ୍ମଣଙ୍କୁ

 

ଯୋଡ଼ୁ ଅଛି ମୁହିଁ କର

 

ଏ ବ୍ରହ୍ମ ସଭାରେ କହିବାକୁ ମୋତେ

 

ମାଡ଼ୁଅଛି ବଡ଼ ଡର ।୧।

 

ବ୍ରହ୍ମ ପ୍ରଳୟ ଯେ ଯେଉଁ କାଳେ ହେଲା

 

ସଂସାରେ ନଥିଲେ କେହି

 

ଚବିଶ ପାତାଳେ ଘୋଟିଲା ସଲୀଳ

 

ଶୂନ୍ୟେ ଅଣାକାର ଥାଇ ।୨।

 

ଶୂନ୍ୟ ଶୂନ୍ୟ ସେ ଯେ ଅଟେ ମହାଶୂନ୍ୟ

 

ଷୋହଳ ଶୂନ୍ୟ ଉପର

 

ଅର୍ଦ୍ଧ ମାତ୍ର ପରେ କରି ଯୋଗନିଦ୍ରା

 

ଥାନ୍ତି ପ୍ରଭୁ ଅଣାକାର ।୩।

 

ଦିନେ ନିଦ୍ରା ତେଜି ଦେଲେକ ଅନାଇ

 

ଘୋଟିଛି ପ୍ରଳୟ ଜଳ

 

ବ୍ରହ୍ମ ମଧ୍ୟେ ପ୍ରଭୁ କରନ୍ତି ବିଚାର

 

ପଡ଼ିଲାକ ସ୍ୱେଦ ଝାଳ ।୪।

 

ଝାଳ ଜଳେ ଗଡ଼ି ବେନି ଫାଳ ହୋଇ

 

ବେନି ରୂପ ଜନମିଲେ

 

ଏକ ଗୋଟି ଅଶ୍ୱ ଏକୋଇ ପୁରୁଷ

 

ଭାସିଲେ ପ୍ରଳୟ ଜଳେ ।୫।

 

ଅଶ୍ୱର ଉପରେ ଚଢ଼ିଣ ସେ ବୀର

 

ଭ୍ରମନ୍ତେଣ ଅନ୍ତରାଳେ

 

ସତର ମନୁରେ ଯୋଗନିଦ୍ରା ତେଜି

 

ଅଣାକାର ଅନାଇଲେ ।୬।

 

ଦେଖନ୍ତି ଏ ବେନି ଭ୍ରମଣ କରନ୍ତି

 

ହକାରିଲେ ସନିଧ୍ୟକୁ

 

ପଚାରିଲେ କେଉଁ ଦେଶେ ତୁମ୍ଭ ଘର

 

କେ ଜାତ କଲା ତୁମକୁ ।୭।

 

ବୋଲଇ ପୁରୁଷ ଯୋଡ଼ି ବେନି ହସ୍ତ

 

ନ ଜାଣୁ ଜନମ କଥା

 

କେବଳ ତୁମ୍ଭଙ୍କୁ ଦ୍ରଶନ ପାଇଲୁ

 

ତୁମ୍ଭେ ଆମ୍ଭ ପିତାମାତା ।୮।

 

ଧ୍ୟାନରେ ଜାଣିଲେ ପ୍ରଭୁ ଅଣାକାର

 

ବ୍ରହ୍ମରୁ ମୋହର ଜାତ

 

ପୃଥିବୀ ମଧ୍ୟରେ ନାବିକ ହୋଇବ

 

ହୁଅତୁ ବ୍ରହ୍ମ କୈବର୍ତ୍ତ ।୯।

 

ଚାରି ବେଦରୁ ଯେ ଚାରି ଅକ୍ଷରକୁ

 

ବାଣ୍ଟି ତାର ନାମ ଦେଲେ

 

ସେହି ବେଳର ଯେ ବ୍ରହ୍ମ ଅଶ୍ୱଗୋଟି

 

କେବର୍ତ୍ତକୁ ଚାହିଁ ବୁଲେ ।୧୦।

 

ତୁମ୍ଭେ ଯେବେ ଯାଇ ନାବିକ ହୋଇବ

 

ମୁଁ ରହିବି କେଉଁ ସ୍ଥାନ

 

ଅଣାକାର କହି ପକ୍ଷ ତୋର ହେବ

 

ନିଶ୍ଚେ ତୁ ଉଡ଼ିୁବୁ ଶୂନ୍ୟ ।୧୧।

ଶ୍ଳୋକ :

 

 

ଶ୍ରୀହରି ବଦତି ବାକ୍ୟଂ ତସ୍ୟେବ ବ୍ରହ୍ମ କୈବ୍ରତଂ

 

ସ୍ୱ ଅଶ୍ୱ ପାଳିତଂ ତସ୍ୟ ତସ୍ୟେଷ୍ଟ ଭବତି ଯୋଗେ ।

ଗୀତ :

 

 

ଏ ଯେ କଇବ୍ରତ ତା’ପରେ ବସିଣ

 

ବଞ୍ଚିଲା ସତର ମନୁ

 

ସେହି ତୋତେ ଇଷ୍ଟ କରିଣ ପାଳିବ

 

କନ୍ଧେ କହିବ ତୋ ତନୁ ।

 

ପଞ୍ଚୁ ତତ୍ୱ ମନ୍ତ୍ର ପଞ୍ଚୁ ଆତ୍ମାରୁତ

 

ଶିକ୍ଷା ଦେଲେ କୈବ୍ରତକୁ

 

ଶିଶୁ ବେଦରୁ ଯେ ତ୍ରିଗୁଣ ଓଂକାରି

 

ସୂତ୍ର ଦେଲେକ ତାହାକୁ ।୧୩।

 

 

 

 

ଶ୍ଳୋକ :

 

 

ତ୍ରିଗୁଣେ ଗ୍ରନ୍ଥିତଂ ବିଷ୍ଣୁ, ମନ ସୂତ୍ରେଣ କଳ୍ପଣା

 

ତ୍ରିବିଧି ତ୍ରିଭିର୍ଯୁକ୍ତେନ, କୈବ୍ରତ ସୂତ୍ର ଧାରକଃ ।

ଗୀତ :

 

 

ନବଗୁଣ କରି ସୂତ୍ର ଦେଲେ ହରି

 

ତିନି ଖିଅ ତା କନ୍ଧର

 

ଏହି ତିନି ସ୍ୱର୍ଗ ମର୍ତ୍ତ୍ୟ ଯେ ପାତାଳ (କୈବର୍ତ୍ତରେ)

 

ଘେନି ହେବୁ ଅବତାର ।୧୪।

 

ପଞ୍ଚମ ବେଦରୁ ପଞ୍ଚଖଣ୍ଡି ପଟା

 

କରାଇଲେ ନାବ ଯୋଗ

 

ପଚାଶ ପ୍ରକୃତି ତା ମଧ୍ୟରେ ଗ୍ରନ୍ଥି

 

କଣ୍ଟା କଲେକ ସଂଯୋଗ ।୧୫।

ଶ୍ଳୋକ :

 

 

ବେଦେନ ଜନ୍ମିତଂ ନାବଃ, ପଞ୍ଚଭାଗେନ ସମ୍ଭୂତାଃ

 

ସପ୍ତବିଂଶତି ହସ୍ତେନ, ଦ୍ଦ୍ୱାବିଂଶାଙ୍ଗୁଳି ସଂଭବେତ୍ ।

ଗୀତ :

 

 

ଅର୍ଦ୍ଧମାତ୍ରା ତହିଁ ମଙ୍ଗ ଯେ ବସାଇ

 

ଧର୍ମ ଅଙ୍ଗ କଲେ ଦଣ୍ଡ

 

ଗାୟତ୍ରୀ ଛନ୍ଦରୁ ରେଜୁ ଲଗାଇଣ

 

କଣ୍ଡିଆର ଯେ ପ୍ରଚଣ୍ଡ ।୧୬।

 

ସେ ନାବ ଗୋଟିକ ବ୍ରହ୍ମ ଯେ କୈବ୍ରତ

 

ଘେନି ଜଳେ ଭ୍ରମୁଥିଲା

 

ସେ ଯେ ମହା ଅଶ୍ୱ ଖଟି ତାହା ପାଶ

 

କେତେ ମନୁ ବହିଗଲା ।୧୭।

 

କିଛିଦିନ ଅନ୍ତେ ସର୍ଜନା ଜଗତେ

 

ବିଚାରିଲେ ଅଣାକାର

 

ଆଦିଶକ୍ତି ଠାରୁ ଜନମ ହୋଇଲେ

 

ଏ ଯେ ବ୍ରହ୍ମା ବିଷ୍ଣୁ ହର ।୧୮।

ଶ୍ଳୋକ :

 

 

ସର୍ଜନା କବିତାଂ ଧାତା ସୃଷ୍ଟିନାଂ ସର୍ବଜୀବକଃ

 

ବ୍ରହ୍ମ କୈବ୍ରତ ସଂଦୃଷ୍ଟ୍ୱା ଦୁହିତା ଚ ପ୍ରଦାୟକ ।

ଗୀତ :

 

 

ଏଥୁ ଅନ୍ତେ ଶୁଣ ସର୍ଜନା କରିଣ

 

ଆପେ ବ୍ରହ୍ମା ବିଷ୍ଣୁ ହର

 

ସପ୍ତଦ୍ୱୀପ ସପ୍ତସିନ୍ଧୁ ଆଦି କରି

 

କୀଟୁ ବ୍ରହ୍ମଂଯେ ଆବର ।୧୯।

 

କୁଶକେତୁ ନାମେ ବ୍ରହ୍ମା ଯେ ଯୁଗରେ

 

ଅଟନ୍ତି ସେ ଅଧିପତି

 

ଦିନେ ଯୋଗମାୟା କ୍ଷୀର ସମୁଦ୍ରରେ

 

ସ୍ନାହାନ ଯାଇ କରନ୍ତି ।୨୦।

 

ତାହାଙ୍କ ଯୌବନ ସେ ଚଉବଦନ

 

ଦେଖିଣ ଟଳିଲା ରେତ

 

କ୍ଷୀର ସଙ୍ଗେ ରେତ ମିଶିଣ ତୁରିତ

 

ଜନ୍ମିଲା ଏକ ଦୁହିତା ।୨୧।

 

ବେଦରୂପା ବୋଲି ନାମ ଗୋଟି ତାର

 

ଦେଲେ କ ଯେ ବେଦବର

 

ସେ କନ୍ୟା ଗୋଟିକ ବ୍ରହ୍ମ କୈବର୍ତ୍ତକୁ

 

ଦେଲେକ ବିଭା ସେଠାରେ ।୨୨।

 

ଶିଶୁ ବେଦ ମୋତେ ବିଭା କରାଇଲେ

 

ଏ ଚାରିବେଦୁ ବାହାର

 

ବ୍ରହ୍ମଦେଶ ବୋଲି ଦେଶ ଏକ ସ୍ଥାପି

 

ରାଜା କଲେ ସେ ରାଜ୍ୟର ।୨୩।

 

ପଦ୍ମକଳ୍ପ ତତ୍ତ୍ୱ ଅଟେ ଏ ଚରିତ

 

ପଣ୍ଡିତେ ଜାଣନ୍ତି ଏହା

 

ମୃଖଲୁକ ଅବା କାହୁଁ ଯେ ଜାଣିବେ

 

ଠିକରେ କହିଲି ଏହା ।୨୪।

 

ସୁଜନେ ମୋହର ଦୋଷ ନିଧରିବ

 

ଗୋପତ ଗ୍ରନ୍ଥ ପ୍ରଚାର

 

ଦ୍ୱିଜ ଗୋପାଳ ଏ ଗୀତରେ ରଞ୍ଚିଲେ

 

ଦେଖିବ ପଦ୍ମକଳ୍ପର ।୨୫।

 

ଉତ୍ତର-୨

 

 

ଏବେ ଶୁଣ କହି ଗାଏକ ଭାଇରେ

 

ରହିଲା ଯେଉଁ ଉତ୍ତର

 

କୈବ୍ରତ ଯେ ରୂପେ ସୂତ୍ର ଲୁଚାଇଲା

 

କହିବା ଏହି ସଭାର ।୧।

ଶ୍ଳୋକ :

 

 

ବତୁ ସସ୍ର ପ୍ରବେଶେନଃ, ‘ତପୀନାଂ ଜାହ୍ନବୀ ଜଳେଃ

 

ବକ୍ତ୍ର ମାଳିଶ ଯୋକ୍ତେନ, ତସୈବ ଶାପ୍ୟଧାରକଃ ।

ଗୀତ :

 

 

ଚେମନ ନାମେଣ ଋଷିନାମ ଏକ

 

ଥିଲେ ସେ ଗଙ୍ଗା ଜଳରେ

 

କୈବ୍ରତ ସେ ଜଳେ ଜାଲ ପକାନ୍ତେଣ

 

ଋଷି ଦେଲେ ତାକୁ ଶାପ୍ୟ ।୨।

 

ଓଟାରିଣ ତାକୁ ଆଣନ୍ତେ କୂଳକୁ

 

ଋଷି ଦେଲେ ତାକୁ ଶାପ୍ୟ

 

ବୋଇଲେ ପାପିଷ୍ଠ ହୀନ ନୀଚ ଜାତି

 

ନଷ୍ଟକଲ ମୋର ତପ ।୩।

 

 

 

 

ଶ୍ଳୋକ :

 

 

ତପୀପୁତ୍ର ମହୋକୋପେ, ବିହିତଂ ଶାପ୍ୟ କୈବ୍ର‌ତେ

 

ରେ ଅଜ୍ଞ ଧୀବର ନୀଚ, ସର୍ବକାଳେ ଅସ୍ପର୍ଶକଃ ।

ଗୀତ :

 

 

ଋଷିଙ୍କ ବଚନ ଏମନ୍ତ ଶୁଣିଣ

 

ବୋଲନ୍ତି ଯେ କଇବ୍ରତ

 

ନ ଜାଣି ଅପ୍ରାଧ କଲି ମହାପ୍ରଭୁ

 

ଶାପ୍ୟରୁ କର ମୁକତ ।୪।

 

ଋଷି ଯେ ବୋଲନ୍ତି ହେବ ନିଚ ଜାତି

 

ନାମକଲୁ ମୋର ବ୍ରତ

 

ମୀନ ମାରି ତୁମ୍ଭେ ଦିନ ଯେ ବଞ୍ଚିବ

 

କଟିରେ ବାନ୍ଧିବ ସୂତ୍ର ।୫।

 

ତେଣୁ କଇବ୍ରତ କନ୍ଧରୁ ଯେ ସୂତ୍ର

 

କାଢ଼ି ବାନ୍ଧିଲେ କଟିର

 

ବ୍ରହ୍ମ କୈବ୍ରତର ତିନି ପୁତ୍ର ହେଲେ

 

କୈବ୍ରତ, ଦାସ, ଧୀବର ।୬।

 

କୈବ୍ରତ ବୋଲିଣ ଯେଉଁ ପୁତ୍ର ଗୋଟି

 

ହେଲା ନାବ ଅଧିକାରୀ

 

ଦାସ ଯେ ଧୀବର ଏବେନି କୁମର

 

ମତ୍ସ୍ୟ ଜୀବିକା ତାଙ୍କରି ।୭।

 

ପ୍ରଳୟ କାଳରେ ବ୍ରହ୍ମ କୈବର୍ତ୍ତକୁ

 

ଅଶ୍ୱପୃଷ୍ଠେ ବହିଥିଲା

 

ବିଷ୍ଣୁଙ୍କ ବରରୁ ତେଣୁ ସେ ଅଶ୍ୱକୁ

 

କୈବ୍ରତ କନ୍ଧେ ବହିଲା ।୮।

 

ଛତିଶ ବର୍ଣ୍ଣର ରାଜା ଯେ ବ୍ରାହ୍ମଣ

 

ଅଠର ବର୍ଣ୍ଣର ଗୁରୁ

 

କେଉଁ କେଉଁ ବର୍ଣ୍ଣ ନିଚ ଉଚ୍ଚ କେତେ

 

ତୁମ୍ଭ ସଙ୍ଗ କେ ବର୍ଣ୍ଣରୁ ।୯।

ଶ୍ଳୋକ :

 

 

କାଂସ୍ୟଧାର, ଚିତ୍ରକାର, ମାଳାକାର ତଥୈବଚ

 

ନାଗବଲ୍ୟା ମାଙ୍ଗଲ୍ୟାଚ କାଚଧାରୀ ତଥୈବଚ

 

ଗୋପାଳ ଗୋଡ଼କ ଶ୍ଚୈବ ପାଟକାରି ତଥୈବଚ

 

ଲୋହକାର ଗୋଲକଶ୍ଚ, ନାପିତ ବର୍ଗ ଉଚ୍ୟତେ ।

ଗୀତ :

 

 

କାଂସ୍ୟଧାର ବୋଲି କଂସାରି ଅଟନ୍ତି

 

ଚିତ୍ରକାରା ମାଳାକାର

 

ଭାଟ ଯେ ବରଜ କାଚରା ଗୋପାଳ

 

ଗୁଡ଼ିଆ ଯେ ପାଟକାର ।୧୦।

 

କମାର ଯେ ଗୋଲା ନାପିତ ସହିତେ

 

ଏହି ଯେ ବାର ପାଟକୀ

 

ଆଉ ଯେତେ ଜାତି ରହିଲେ କହିବା

 

ଶୁଣ ହୋ ତୁମ୍ଭେ ଏଣିକି ।୧୧।

ଶ୍ଳୋକ :

 

 

ବୃଦ୍ଧାରୁହା, ବସ୍ତ୍ର ଧୌତା, ଗଣିଙ୍କ ତୁଳିକ ସ୍ତଥା

 

ତନ୍ତ୍ରପାଳ କାହାଳସ୍ୟ, ଷଢ଼ଜାତି ଅସ୍ପର୍ଶକା ।

ଗୀତ :

 

 

ଚମାର ରଜକ ଭିଣା ଯେ ନାୟକ

 

ତନ୍ତୀ କାହାଳ ଏ ଜାଣ

 

ଏହି ଛଢ଼ ଜାତି ଅସ୍ପର୍ଶ ଅଟନ୍ତି

 

ସାହାସ୍ତେ ଏହା ଲେଖନ ।୧୨।

ଶ୍ଳୋକ :

 

 

ତାଳି ଶୁଣ୍ଢୀ ସ୍ୱର୍ଣ୍ଣଦାରୁ କରାଳ ଧୀବର ସ୍ତଥା

 

ଭଜିକ ଭୂମିଜ ଶ୍ଚୈବ ଅଷ୍ଟୈତେ ଜାତି ନିଚକାଃ ।

ଗୀତ :

 

 

ତେଲି ଶୁଣ୍ଢୀ ଏ ଯେ ସୁନାରି ବଣିଆଁ

 

କୁମ୍ଭାର ସଙ୍ଗେ ଧୀବର ।

 

ଭଜିଆ ଭୂମିଜ ଏହି ଅଷ୍ଟଜାତି

 

ନିଚ ଲେଖଇ ଶାସ୍ତ୍ରର ।୧୩।

 

 

 

 

ଶ୍ଳୋକ :

 

 

ବାଦ୍ୟକାର ତ୍ରିଭିଶ୍ଚୈବ କୃଷିୁକାରୀ ଚଥୈବଚ

 

କିଂକର ମଛଧାରୀ ଚ ବୀଜହନ୍ତା ତଥୈବଚ

 

ଶରକାର ସାନ୍ତାଳଶ୍ଚ ଦମନୋ ଦଶ ଅଚ୍ଛବ ।

ଗୀତ :

 

 

ହାଡ଼ି ତୋମ ପାଣ ଏହି ତିନି ଜାତି

 

କୃଷିକାରୀ ଯେ ଖଦାଳ

 

କଣ୍ଡରା ଯେ ଗୋଖା ଶବର ସହିତେ

 

ଦମନ ଯେ ସାଆନ୍ତାଳ ।୧୪।

 

ଏହି ଦଶଜାତି ଅଚ୍ଛବ ଅଟନ୍ତି

 

ଠୁଳରେ ହେଲେ ଛତିଶ

 

ଏହି ଯେ ଛତିଶ ବର୍ଣ୍ଣରେ ବ୍ରାହ୍ମଣ

 

ରାଜା ଅଟନ୍ତି ବିଶେଷ ।୧୫।

ଶ୍ଳୋକ :

 

 

ବର୍ଣ୍ଣାନଂ ବର୍ଣ୍ଣ ଚତ୍ୱାରଂ, ବେଦ ଚତ୍ୱାର ତମ ବଚ

 

ଯୋଗାନାଂ ଯୋଗ ଚତ୍ୱାରଂ, ତ୍ରିଭି ସନ୍ଧ୍ୟା ତ୍ରିଭିପୁରି ।

ଗୀତ :

 

 

ବ୍ରହ୍ମ ଖେତ୍ରି ବଶ୍ୟ ଶୁଦ୍ର ଚାରିଜାତି

 

ଆବର ଯେ ଚାରି ବେଦ

 

 

 

ଚାରି ଯୋଗ ତିନି ସନ୍ଧ୍ୟା ତିନି ପୁର

 

ଅଠର ବର୍ଣ୍ଣ ଏ ଭେଦ ।୧୬।

 

 

 

ଏହି ଯେ ଅଠର ବର୍ଣ୍ଣରେ ବ୍ରାହ୍ମଣ

 

ଅଟନ୍ତି ଯେ ଜାଣ ଗୁରୁ

 

ଦ୍ୱିଜ ଗୋପାଳ ଏ ଗୀତରେ ରଞ୍ଚିଲେ

 

ଦେଖ ସଂସ୍କାର ଶାସ୍ତ୍ରରୁ ।୧୭।

Image

 

ସମୁଦ୍ର ମନ୍ଥନ

 

ପ୍ରଶ୍ନ :

 

 

ଶୁଣରେ ଗାଏକ ଅପୂର୍ବ ଚରିତ୍ର

 

ପଚାରୁଛି ତୋତେ ମୁହିଁ

 

କି ରୂପରେ ପୃଥ୍ୱୀ ସର୍ଜନା ହୋଇଲା

 

ୟେହା ଦେବ ମୋତେ କହି ।୧।

 

କେତେ ଜଣ ରହି ସର୍ଜନା ଯେ କଲେ

 

ରହି କେବଣ ସ୍ଥାନର

 

ସମୁଦ୍ର ମନ୍ଥନ କେତେ ଜଣ କଲେ

 

କହିବ ଏଥି ଉତ୍ତାର ।୨।

 

କାହିଁ ପାଇଁ ସିନ୍ଧୁ ମନ୍ଥନ ହୋଇଲା

 

କେଉଁ ମାସ କେତେ ଦିନ

 

କି ବାର ନକ୍ଷତ୍ର ସେଦିନ ଅଟଇ

 

କୁହ କି ଯୁଗ କରଣ ।୩।

 

ମନ୍ଥନ କରନ୍ତେ ଖୁଆକେ ହୋଇଲା

 

କେ ହୋଇଲା ଖୁଆଦଣ୍ଡ

 

ରେଜୁ କେ ହୋଇଲା ଖମ୍ୱକେହୁ ହେଲା

 

କେ ହୋଇଲା ତହିଁଭାଣ୍ଡ ।୪।

 

କେଉଁ ଦିଗରେ ଯେ କେ ରହି ଟାଣିଲା

 

କେତେ ଭେଡ଼ା ପରିଜନ୍ତେ

 

କେଉଁ ମନ୍ଥନରେ କିସ ଜନ୍ମ ହେଲା

 

ଏହା କହି ଦେବ ମୋତେ ।୫।

 

ଗରଳ ଯେ କାହୁଁ ଜନମ ହୋଇଲା

 

କେହୁ କଲା ତାକୁ ଗ୍ରାସ

 

ଅମୃତକୁ କେତେ ଜଣ ଯେ ଭକ୍ଷିଲେ

 

କେ ହୋଇଲା ତହିଁ ନାଶ ।୬।

 

କେବଣ ପଦାର୍ଥ କେହୁ ବାଣ୍ଟିନେଲା

 

ୟେହା ଦେବ ମୋତେ କହି

 

ଦେବଦତ୍ତ ଶଙ୍କ କାହୁଁ ଜନମିଲା

 

ଦ୍ୱିଜ ଗୋପାଳ କହଇ ।୭।

ଉତ୍ତର :

 

 

ଶୁଣ ହେ ସୁଜନେ ସାବଧାନ ହୋଇ

 

ସମୁଦ୍ର ମନ୍ଥନ ବାଣୀ

 

ମଧୁ କୈଟଭକୁ ମାରି ଚକ୍ରଧର

 

ସୃଷ୍ଟି ଭିଆଇଲା ଆଣି ।୧।

 

ସାତ ଦ୍ୱିପ କଲେ ନବଖଣ୍ଡ ମହି

 

ସପତ ସମୁଦ୍ର ଜାଣ

 

ୟେକ ଦିନେ ସିନ୍ଧୁ ମନ୍ଥିବା ନିମନ୍ତେ

 

ବିଚାରିଲେ ନାରାୟଣ ।୨।

 

ବ୍ରହ୍ମା, ପୁରନ୍ଦର, ଚନ୍ଦ୍ର ଦିବାକର

 

ବରୁଣ କୁବେର ମୂଳେ

 

ହର, ଯମ, ଧର୍ମ, ଦଶ ଦିଗପାଳ

 

ସର୍ବେ ମିଳି ୟେକ ମେଳେ ।୩।

 

ଋଷଭ ଶୁକଳ ପୂର୍ଣ୍ଣମୀ ସେଦିନ

 

ଅଟେ ଅଙ୍ଗିରସ ବାର

 

ପୁଷ୍ୟା ନକ୍ଷତ୍ର ଯେ ଶୁଭ ଯୋଗ ପାଇ

 

ତତୁଲ୍ୟ କରଣ ସାର ।୪।

 

ପ୍ରଳୟ ଭାଣ୍ଡ ଯେ ହୋଇଲାକ ହାଣ୍ଡି

 

ଖୁଆ ହୋଇଲା ମନ୍ଦର

 

ଖୁଆଦଣ୍ଡ ଧର୍ମ କିଳା ଯେ ଅଟଇ

 

ବସାଇ କୃମ ପୃଷ୍ଠର ।୫।

 

ଅନନ୍ତକୁ ରେଜୁ କଲେ ଭାବଗ୍ରାହୀ

 

ସପ୍ତ ସିନ୍ଧୁ ମଧ୍ୟ ଖଣ୍ଡ

 

କମ୍ପମାନ ହେଲା ଭୁବନ ଚଉଦ

 

ଦେବାସୁର ହେଲେ ରୁଣ୍ଡ ।୬।

 

ୟେକ ପାଶ ରେଜୁ ସର୍ବ ଦେବେ ଟାଣି

 

ଆବର ପାଶେ ଅସୁର

 

ଉଟାରନ୍ତେ ରେଜୁ କମ୍ପମାନ ହୋଇ

 

ସିନ୍ଧୁ ଘୋରନାଦ କରେ ।୭।

 

ପ୍ରଥମରେ ସିନ୍ଧୁ ମନ୍ଥନ କରନ୍ତେ

 

କମଳା ହୋଇଲେ ଜାତ

 

ଦ୍ୱିତୀୟ ବାରରେ ମନ୍ଥନ କରନ୍ତେ

 

ଜାତ ହୋଇଲା ଅମୃତ ।୮।

 

ତୃତୀୟରେ ସିନ୍ଧୁ ମନ୍ଥନ କରନ୍ତେ

 

ଜାତ ଐରାବତ ହସ୍ତୀ

 

ଚତୁର୍ଥେ ଡାହାଣ ବ୍ରତ ଶଙ୍ଖଜନ୍ମ

 

ହରସ ହେଲେ ଶ୍ରୀପତି ।୯।

 

ପଞ୍ଚମରେ ସିନ୍ଧୁ ମନ୍ଥନ କରନ୍ତେ

 

ଜାତ ହେଲା ନନ୍ଦିଘୋଷ

 

ଷଷ୍ଟମରେ ପୁଣି ମନ୍ଥନ କରନ୍ତେ

 

ଜାତ ଉଚ୍ଚୈଶ୍ରବା ଅଶ୍ୱ ।୧୦।

 

ସପ୍ତମରେ ସିନ୍ଧୁ ମନ୍ଥନ କରନ୍ତେ

 

ଦାସି ନେତ ଗୌରିବେତ

 

ଅଷ୍ଟମରେ ସିନ୍ଧୁ ମନ୍ଥନ କରନ୍ତେ

 

ଗରଳ ହେଲା ସମ୍ଭୂତ ।୧୧।

 

ସ୍ଥକିତ ହୋଇଣ ବାସୁକୀ ରାଜନ

 

ଗରଳ ଦେଲାକ ଛାଡ଼ି

 

ସପ୍ତସିନ୍ଧୁ ଘୋଟି ଆସିଲା ଗରଳ

 

ମାରିଣ ଘୋର ଲହଡ଼ି ।୧୨।

 

ଗରଳ ଦେଖିଣ ଦେବାସୁର ଗଣ

 

ଭୟେ ହୋଇଲେ କାତର

 

ଦେବଙ୍କ ବିପତ୍ତି ଦେଖି ପଶୁପତି

 

ବିଷକୁ ଭକ୍ଷିଲେ ହର ।୧୩।

 

ଐରାବତ ହସ୍ତୀ ପୁରନ୍ଦର ନେଲେ

 

ସୂର୍ଯ୍ୟ ଉଚ୍ଚୈଶ୍ରବା ଅଶ୍ୱ

 

ଲକ୍ଷ୍ମୀକି ଯେ ଆପେ ନେଲେ ଭାବଗ୍ରାହୀ

 

ଆବର ଯେ ନନ୍ଦିଘୋଷ ।୧୪।

 

ଦାସି ନେତ ଗୌରିବେତ ଆଦିକରି

 

ଶ୍ରୀହରିଙ୍କୁ ସମର୍ପିଲେ

 

ଅମୃତ ଭକ୍ଷିବା ପାଇଁ ଯେ ଅସୁରେ

 

ଘୋର ବିବାଦ ରଞ୍ଚିଲେ ।୧୫।

 

ମୋହିନୀ ରୂପ ଯେ ହୋଇ ଭଗବାନ

 

ସୁଧା ପରଶିଲେ ଆଣି

 

ଅମୃତ ଭକ୍ଷିଲେ ସର୍ବ ଦେବଗଣ

 

କଲେ ଜୟ ଜୟ ଧ୍ୱନି ।୧୬।

 

ସିଘିଂକା ସୁତ ଗୁପତେ ଥିଲା ରହି

 

ଚକ୍ରେ କାଟିଲେ ତା ଶିର

 

ଗୋପାଳ କହଇ ଛାନ୍ଦ ପୂର୍ଣ୍ଣ ହୋଇ

 

ସୁଜନେ ଶ୍ରବଣ କର ।୧୭।

Image

 

ବୃନ୍ଦାବତୀ ଦେବୀ କଥା ଓ ବୟାଳିଶ ଅବତାର

 

ପ୍ରଶ୍ନ :

 

 

ପ୍ରଥମେ ବନ୍ଦଇ ଯମଧର୍ମ ମୁଁ ଯେ

 

ବନ୍ଦୁଛି କୁବେର ମୂଳେ

 

ଦଶଦିଗପାଳ ସମସ୍ତ ବନ୍ଦୁଛି

 

ମେରୁଗିରି ଆଦି ଠୁଳେ ।୧।

 

ଦ୍ୱିତୀୟେ ବନ୍ଦଇ ଅର୍ଘ୍ୟସ୍ଥାଳି ଘେନି

 

ମାତ ତୁଳସୀ ଚଉରା

 

ସତ୍ୟ ଯୁଗେ ମାତ ସତ୍ୟାବତୀ ତୁହି

 

ଦ୍ୱାପର ଯୁଗେ ତ୍ରିପୁରା ।୨।

 

ତେତୟା ଯୁଗେ ମାତଳୀ ବୁଲାଉ

 

କଳି ଯୁଗେ ବୃନ୍ଦାବତୀ

 

ଯୁଗେ ଯୁଗେ ମାତ ବିଷ୍ଣୁଙ୍କ ଭାବିନୀ

 

ରହିଛି ତୁମ୍ଭ କିରତି ।୩।

 

ମୂଳେ ତୋର ଗଙ୍ଗା ଡାଳେ ଛନ୍ତି ବ୍ରହ୍ମା

 

ପତ୍ରରେ ବିଷ୍ଣୁଙ୍କ ବାସ

 

ଜଟାରେ ଯେ ଶିବ ବିଜେ କରିଛନ୍ତି

 

ଘେନିଣ ପତ୍ର ପଚାଶ ।୪।

 

ପ୍ରଭାତରୁ ଉଠି ଅହ୍ୟସ୍ତିରୀ ମାନେ

 

ଦିଅନ୍ତି ଚନ୍ଦନ ଛଡ଼ା

 

ସନ୍ଧ୍ୟା ଦୀପ ଜାଳି ଶଙ୍ଖ କରତାଳି

 

ଭ୍ରମଣ କରନ୍ତି ଭେଡ଼ା ।୫।

 

ଋଷି ଯେ ବ୍ରାହ୍ମଣ କରନ୍ତି ଭଜନ

 

ଘେନିଣ ତୁଳସୀ କଣ୍ଠି

 

ମାଳ ଗୋଟି ତାର ସଂଖ୍ୟା କରୁଛନ୍ତି

 

କରୁଥାନ୍ତି ଗୋଟି ଗୋଟି ।୬।

 

ସୁତା କେହୁ ଦେଲା କେ ତାକୁ କାଟିଲା

 

କେହୁ କାଟିଥିଲା ମାଳି

 

ମେରୁ ଗୋଟି ତାର କେବଣ ଅଟଇ

 

କେତେ କ୍ଷଣ ଜପ କରି ।୭।

 

ଗୁରୁ କେହୁ ହେଲା ଶିଷ୍ୟ କେହୁ ହେଲା

 

କେହୁ ହେଲା ଉପଦେଶ

 

ଦିକ୍ଷାଗୁରୁ ଶିକ୍ଷାଗୁରୁ ଖଟିଥିଲେ

 

କହିବ ଏଥି ସନ୍ଦେଶ ।୮।

 

ସ୍ତିରୀ ଯେ ତୁଳୁସା ପୁରୁଷା ଉପରେ

 

ଚଢ଼ିଛି ବିଷ୍ଣୁଙ୍କ ଶିରେ

 

ମାତାପିତା ଗୁରୁ ବ୍ରାହ୍ମଣ ବନ୍ଦୁଛି

 

ଭୟ ନାଗେ ମୋ ମନରେ ।୯।

 

ମୂଳ ଶୂନ୍ୟ ବନ୍ଦେ ଚବିଶ ପାତାଳ

 

ବୟାଳିଶ ଅବତାର

 

ଚତୁର୍ଦ୍ଦଶ ଭୁବନକୁ ବନ୍ଦୁଅଛି

 

କୋଟି କୋଟି ନମସ୍କାର ।୧୦।

 

ମୂଳ ଶୂନ୍ୟ ନାମ କିସ ଯେ ଅଟଇ

 

ସନ୍ଦେହ ମୋତେ ଲାଗିଲା

 

ୟେକୁଇଶପୁର କାହାକୁ କହନ୍ତି

 

କେଉଁ ଗୁରୁ କାହିଁଥିଲା ।୧୧।

 

ବୟାଳିଶ ଅବତାର ନାମ କିସ

 

ଏହା ମୋତେ ଦେବ କହି

 

ଗୁରୁ ସେବିଥିଲେ ସଭାରେ କହିବ

 

ଦ୍ୱିଜ ଗୋପାଳ କହଇ ।୧୨।

ଉତ୍ତର :

 

 

ଶୁଣରେ ରାଉତ ବନ୍ଦଣା ଚରିତ୍ର

 

କିଞ୍ଚିତେ କହୁଛି ମୁହିଁ

 

ବୃନ୍ଦାବତୀ ଜଳନ୍ଧରର ଘରଣୀ

 

ବିଷ୍ଣୁଙ୍କର ଶାପ୍ୟ ପାଇ ।୧।

 

କାଷ୍ଠରୂପେ ସେହୁ ଜନମ ହୋଇଲା

 

ମଞ୍ଚେ ହୋଇ ଅବତାର

 

ଶ୍ରଦ୍ଧାରେ ଯେ ବିଷ୍ଣୁ ଶିରରେ ବହିଲେ

 

ତା ରୂପ ଦେଖି ନେତ୍ରର ।୨।

 

ଗୋରେଖ ଜତି ଯେ କାଟିଣ ତାହାକୁ

 

ସତେ ଅଷ୍ଟ କଲେ ମାଳା

 

ଷୋଳ ନାମ ତହିଁ ବତିଶ ଅକ୍ଷର

 

ଜପ ବିଷ୍ଣୁ ନାମ ଭେଳା ।୩।

 

ଅନନ୍ତ ତହିଁର ସୁତ୍ରରେ ଅଟଇ

 

କେଶବ ଅଟଇ ମେରୁ

 

ଆଦି ନିରଞ୍ଜନ ବ୍ରହ୍ମମୟ ଜ୍ୟୋତି

 

ନିରାକାର ହେଲେ ଗୁରୁ ।୪।

 

ଯୁଗେ ଯୁଗେ ସେହୁ ବିଷ୍ଣୁଙ୍କ ଘରଣୀ

 

ଶାପେ ଭିନ୍ନ ଭିନ୍ନ ହୋଇ

 

ଠୁଳରୁ ଯେ ମୂଳ ଶୂନ୍ୟ ଅବତାର

 

ଶୁଣରେ ଗାଏକ ଭାଇ ।୫।

 

ଶୂନ୍ୟ ଶୂନ୍ୟ ମହାଶୂନ୍ୟ ଆଦିଶୂନ୍ୟ

 

ଠୁଳଶୂନ୍ୟ ସର୍ବଶୂନ୍ୟ

 

ବ୍ରହ୍ମଶୂନ୍ୟ ମନୁଶୂନ୍ୟ ଯେ ଆବର

 

ଚକ୍ରଶୂନ୍ୟ ରୁଦ୍ରଶୂନ୍ୟ ।୬।

 

ବୟାଳିଶ ଅବତାର ମଛକୃମ

 

ବରେହା ନୃସିଂହ ଜାଣ

 

ବାମନ ଯେ ପ୍ରଶୁରାମ ରାମଚନ୍ଦ୍ର

 

କୃଷ୍ଣ ବଉଦ ପ୍ରମାଣ ।୭।

 

କଳଙ୍କି କପିଳ ଗୌର ଅବତାର

 

ସୁବାହୁ ଯେ ଅବତାର

 

ଶୁକ୍ଳାମ୍ୱର ବିଷ୍ଣୁ, ବିଷ୍ଣୁ ମହାବିଷ୍ଣୁ

 

ମହନିକନ୍ୟା ରୂପର ।୮।

 

ନବଗୁଞ୍ଜର ଯେ ନବ ଅବତାର

 

ଜଳସିଂହ ଦୁଇ ଜାଣ

 

ଏଇ ରୂପେ ବୟାଳିଶ ଅବତାର

 

ଏକୁ ଏକ ଭିନ୍ନ ଭିନ୍ନ ।୯।

 

ଚଉଦ ଭୁବନ ନାମ ଯେ ଅଟଇ

 

ବ୍ରହ୍ମଭୁବନ ତା ମୂଳ

 

ଠିକ ଠିକ କରି ସାହାସ୍ର ଉକତି

 

କହଇ ଦ୍ୱିଜ ଗୋପାଳ ।୧୦।

Image

 

ଜାତି ବିଚାର ଓ ବାଉଁଶର ଜନ୍ମ

 

ପ୍ରଶ୍ନ :

 

 

ଶୁଣ ଶୁଣ ତୁମ୍ଭେ କଇବ୍ରତ ଭାଇ

 

ଗୁରୁ ପାଦେ ଦେଇ ଚିତ୍ତ

 

ଜଳ ଅବନୀ ତ ଏ ଦୁହେଁ ନଥିଲେ

 

କାହୁଁ ଜାତ କଇବ୍ରତ ।୧।

 

କାହିଁରେ ଉଦୟେ କାହିଁରେ ସେ କ୍ଷୟେ

 

କେଉଁଠାରେ ହେଲା ଲୀନ

 

ସାତ ସମୁଦ୍ର ଦାସରାଜା ବାହିବ ସମୁଦ୍ର

 

କାହିଁ ଜନମ ।୨।

 

ପବନ ଯେ ଅଗ୍ନି ଚନ୍ଦ୍ର ସୂର୍ଯ୍ୟ ବେନି

 

କେଉଁଠାରୁ ହେଲେ ଜାତ

 

କେଉଁ ଆଙ୍ଗୁଳ ଚନ୍ଦ୍ର ସୂର୍ଯ୍ୟ ଅଟନ୍ତି

 

କାହୁଁ ଜାତ ତାଙ୍କ ରଥ ।୩।

 

କେତେ ଗୋଟି ଅଖ କେତେ ଗୋଟି ଚକ

 

କେତେ ଗୋଟି ପଟା ତହିଁ

 

କେତେ ଗୋଟି ଖମ୍ୱ ତାହାଙ୍କ ରଥର

 

ସଂଖ୍ୟା କରି ଦେବ କହି ।୪।

 

ରଥରେ ଯେ ଅଶ୍ୱ ତାଙ୍କ ନାମ କିସ

 

କେ ହେଲା ରଥ ଦଉଡ଼ା

 

ଦିବସ ମଧ୍ୟରେ ଚନ୍ଦ୍ରସୂର୍ଯ୍ୟ ଦୁହେଁ

 

ଚଳନ୍ତି ସେ କେତେ ଭୁଡ଼ା ।୫।

 

କଇବ୍ରତ, ଧୀବର, ଦାସ, ମହିୟାର

 

ଚାରିବର୍ଣ୍ଣ କିମ୍ୱା ହେଲେ

 

କେଉଁ ଦେଶରେ କେଉଁ ଜାତି ରହିଲା

 

ଏହା କହି ଦେବ ଭଲେ ।୬।

 

କେ ତାଙ୍କର ମାତା କେ ତାଙ୍କର ପିତା

 

ଗୁରୁକେ ଅଟେ ତାଙ୍କର

 

ନବଖଣ୍ଡ ଏଯେ ମେଦିନୀ ହୋଇଲା

 

କିନାମ କେଉଁ ଖଣ୍ଡର ।୭।

 

ବାଏଁଶ ଖଣ୍ଡିକ ହସ୍ତରେ ଧରିଛ

 

ତାକୁ ବଡ଼ ଯତ୍ନ କରି

 

କେଉଁଠାବରୁ ଯେ ବାଏଁଶ ଜନ୍ମିଲା

 

ତୁମ୍ଭେ ପାଇଲ କିପରି ।୮।

 

କେତେ ପବ ଅଟେ ସେ ବାଏଁଶ ଖଣ୍ଡି

 

କେତେ ଗୋଟି ତାର ଗଣ୍ଠି

 

କେଉଁ ଗଣ୍ଠିରେ ଯେ କେବଣ ଦେବତା

 

ଏହା ମୋତେ କହିବଟି ।୯।

 

ପବ ଗୋଟିକରେ କେବଣ ଦେବତା

 

ଏହା ମୋତେ ଦେବ କହି

 

ଗୁରୁ ସେବିଥିଲେ ସଭାରେ କହବି

 

ଦ୍ୱିଜ ଗୋପାଳ କହଇ ।୧୦।

ଉତ୍ତର :

 

 

ଶୁଣରେ ଗାୟକ ହୋଇ ଏକଚିତ୍ତ

 

ଯାହା ପଚାରିଲୁ ତୁହି

 

ବିଷ୍ଣୁଙ୍କ ଅଙ୍ଗରୁ କୈବ୍ରତ ଜନମ

 

ପ୍ରଳୟ କାଳରେ ହୋଇ ।୧।

 

କୈବ୍ରତ ଧୀବର ଦାସ ମହିଆର

 

ଅଟନ୍ତି ଏ ଭିନ୍ନ ଭିନ୍ନ

 

କ୍ରିୟା ଗୁଣରୁ ଏ ଭାଗ ଭାଗ ହେଲେ

 

ଧୀବରଟି ଜାତି ହୀନ ।୨।

 

ସାତ ସମୁଦ୍ର ଯେ ସୂର୍ଯ୍ୟବଂଶ କ୍ରୀତି

 

ସାତ ଦୀପ କଲେ ଧାତା

 

ନବଖଣ୍ଡ ରଘୁ ରାଜନ ବାଣ୍ଟିଲେ

 

ଭ୍ରଥ ଖଣ୍ଡରେ ଗଣିତା ।୩।

 

ତ୍ରିଗୁଣରେ ଚନ୍ଦ୍ରସୂର୍ଯ୍ୟ ଜାତ ହୋଇ

 

ସତ ରଜ ତମ ଗୁଣ

 

ଷୋହଳ ଆଙ୍ଗୁଳି ସୂର୍ଯ୍ୟଙ୍କର ଶରି

 

ସାହାସ୍ରେ ଅଟେ କାରଣ ।୪।

 

ଚନ୍ଦ୍ର ଯେ ଅଟନ୍ତି ଦ୍ୱାଦଶ ଆଙ୍ଗୁଳ

 

ସୁଧା ଅଂଶ କଳାଘେନି

 

ଓଁକାରରୁ ଚନ୍ଦ୍ର ସୂର୍ଯ୍ୟଙ୍କର ରଥ

 

ଜନମ ହୋଇଲେ ବେନି ।୫।

 

ଚାରିବେଦ ଚାରି ଖୁମ୍ୱ ଯେ ଅଟଇ

 

ଅନନ୍ତ ଅଟେ ଦଉଡ଼ା

 

ଦିବସ ମଧ୍ୟରେ ସୂର୍ଯ୍ୟଙ୍କର ରଥ

 

ଚଳଇ ଯେ ସାତ ଭେଡ଼ା ।୬।

 

ଚାରି ବେଦରୁ ଯେ ଆଠ ଅଶ୍ୱଜାତ

 

କରିଥିଲେ ବେଦପତି

 

ଗୋଟିଏକ ଅଶ୍ୱ ତହିଁରୁ ଚୋରାଇ

 

କ୍ଷେତ୍ରପାଳ ନେଇଅଛି ।୭।

 

ସୃଷ୍ଟି ଆତ ଜାତ ବିଷ୍ଣୁଙ୍କ ଅଙ୍ଗରୁ

 

ବିଷ୍ଣୁଦେହେ ହୁଏ ଲୀନ

 

ଆବର କହୁଛି ଗାଏକ ଭାଇରେ

 

ଶୁଣ ବାଏଁଶ ଜନମ ।୮।

 

ମେଦାସୁର ମାରି ପ୍ରଭୁ ଦଇତାରି

 

ମେଲିଲେ ଯେ ତାର ପିଣ୍ଡ

 

ଯୋଗକୁ ବିଚାରି ଆପେ ବେଦଚାରି

 

ରଞ୍ଚିଲେ ଯେ ଯାଗକୁଣ୍ଡ ।୯।

 

ତ୍ରିଗୁଣ ବୀଜରୁ ବାଏଁଶ ଜନ୍ମିଲା

 

ଚଉଦ ମନୁରେ ବଢ଼ି

 

ତାକୁ ପରମେଷ୍ଟି ପକାଇଲେ କାଟି

 

ବାଣ୍ଟି ଛଡ଼ଖଣ୍ଡ କରି ।୧୦।

 

ଛଡ଼ ଧନୁକଲେ ସାରଙ୍ଗ ପିନାକୀ

 

ଅଜଙ୍ଗ କୁଦଣ୍ଡ ଜାଣ

 

ଗାଣ୍ଡିମ ଯେ ଆଦ୍ରାବଳି ସହିତରେ

 

ଧନୁ କଲେକ ନିର୍ମାଣ ।୧୧।

 

ଷୋଳ ପବ ଆଦ୍ୟେ ମୂଳରୁ କାଟିଲେ

 

ସାରଙ୍ଗ ଧନୁ ତା ନାମ

 

ବାର ପବ କାଟି ପିନାକି ଧନୁକୁ

 

ରଞ୍ଚିଲେ ଚଉ ବଦନ ।୧୨।

 

ଦଶ ପବ କଲେ ଅଜଙ୍ଗ ଯେ ଧନୁ

 

ଆଠ ପବ ଯେ କୋଦଣ୍ଡ

 

ଛଡ଼ ପବ କଲେ ଗାଣ୍ଡିମ ଯେ ଧନୁ

 

ଆଦ୍ୟାବଳୀ ଶେଷଖଣ୍ଡ ।୧୩।

 

ସାରଙ୍ଗ ଧନୁକୁ ବହିଲେ ଶ୍ରୀହରି

 

ପିନାକୀ ନେଲେ ଈଶ୍ୱର

 

ଅଜଙ୍ଗ ଧନୁକୁ ବିରଞ୍ଚି ରଖିଲେ

 

ବେଦର ହେଲା ପ୍ରଚାର ।୧୪।

 

କୁଦଣ୍ଡ ଧନୁକୁ ରାମଚନ୍ଦ୍ର ନେଲେ

 

ଗାଣ୍ଡିମ ନେଲେ ଅର୍ଜୁନ

 

ଆଦ୍ରାବଳୀ ଧନୁ ଇନ୍ଦ୍ର ଯେ ଧଇଲେ

 

ସ୍ୱର୍ଗହେଲା କମ୍ପମାନ ।୧୫।

 

ଶେଷ ଚାରି ପବ କାଟି ବେଦବର

 

ଚାରିଗୋଟି ବଂଶୀକଲେ

 

ସ୍ତମ୍ଭନ, ମୋହନ, ବଶ୍ୟ ଯେ ଉଚ୍ଚାଟ

 

ତହିଁ ମଧ୍ୟରେ ରଖିଲେ ।୧୬।

 

ରାଧିକାଙ୍କ ଛଳେ ବିରହ ବଂଶୀ କି

 

ନେଲେ ପ୍ରଭୁ ଭାବଗ୍ରାହୀ

 

ଏକ ଗୋଟି ବଂଶୀ ଗୋଧନ ହରଣେ

 

ସହଦେବ ଥିଲେ ନେଇ ।୧୭।

 

ଦୁଇ ଗୋଟି ବଂଶୀ ଗୁପତେ ରହିଲା

 

ଜାଣିଥିଲେ କହିଦେବ

 

ଛଡ଼ ପବ କାଟି ତହିଁର ଅଗ୍ରରେ

 

ନେଲେ ପ୍ରଭୁ ବାସୁଦେବ ।୧୮।

 

କର୍ଣ୍ଣମୂଳରୁ କର୍ଣ୍ଣଧାର କୈବ୍ରତ

 

ଜାତ ହେଲା ଯେତେବେଳେ

 

ସେହି ଛଡ଼ ପବ ବାଏଁଶକୁ ନେଇ

 

ଶ୍ରୀହରି ତାହାଙ୍କୁ ଦେଲେ ।୧୯।

 

ଶେଷପବ ଖଣ୍ଡି ଗୋପାଳଙ୍କୁ ଦେଲେ

 

ଗୁଧନ ରଖିବା ପାଇଁ

 

ଏହି ରୂପେ ହେଲା ବାଏଁଶ ଜନମ

 

ଦ୍ୱିଜ ଗୋପାଳ କହଇ ।୨୦।

Image

 

Unknown

କୈବର୍ତ୍ତ ଜନ୍ମ

 

ପ୍ରଶ୍ନ :

 

 

ଶୁଣ ହେ ଗାୟେକ ମନକର୍ଣ୍ଣ ଦେଇ

 

କଥାଏ ପଚାରେ ମୁହିଁ

 

କୈବ୍ରତ ବୋଲିଣ କାହୁଁ ଜନମିଲା

 

ଅଦ୍ୟେ ଦେବ ମୋତେ କହି ।୧।

 

କେହୁ ତାର ମାତା କେହୁ ତାର ପିତା

 

କେ ଅଟେ ଗୁରୁ ତାହାର

 

ଯେଉଁ ଦିନରେ ସେ ଜନମ ହୋଇଲା

 

କେଉଁ ତିଥି କେଉଁ ବାର ।୨।

 

କେଉଁ ମାସ କେତେ ଦିନ ଯେ ଅଟଇ

 

କି ନକ୍ଷତ୍ର ସେଦିନର

 

କଇବ୍ରତ ଯେତେବେଳେ ଜନମିଲା

 

ଦିନ କି ରାତ୍ର ଆବର ।୩।

 

ସେ କଇବ୍ରତର ନାମ କି ଅଟଇ

 

କେଉଁ ସ୍ଥାନେ ତାର ବାସ

 

କେତେ ଆଙ୍ଗୁଳ ତା ଶରୀଟି ଅଟଇ

 

କାହୁଁ ସେ ପିନ୍ଧିଲା ବଶ୍ର ।୪।

 

ନାବଗୋଟି କେଉଁଠାରୁ ସେ ପାଇଲା

 

କେ ଥିଲା ନିର୍ମାଣ କରି

 

କାତ କେରୁଆଳ କାହୁଁ ସେ ଆଣିଲା

 

କଣ୍ଠିଆର କାହୁଁ ଧରି ।୫।

 

ସେ ନାବ ଗୋଟିକ କେତେ ଖଣ୍ଡି ପଟା

 

କେତେ ଗୋଟି ତହିଁ କଣ୍ଟା

 

କେତେ ଗୋଟି ମଙ୍ଗ ତହିଁରେ ଅଟଇ

 

କେତେ ଖଣ୍ଡି ତହିଁ ବତା ।୬।

 

କେତେ ଦୀର୍ଘ ପ୍ରତି ସେ ନାବ ଅଟଇ

 

କେ ତହିଁରେ ହୁଏ ପାରି

 

କୈବ୍ରତ ସେ ନାବ କେମନ୍ତେ ପାଇଲା

 

କହିବ ମୋତେ ବିସ୍ତାରି ।୭।

 

ମୀନ କାହିଁ ପାଇଁ ମାରଇ କୈବ୍ରତ

 

ତାକୁ କି ଯେ ହୋଇ ପାପ

 

ମୀନର ବଇରି କିମ୍ପାଇ ହୋଇଲା

 

କେହୁ ଦେଇଥିଲା ଶାପ୍ୟ ।୮।

 

କେତେ ଦିନ ଯାଏ ପ୍ରଳୟ ଜଳରେ

 

କଇବ୍ରତ ଥିଲା ରହି

 

ତହୁଁ ସେ କୈବ୍ରତ କେଉଁଠାରେ ପୁଣି

 

କେମନ୍ତେ ରହିଲା ଯାଇ ।୯।

 

କେଉଁ ଦୀପରେ ସେ ଅଧିପତି ହେଲା

 

ସେ ଗ୍ରାମର ନାମ କିସ

 

ଜାଲ ଗୋଟି କାହାଠାରୁ ସେ ପାଇଲା

 

କୁହ ଏଥିର ସନ୍ଦେଶ ।୧୦।

 

ଆଦ୍ୟ ପ୍ରାନ୍ତ କରି ଏହା ଦେବ କହି

 

ସଦଗୁରୁ ଥିଲେ ସେ ବି

 

କୈବ୍ରତ ଚରିତ ଅପୂର୍ବ ଉକତ

 

କହଇ ଗୋପାଳ କବି ।୧୧।

ଉତ୍ତର :

 

 

ଶୁଣ‌ହୋ ସୁଜନ କୈବ୍ରତ ଜନମ

 

ମହାପ୍ରଳର କଥା ।

 

ଚନ୍ଦ୍ରସୂର୍ଯ୍ୟ ଆଦି କେହି ଯେ ନଥିଲେ

 

ନଥିଲେ ହର ବିଧାତା ।୧।

 

ଏକୋଇଶ ପୁର ଏକସ୍ଥାନ ହୋଇ

 

ଥିଲା ଚବିଶ ପାତାଳ

 

କିଟ ପତଙ୍ଗାଦି କେହି ଯେ ନଥିଲେ

 

ଘୁଟିଥିଲା ମହାଜଳ ।୨।

 

ବଟପୁଟେ ହରି ମାୟାରୂପ ଧରି

 

କରିଣ ଥିଲେ ବିଶ୍ରାମ

 

ମହା ଯେ ପ୍ରଳୟ ବ୍ରହ୍ମପ୍ରଳୟରେ

 

ନୋହିଲା ତହିଁ ଆଶ୍ରମ ।୩।

 

ବିଚାରିଲେ ତହୁଁ ପ୍ରଭୁ ଭାବଗ୍ରାହୀ

 

ଏଠାରେ ଅଛି ମୁଁ ଶୋଇ

 

ଶାଖା ସହୋଦର କେହି ନାହିଁ ମୋର

 

କେମନ୍ତେ ରହିବି ମୁହିଁ ।୪।

 

କର୍ଣ୍ଣମୂଳରୁ ଯେ ମଳି ଉପାଡ଼ିଣ

 

ପକାଇଲେ ଚକାଡୋଳା

 

ପ୍ରଳୟ ଜଳରେ ପଡ଼ିଣ ସେ ମଳି

 

ପୁରୁଷ ଏକ ଜନ୍ମିଲା ।୫।

 

ଦେଖିଣ ଶ୍ରୀହରି ତାହାକୁ ପଚାରି

 

ଜନମ ହୋଇଲୁ କାହୁଁ

 

କେହୁତୋର ମାତା କେହୁ ତୋର ପିତା

 

ଗୁରୁ ଯେ ଅଟଇ କେହୁ ।୬।

 

ସେ ବୋଲଇ ପ୍ରଭୁ ନଜାଣଇ ମୁହିଁ

 

କାହୁଁ ହୋଇଲି ଜନମ

 

ମାତାପିତା ଗୁରୁ କିଛି ହିଁ ନଜାଣେ

 

ତୁମ୍ଭବିନୁ ନାହିଁ ଅନ୍ୟ ।୭।

 

ଶ୍ରୀହରି ବୋଇଲେ କର୍ଣ୍ଣମୂଳୁ ଜାତ

 

ନାମ ତାର କର୍ଣ୍ଣିକାର ।

 

ଦାସ ଯେ କୈବ୍ରତ ଜଗତେ ପ୍ରସିଧି

 

ବୋଲାଇବ ଯେ ଧିବର ।୮।

 

ବଟପୁଟ ଶୃଙ୍ଗ ଆଣିଣ ଶ୍ରୀରଙ୍ଗ

 

ବସାଇଲେ ତାକୁ ନେଇ

 

ରୁଷଭ ସକଳ ଦୁତିଆ ସେଦିନ

 

ଆଦିତ୍ୟଙ୍କ ବାର ପାଇ ।୯।

 

କାତ କେରୁଆଳ ବଟଶୃଙ୍ଗ ଡାଳ

 

ତ୍ରିଗୁଣ କଲେ ଦଉଡ଼ି

 

ବଟପତ୍ର ବାନ୍ଧି କଣ୍ଠିଆର କଲେ

 

ରହିଲା କୈବ୍ରତ ଚଢ଼ି ।୧୦।

 

ଏମନ୍ତେ ଚଉଦ ମନୁ ବହିଗଲା

 

ରହିଲା କୈବ୍ରତ ତହିଁ

 

ନିଦ୍ରାଭାଞ୍ଜିବାରେ ଉଠିଲେ ଶ୍ରୀହରି

 

କୈବ୍ରତକୁ ଦେଲେ ଚାହିଁ ।୧୧।

 

ନିଦ୍ରା ଆଳଶରେ ଢୁଳାଇ କୈବ୍ରତ

 

ଜଳରେ ପଡ଼ିଲା ଢଳି

 

ପ୍ରଚଣ୍ଡ ଜଳରେ ପଡ଼ନ୍ତେ କୈବ୍ରତ

 

ରାଘବେ ଯେ ଦେଲା ଗିଳି ।୧୨।

 

ଜଳକୁ ହାନ୍ଦୋଳି ପ୍ରଭୁ ବନମାଳି

 

ବିଦାରି ରାଘେବଶ୍ୱରୀ

 

ଦାସ କୈବ୍ରତକୁ ଗର୍ତ୍ତରୁ ଆଣିଲେ

 

କଣ୍ଡିଆର ଆଦି କରି ।୧୩।

 

ଶ୍ରୀହରି ବୋଇଲେ ଶୁଣ କୈବ୍ରତ

 

ମୀନ ଶତ୍ରୁ ହେଲା ତୋର

 

ଯେତେଦିନ ଯାଏ ବଂଶ ତୋର ଥିବ

 

ମୀନକୁ ଧରିଣ ମାର ।୧୪।

 

କୈବ୍ରତ ବୋଲଇ ମୀନ ଯେ ମାରନ୍ତି

 

ସେ ଅଟନ୍ତି ହୀନ ଲୋକ

 

ଶ୍ରୀହରି ବୋଇଲେ ମୀନ ଯେ ମାରୁ ତୁ

 

ଏଥିରେ ନାହିଁ ପାତେକ ।୧୫।

 

କୈବ୍ରତ ବୋଲଇ କେମନ୍ତେ ମାରିବି

 

ନାହିଁ ମୋର କିଛି ଯନ୍ତ୍ର

 

ସୁବର୍ଣ୍ଣର ଜାଲ ଦେଲେକ ଶ୍ରୀହରି

 

ନିଅତୁ ଦାସ କୈବ୍ରତ ।୧୬।

 

କୈବ୍ରତ ବୋଇଲା ମୁଁ ଏତେ ସୁବର୍ଣ୍ଣ

 

କାହୁଁ ପାଇବି ଶ୍ରୀହରି

 

ଲୁହାରେ ତୁ ଜାଲ କର କୈବ୍ରତ

 

ବୋଇଲେକ ଦଇତାରି ।୧୭।

 

କୈବ୍ରତ ବୋଇଲା ଲୁହାର ଯେ ଜାଲ

 

ନପାରିବି ପ୍ରଭୁ ତୋଳି

 

ଅନନ୍ତ ବୀଜରୁ ବୀଜ ମୁଠି ଏକ

 

ଦେଲେ ତାକୁ ବନମାଳି ।

 

ସେହି ବୀଜ ନେଇ ଦାସ କୈବ୍ରତ

 

ଜାଲ କଲାକ ଭିଆଣ

 

ସିଂହଳ ଦେଶକୁ ଯାଅ ହେ କୈବ୍ରତ

 

ବୋଇଲେକ ନାରାୟଣ ।୧୯।

 

ବିଶ୍ୱକର୍ମାକୁ ଯେ ଆଜ୍ଞାଦେଲେ ପ୍ରଭୁ

 

ନାବ ଏକ ଆଣି ଦେଲା

 

ପାଞ୍ଚଖଣ୍ଡି ପଟା ନିର୍ମାଣ କରିଣ

 

ପଚିଶ କଣ୍ଟା ଭିଡ଼ିଲା ।୨୦।

 

ଆଠଗୋଟି କଣା ବସାଇ ତହିଁର

 

କରାଇଲା ଦଶଦ୍ୱାର

 

ଦୁଇଗୋଟି ମଙ୍ଗ ଦୁଇମୁଣ୍ଡ ଦେଲା

 

ବସିଲା ତହିଁ ଧିବର ।୨୧।

 

ମେଲାଣି ହୋଇଣ ଦାସ କୈବ୍ରତ

 

ସିଂହଳ ଦେଶକୁ ଗଲା

 

ଗୋପାଳ କହଇ ଛାନ୍ଦ ପୂର୍ଣ୍ଣ ହୋଇ

 

ସେ ଦେଶ ରାଜନ ହେଲା ।୨୨।

Image

 

ମତ୍ସ୍ୟ ଅବତାର କଥା ଓ ଦାସରାଜା ଚରିତ

 

ପ୍ରଶ୍ନ :

 

 

ତତେ ପଚାରଇ ରାଉତ ଭାଇରେ

 

ଶୁଣ ଶୁଣ କର୍ଣ୍ଣ ଦେଇ

 

ଗୁରୁ ସେବି ଯେବେ ପଦାକୁ ଆସିଛୁ

 

ଏହା ଦେବୁ ମୋତେ କହି ।୧।

 

ତୁମ୍ଭ ଯେ ବୋଇଲ ପ୍ରଳୟ ଜଳରେ

 

ଦାସ କୈବର୍ତ୍ତ ଜନ୍ମିଲା

 

ସେ ପ୍ରଚଣ୍ଡ ଜଳେ ଦାସ

 

କୈବ୍ରତକୁ ରାଘବ ଯେ ଗିଳି ଦେଲା ।୨।

 

ରୁହି ମାଛ ରୂପ ହୋଇ ଚକ୍ରଧର

 

ସେଠାରେ ମିଳିଲେ ଯାଇ

 

ନଖଘାତେ ତାର ପେଟ ବିଦାରିଣ

 

କୈବ୍ରତକୁ କଲେ ତ୍ରାହି ।୩।

 

ସେହି ମୀନ ଗୁଟି ଦୀର୍ଘ ପ୍ରତି କେତେ

 

କେତେକ ତାର ପ୍ରମାଣ

 

କେତେ ଆକାରରେ ସେ ମୀନ ଖେଳଇ

 

କୁହ ମୋ ଆଗେ ଫେଡ଼ିଣ ।୪।

 

ଫଖ ତାର କେତେ ମୁଣ୍ଡ ତାର କେତେ

 

ଲାଙ୍ଗୁଳ କେତେ ଅଟଇ

 

ଚହଟା ପାଣି ଆକାଶକୁ ଲାଗିଲା

 

କୁହ ମୋତେ କାହିଁ ପାଇଁ ।୫।

 

ଯେଉଁ ଦିନ ମୀନ ଅବତାର ହେଲା

 

ସେଦିନ କେଉଁ ନଖେତ୍ର

 

କେଉଁ ମାସ କେତେ ଦିନ ଯେ ଅଟଇ

 

ଏହା କହିବ ଯୁଗତ ।୬।

 

ସଦଗୁରୁ ପଦେ ଯେବେ ସେବିଥିବ

 

ଏହା ଦେବ ମୋତେ କହି

 

କୈବ୍ରତ ଉକତି ଅପୂର୍ବ ଚରିତ୍ର

 

ଦ୍ୱିଜ ଗୋପାଳ କହଇ ।୭।

ଉତ୍ତର-୧ :

 

 

ଶୁଣ ହେ ରାଉତ ହୋଇ ଏକଚିତ

 

ଯାହା ପଚାରିଲୁ ମୋତେ

 

ଯେଉଁ ପରି ମଛ ଅବତାର ହେଲେ

 

ବୁଝାଇ କହିବା ତୋତେ ।୧।

 

ବୈଶାଖ ଶୁକତି ତୃତୀୟା ଅଟଇ

 

ସେଦିନ ଆଦିତ୍ୟ ବାର

 

ଗୁରୁ ନଖତ୍ର ଯେ ସେଦିନ ଅଟଇ

 

ଶୁଭ ଯୁଗ ଅଟେ ସାର ।୨।

 

ଦ୍ୱାଦଶ ଯୋଜନ ଦୀର୍ଘ ପ୍ରତି ଅଟେ

 

ସେ ମଛ ଗୋଟିକ ଶରି

 

ମୁଖ ତାର ତିନି ପୂଣ ଯେ ବିସ୍ତାର

 

ବିସ୍ତାର ଲାଙ୍ଗୁଳ ଯୋଜନ ଚାରି ।୩।

 

ପକ୍ଷ ତା ବିସ୍ତାର ତିନି ଯେ ଯୋଜନ

 

ଷୋଳ ଯୋଜନେ ଖେଳଇ

 

ଚହଟ ପାଣି ତା ଆକାଶେ ଲାଗଇ

 

ସୂୟଂ ପରଂବ୍ରହ୍ମ ସେହି ।୪।

 

ମଛର ଚରିତ୍ର ଶୁଣରେ ରାଉତ

 

କହିଲି ତୋତେ ବୁଝାଇ

 

ଶ୍ରୀହରି ଚରଣେ ଶରଣ ମାଗିଣ

 

ଦ୍ୱିଜ ଗୋପାଳ କହଇ ।୫।

ଉତ୍ତର-୨ :

 

 

ଶୁଣହେ ସୃଜନ ହୋଇ ଏକମନ

 

ଦାସ ରାଜାର ଚରିତ

 

ସିଂହଳ ଦୀପରେ ଯାଇଣ ମିଳିଲା

 

ଶ୍ରୀହରି ଆଜ୍ଞାରେ ସେତ ।୧।

 

ବିରଧ୍ୱଜ ବୋଲି ଏକଇ ନୃପତି

 

ହୋଇଅଛି ସେ ବିଯୋଗ

 

ରାଜାର ବିହୁନେ ଅରାଜ୍ୟକ

 

ହୋଇ ସକଳେ ମନେ ଉଦ୍‍ବେଗ ।୨।

 

ହସ୍ତିଶିରେ ଦେଇ ସୁବର୍ଣ୍ଣ କଳସ

 

ବୁଲାନ୍ତି ସେ ଦେଶ ଦେଶ

 

ଯାହାଶିରେ ହସ୍ତି କଳସୀ ଢାଳିବ

 

ସେ ହେବ ରାଜ୍ୟ ନରେଶ ।୩।

 

ଏମନ୍ତ ସମୟେ ନାବରୁ ଉତୁରି

 

ଦାସରାଜା ଯାନ୍ତି ଚଳି

 

ଶ୍ୱେତ ହସ୍ତି ନେଇ ସୁବର୍ଣ୍ଣ କଳସ

 

ଦାସରାଜା ଶିରେ ଢାଳି ।୪।

 

ଦେଖିଣ ଆନନ୍ଦ ହୋଇ ନଗ୍ରଲୋକ

 

ବଜାଇଣ ବିରବାଦ୍ୟ

 

ଦାସ କଇବ୍ରତକୁ ଧରିଘେନି ଯାଇ

 

ବସାଇଲେ ସଭା ମଧ୍ୟ ।୫।

 

ଅହ୍ୟସ୍ତିରି ମାନେ ହୁଳାହୁଳି ଦେଇ

 

ବନ୍ଦାଇଲେ ଅର୍ଘ୍ୟଥାଳି

 

ରାଉତ ମାହୁନ୍ତ ପାତ୍ର ଅମନାତ୍ୟ

 

ଚଉପାଶେ ଆସି ମିଳି

 

ମଙ୍ଗଳ ଯେ ପାଠ ଜ୍ୟୋତିଷେ ପଢ଼ିଲେ

 

ବୁଝିଲେକ ଶୁଭଲଗ୍ନ

 

ମଧୁମାସ ଶୁକ୍ଳପକ୍ଷ ଯେ ପୂର୍ଣ୍ଣମୀ

 

ଆଦିତ୍ୟ ବାର ସେ ଦିନ ।୭।

 

ପୋଷ୍ୟା ନକ୍ଷତ୍ର ଯେ ଶୁଭ ଯୋଗ ପାଇ

 

ମାହିନ୍ଦ୍ର ବେଳାରେ ନେଇ

 

ରାଜସିଂହାସନେ ଦାସ କଇବ୍ରତକୁ

 

ବସାଇଲେ ବିପ୍ରେ ଜହିଁ ।୮।

 

ନୃପତି ହୋଇଲେ ଦାସରାଜା ତହିଁ

 

ବହିଗଲା କିଛିଦିନ

 

ପଶ୍ଚିମ ରାଷ୍ଟ୍ରରେ ଗୁଞ୍ଜିଗଳ ଦେଶେ

 

ଗିରି ନାମରେ ରାଜନ ।୯।

 

ଗୀରିମା ନାମେଣ ତାହାର ଦୁହିତି

 

ସର୍ବଗୁଣେ ସୁଲକ୍ଷଣି

 

ଦାସରାଜାଙ୍କୁ ଯେ ସେ ଗୀରିରାଜନ

 

ବିଭାଦେଲେ ଯେ ଦୁଲଣି ।୧୦।

 

ଋଷି ବିପ୍ରେ ମିଳି ସମ୍ୱର୍ଦ୍ଧନା କରି

 

ବର କନ୍ୟାଙ୍କୁ ବସାଇ

 

ଯଥା ମନ୍ତ୍ରେ ତାଙ୍କୁ ବିଭା କରାଇଲେ

 

ଆନନ୍ଦ କେପାରେ କହି ।୧୧।

 

ଅନେକ ଯେ ଧନରତ୍ନ ଯଉତୁକ

 

ଦେଲେକ ଗୀରି ରାଜନ

 

ନବ ଦିନେ ଲଜ୍ଜା ହୋମ କରାଇଲେ

 

ବେଢ଼ି ସ୍ତିରିଗଣ ମାନ ।୧୨।

 

ଶ୍ରୀହରି ଦୟାରେ ଦାସ ରାଜା

 

ତହିଁ ନିଶ୍ଚନ୍ତେ ପାଳିଲେ ରାଜ୍ୟ

 

ଠିକ ଠିକ କରି କଇବ୍ରତ ଚରିତ

 

କହଇ ଗୋପାଳ ଦ୍ୱିଜ ।୧୩।

Image

 

ସିଂହଳଦ୍ୱୀପ କଥା

 

ପ୍ରଶ୍ନ :

 

 

ଶ୍ରୀହରିଙ୍କୁ ଚାହିଁ ଅର୍ଜୁନ ବୋଲନ୍ତି

 

କଥାଏଁ ପୁଛଇ ମୁହିଁ

 

ସିଂହଳ ଦିପେ ଯେ ଦାସ ରାଜା ହେଲା

 

ସଂସୟ ମୋତେ ଲାଗଇ ।୧।

 

ସିଂହଳ ଯେ ଦିପ ବୋଲି ତାର ନାମ

 

କିଏ ଦେଲା କୁହ ମୋତେ

 

କେତେ ଯୋଯନ ଦୀର୍ଘପ୍ରତି ତାହାର

 

ପଚାରୁ ଅଛି ଯୁଗତେ ।୨।

 

ସେ ଦିପରେ କେତେ ଗୋଟି ଯେ ରାଜନ

 

କାହାର ସେହୁ କୁମର

 

ସେ ଦାସ ରାଜା ଯେ ସେ ଦିପେ

 

ରହିଲା ପୂର୍ବେ ପାଇ କାହା ବର ।୩।

 

ଦଣ୍ଡ ଛତ୍ର କାହାଠାରୁ ସେ ପାଇଲା

 

ଛତ୍ର ହେଲା କାହୁଁ ଜାତ

 

ସେ ଛତ୍ର ଗୋଟିକ ଦୀର୍ଘ ପ୍ରତି କେତେ

 

କାହଠୁ ହେଲା ସମ୍ଭୂତ ।୪।

 

ବେଣ୍ଟ କେହୁ ତାର କେ ହେଲା ପଞ୍ଜର

 

କାହିଁରେ ହେଲା ଛିଆଣ

 

କେବଣ ଯୁଗରେ ଆଦ୍ୟ କେଉଁଠାରେ

 

କେହୁ କରିଛି ନିର୍ମାଣ ।୫।

 

ସେ ଛତ୍ର ଉପରେ କେତେକ ଦେବତା

 

କରିଅଛନ୍ତି ଆଶ୍ରମ

 

କେଉଁ କାଠିପରେ କେବର ଦେବତା

 

କୁହ ମୋତେ ତାଙ୍କ ନାମ ।୬।

 

ଚନ୍ଦ୍ର ସୂର୍ଯ୍ୟ ଆଦି ବରୁଣ ଦେବତା

 

କେଉଁ ଦିଗେ କେ ରହିଲେ

 

ଏଥିର ଚରିତ୍ର ବୁଝାଇ କହିବ

 

ସଦଗୁରୁ ସେବିଥିଲେ ।୭।

 

କଇବ୍ରତ ବୁଲିଣ ତିନି ଅକ୍ଷର

 

କେଉଁଠାରୁ ଅବତରି

 

କେତେ ଅକ୍ଷର ଯେ ପୁରୁଷ ତହିଁର

 

କେତେ ଅକ୍ଷର ଯେ ନାରି ।୮।

 

ବିଷମ କିଳିଣି ଗୁରୁ ସେବିଥିଲେ

 

ଏହା କହି ଦେବ ମୋତେ

 

କଇବ୍ରତ ଚରିତ୍ର ଅଟେ ମହାଗ୍ରନ୍ଥ

 

ଗୋପାଳ ରଞ୍ଚିଲେ ଗୀତେ ।୯।

ଉତ୍ତର :

 

 

ଯାହା ପଚାରିଲୁ ତହିଁର ଉତ୍ତର

 

ଶୁଣରେ ରାଉତ ଭାଇ

 

ନୃସିଂହ ଯେ ଅବତାର ଚକ୍ରଧର

 

ହୋଇଥିଲେ ଯହୁଁଠାଇ ।୧।

 

ସିଂହଳ ଦିପ ଯେ ତେଣୁ ବହି ନାମ

 

ସେହିଦିନୁ ଦେଲେ ଧାତା

 

ଷୋହଳ ଯୋଜନ ଦୀର୍ଘ ପ୍ରତି ତାର

 

ଷୋଳନୃପତି ଗଣିତା ।୨।

 

ଶୁଷେଣ ସୁବାହି ଚନ୍ଦ୍ରସେନ

 

ଜାଣ ନିଳସେନ ମନୁଦଣ୍ଡ

 

ସୁରଧ୍ୱଜ, ବୀରଭୂଜ, କେତୁସେନ

 

ପ୍ରବଳଚନ୍ଦ୍ର ମାର୍କଣ୍ଡ ।୩।

 

ଏହି ରୂପେ ଷୋଳ ରାଜା ସେ ରାଜ୍ୟର

 

ଏକୁ ଏକ ଚକ୍ରବ୍ରତି

 

ଦଣ୍ଡ ସିଂହାସନ ଦାସ କୈବ୍ରତକୁ

 

ଦେଇଛନ୍ତି ବେଦପତି ।୪।

 

ଛତ୍ର ଗୋଟି ଅଟେ ଊଣାଇଶ ବର୍ଗ

 

ମନଦଣ୍ଡ ତାର ବେଣ୍ଟ

 

ଆଠ କାଠି ତାର ଅଷ୍ଟଦିଗପାଳ

 

ଛାଉଣି ସୂର୍ଯ୍ୟଙ୍କ ନେତ ।୫।

 

ପଶ୍ଚିମେ ବରୁଣ ପୂର୍ବରେ ଆଦିତ୍ୟ

 

ଇସାନ୍ୟରେ ସଦାଶିବ

 

ଅଗ୍ନିକୋଣେ ଅଗ୍ନି ଦକ୍ଷିଣେ କୁବେର

 

ନୈରୁତେ ଯେ ସାର୍ଧ ଦେବ ।୬।

 

ବାଇବ୍ୟ କୋଣରେ ପବନ ଦେବତା

 

ମଧ୍ୟରେ ଯେ ମେଘମାଳ

 

ଅନନ୍ତ ଯେ ଚଉପାଶେ ରହିଛନ୍ତି

 

ଦେବତା ଧୃବମଣ୍ଡଳ ।୭।

 

ଉତ୍ତର ଦିଗରେ ହିମାଳୟ ଗିରି

 

ହେମ ସୁବର୍ଣ୍ଣ ନିର୍ମାଣ

 

ଏମନ୍ତ ପ୍ରକାରେ ଛତ୍ର ଗୋଟି କରି

 

ଦେଲେକ ଚଉବଦନ ।୮।

 

କଇବ୍ରତ ବୋଲିଣ ତିନି ଯେ ଅକ୍ଷର

 

ଓଁକାରରୁ ହେଲା ଜାତ

 

କ-ବ ଦୁହେଁ ସ୍ତିରି ଯେ ଅଟନ୍ତି

 

ପୁରୁଷ ଅଟଇ ତ ।୯।

 

ମାତୃଭାଷାରୁ ଦୁଇ କ୍ଷର ଜନମ

 

ତେଣୁ ସ୍ତିରି ବୋଲାଇଲେ

 

ତମ ଗୁଣରୁ ଯେ ତ ଜନମ

 

ଦିଗପାଳ ରଞ୍ଚିଲେ ।୧୦।

Image

 

କର୍ଣ୍ଣିକା ମତ୍ସ୍ୟଚରିତ

 

ପ୍ରଶ୍ନ :

 

 

ଅର୍ଜୁନକୁ ଚାହିଁ ଶ୍ରୀକୃଷ୍ଣ ବୁଲନ୍ତି

 

ଶୁଣ ଆହେ ବୀର ପାଥ

 

ଯେଉଁ କଥାମାନ ପଚାରିଲୁ ତୁହି

 

ଶୁଣ ତହିଁର ଚରିତ୍ର ।୧।

 

ବିବାହ ହୋଇଣ ଦାସ ଯେ ନୃପତି

 

ତହୁଁ ଗଲା କେତେ ଦିନ

 

କର୍ମର ବିଯୁଗେ ତାହାର କୋଳରେ

 

ନହେଲା ପୁତ୍ର ଜନମ ।୨।

 

ସତେକ ଯୁବତୀ ବିଭାସେ ହୋଇଲା

 

ଗିରିମାତା ପାଟବତୀ

 

ପୁତ୍ରର ନିମନ୍ତେ ଅନୁକ୍ଷଣେ ଚିନ୍ତେ

 

ଭାଳୁଣି କରେ ନୃପତି ।୩।

 

ରାଜାର ଭାଳୁଣି ଦେଖି ପାଟରାଣୀ

 

ବୋଲଇ ଶୁଣ ରାଜନ

 

ରାଜ୍ୟ ସମ୍ପଦରେ କିଛି କାର୍ଯ୍ୟ ନାହିଁ

 

ବ୍ରାହ୍ମଣକୁ ଦିଅ ଦାନ ।୪।

 

ରାଣୀର ବଚନ ଶୁଣିଣ ରାଜନ

 

ବିପ୍ରକୁ ଆଣିଲେ ରାଇ

 

ବହୁ ଧନ ରତ୍ନ ଦେଇଣ ନୃପତି

 

ଯଜ୍ଞର ବିଧି କରାଇ ।୫।

 

କିଛି ଦିନ ଅନ୍ତେ ମୃଗୟା ନିମନ୍ତେ

 

ବନକୁ ଗଲା ନୃପତି

 

ଦେଖିଲା ବନରେ ମୃଗଣୀ ସଂଗରେ

 

ମୃଗକରେ କାମେ ରତି ।୬।

 

ଦେଖି ମୃଗରତି ଭୁଳ ହେଲା ମତି

 

ଶରୀରୁ ଟଳିଲା ବୀଜ

 

ସିଆଡ଼ି ପତ୍ରରେ ଚିଲ ପକ୍ଷୀ ହସ୍ତେ

 

ଦେଲେ ତାକୁ ନୃପରାଜ ।୭।

 

ଘେନି ଯାନ୍ତେ ପକ୍ଷୀ ଆର ଜଣେ ଦେଖି

 

ତା ସଙ୍ଗେ କଲା ସମର ।

 

ଲଖତ୍ରାସ ପାଇ ବେନି ଖଣ୍ଡ ହୋଇ

 

ବୀଜ ପଡ଼ିଲା ଜଳର ।୮।

 

କର୍ଣ୍ଣିକା ନାମେଣ ରୋହି ମଛ ଏକ

 

ସେ ବୀଜ ଗିଳିଲା ତହିଁ

 

ଏମନ୍ତ ପ୍ରକାରେ ରହିଲା ସେ ମୀନ

 

କେତେଦିନ ଗଲା ବହି ।୯।

 

ଏକ ଦିନ କରେ ବଡ଼ଶି ପକାଇ

 

ସବର ନେଲା ମୀନକୁ

 

ଯତନ କରିଣ ମୀନ ଗୋଟି ନେଇ

 

ଭେଟିଲା ଦାସରାଜାକୁ ।୧୦।

 

ଦେଖି ନୃପ ସାଇଁ ଶୁପକାର ରାଇ

 

ବୋଇଲେ ମୀନକୁ କାଟ

 

ଶୁପକାର ନେଇ ଗୃହରେ କାଟନ୍ତେ

 

ଗର୍ଭେ ଡାକିଲେ ବାଳକ ।୧୧।

 

ଗର୍ଭର ଶବଦ ଶୁଣିଣ ତବଦ

 

ହୋଇଲା ସେ ଶୁପକାର

 

ଆଶ୍ୱାସନା କରି ତାହାକୁ କାଟନ୍ତେ

 

ବେନି ଶରୀର ବାହାର ।୧୨।

 

ଦେଖି ଶୁପକାର ରାଜାଙ୍କ ଛାମୁର

 

ଶକଳ କହିଲା ଯାଇ

 

ଦେଖିଲେ ନୃପତି ବାଳକ ବାଳେକି

 

କୁଳାଗ୍ରତ କଲେନେଇ ।୧୩।

 

ମଛରା ଏ ମଛବତୀ ବୋଲି କରି

 

ରାଜା ଦେଲେ ତାଙ୍କ ନାମ

 

ସେହି ମଛବତୀ ଗର୍ଭରୁ ଯେ ବେଦ

 

ବ୍ୟାସ ହୋଇଲେ ଜନମ ।୧୪।

 

ଯେଉଁ ମଛ ଠାରୁ ଜନ୍ମିଲେ କୁମର

 

ସେ ମଛର ଜନ୍ମ ଶୁଣ

 

ମେନକା ବୁଲିଣ ଏକ ଅପକ୍ଷରି

 

ସତ୍ୟ ଯୁଗରେ ସେ ଜାଣ ।୧୫।

 

ଏକ ଦିନକରେ ସୁଧର୍ମା ସଭାରେ

 

ବ୍ରହ୍ମା ଆଦି ସର୍ବେମିଳି

 

ତାହାଙ୍କ ସଭାରେ ନକାସେ ସୁନ୍ଦେରୀ

 

କରୁଥିଲା ନୃତ୍ୟ କେଳି ।୧୬।

 

ଏମନ୍ତ ସମୟେ ତାହାର ଅଙ୍ଗରୁ

 

ରଜ ଖସିଲା ସଭାର

 

ରଜ ଖସନ୍ତେଣ କୁପେଣ ତାହାକୁ

 

ସାପ୍ୟ ଦେଲେ ବେଦବର ।୧୭।

 

ସ୍ତିରୀ ହୀନ ଯାତି କଲୁ ମଲୁ ଗତି

 

ମଛ ଯୋନି ହୁଅ ଜନ୍ମ

 

ଶୁଣି ଅପକ୍ଷରି ପାଦତଳେ ପଡ଼ି

 

ଭଏ ବୁଲଇ ବଚନ ।୧୮।

 

ଆହେ ବେଦପତି ସ୍ତିରୀ ହୀନ ଜାତି

 

କେମନ୍ତେ ହେବି କାରଣ

 

ଶୁଣି ବେଦପତି ହରସ ହୋଇଣ

 

କହିଲେ ମୁକ୍ଷ୍ୟ ବିଧାନ ।୧୯।

 

ତେଣୁ ସେ ମେନକା ହୋଇଣ କର୍ଣ୍ଣିକା

 

ମଛନାମ ହେଲା ତାର

 

ତାହାର ଦୁହିତା ଗର୍ଭୁ ବେଦବ୍ୟାସ

 

ଜନ୍ମ ହେବାର ବିସ୍ତାର ।୨୦।

 

ମଛ ଆଦି କରି ପୂର୍ବ ଜନ୍ମ କଥା

 

କହିଲି ଏହୁ ସକଳ

 

ସୁଜନ ମୋହର ଦୁଷ ନଧରିବ

 

କହଇ ଦ୍ୱିଜ ଗୋପାଳ ।୨୧।

Image

 

ଶ୍ରଦ୍ଧା କନ୍ୟା ଚରିତ

 

ପ୍ରଶ୍ନ :

 

 

ସାବଧାନ ହୋଇ ଶୁଣ ଏକମନ

 

କଥାୟେ ପୁଚ୍ଛଇ ମୁହିଁ

 

ମଛର ଗର୍ଭରୁ କୁମର କୁମାରି

 

ଜନମିଲେ କାହିଁ ପାଇଁ ।୧।

 

ପୂର୍ବଜନ୍ମ ତାଙ୍କ କେବଣ ଅଟଇ

 

ଜନ୍ମ ସେ କାହା କୁଳର

 

ନାମଗୋଟି ତାଙ୍କ କେବଣ ଅଟଇ

 

କେଉଁ ଗ୍ରାମେ ଥିଲା ଘର ।୨।

 

କାହା ସାପ୍ୟ ପାଇଁ କିପାଇଁ ଜନ୍ମିଲେ

 

କି ପୁନ୍ୟ ସେ କରିଥିଲେ

 

ବେଦବ୍ୟାସଙ୍କୁ ଯେ କେଉଁତପ କରି

 

ଗର୍ଭରେ ସେହୁ ଧଇଲେ ।୩।

 

ୟେଥିର ଚରିତ୍ର କହ ମୋତେ ଫେଡ଼ି

 

ଲାଗୁଛି ବଡ଼ ସନ୍ଦେହ

 

ଗୁରୁ ସେବି ଯେବେ ଶିକ୍ଷ୍ୟା କରିଅଛ

 

ମୋ ଆଗେ ବୁଝାଇ କହ ।୪।

 

ଯେଉଁ ଯୁଗେ ଯେଉଁ ରୂପେ ଜନମିଲେ

 

ସ୍ୱରୂପ କହ ଫିଟାଇ

 

ନପାରିଲେ କହି ଯିବ ତୁମ୍ଭେ କାହିଁ

 

ଦ୍ୱୀଜ ଗୋପାଳ କହଇ ।୫।

ଉତ୍ତର :

 

 

କର୍ଣ୍ଣମନ ଦେଇ ସୁଚିବନ୍ତ ହୋଇ

 

ଶୁଣ ମନେ ଦିବ୍ୟରସ

 

ବୀରଭୁଜ ବୋଲି ୟେକଇ ନୃପତି

 

ଜନ୍ମ ସେହୁ କାଶିଦେଶ ।୧।

 

ତାର ପତ୍ନୀ ନାମ ଅଟେ ଦମୟନ୍ତୀ

 

ବ୍ରହ୍ମାଙ୍କୁ ସେ କଲା ଧ୍ୟାନ

 

ତାହାର ବିନୟ ଦେଖି ବେଦବର

 

ତା’ଠାରେ ହେଲେ ପ୍ରସନ ।୨।

 

ଦମନ୍ତୀ ବୋଲଇ ଶୁଣ ବେଦସାଇଁ

 

ଯେ ଲାଗି ସେବିଲି ମୁହିଁ

 

ଦୋହିତା ଗୋଟିୟେ ମୋହୋର କୁଳରେ

 

କିପାଁ ଜନ୍ମ ଦେଲ ନାହିଁ ।୩।

 

ଶୁଣି ବେଦବର ବୋଲନ୍ତି ଉତ୍ତର

 

ଦୋହିତା ଦେବି ତ ଗର୍ଭେ

 

ତାହାଠାରୁ ଯେଉଁ ପୁତ୍ର ଜନମିବ

 

ସଂସାର ଧର୍ମ ସ୍ଥାପିବେ ।୪।

 

ତାର ନିଜ ବଂଶ ସଗରର ବଂଶ

 

ପୃଥିବୀ ଭକ୍ଷିବେ ସେହି

 

ୟେତେ କହି ବ୍ରହ୍ମା ଅନ୍ତର୍ଧ୍ୟାନ ହେଲେ

 

ପ୍ରସନରେ ବରହେଇ ।୫।

 

କିଛି ଦିନ ଅନ୍ତେ ତାହାର ଗର୍ଭରେ

 

ଦୁହିତାଏ ଜନ୍ମହେଲା

 

ଦେଖି ଦମୟନ୍ତୀ ହରସ ହୋଇଣ

 

ଶ୍ରଦ୍ଧା ନାମ ତାର ଦେଲା ।୬।

 

ସୁପ୍ରଭା ଋଷିଙ୍କୁ ବରିଲା ଦୁହିତା

 

ତାର ଲଯ୍ୟାହୁମ କାଳେ

 

ଋଷିଙ୍କ ସଙ୍ଗତେ ଅବଗ୍ୟଂ ବହିଲା

 

କୁପେ ଋଷି ସାପ୍ୟ ଦେଲେ ।୭।

 

ହୀନ ସ୍ତିରୀ ଜାତ ବୁଲୁତୁ ଅପ୍ରୀତି

 

ମଛଗର୍ଭେ ହୁଅ ଯାତ

 

ମଛର ଗର୍ଭରେ ଜାତ ହେବୁ ତୁହି

 

ପାଳିବ ଦାସ କୈବ୍ରତ

 

ଯୁଗ୍ମରତି କାଳେ ଅଯୁଗ୍ମ ବୋଲୁତୁ

 

ଯୁଗ୍ମ ହୋଇ ହୁଅ ଜନ୍ମ

 

ସ୍ତିରୀ ଯେ ପୁରୁଷ ବେନି ଜନମିବୁ

 

ସେ ଦାସ ରାଜା ବୀର୍ଜେଣ ।୯।

 

ୟେମନ୍ତେଣ ତାଙ୍କୁ ସକଳ ବୃତାନ୍ତ

 

ଋଷି ସାପ୍ୟଦେଲେ କହି

 

ସେହି ଦିନଠାରୁ ଶ୍ରଧା ଯେ ଯୁବତୀ

 

ମଛଗର୍ଭେ ଜନ୍ମ ହୋଇ ।୧୦।

 

ଅତି ଅଗ୍ରନ୍ଥରେ ୟେ ହା ମୁଁ କହିଲି

 

ନୋହଇ ୟେହୁ ଯୁଗତ

 

ବଳାତ୍କାର କରି ମୋତେ ପଚାରିଲ

 

ଗୋପତ ଅଟେ ୟେ ଗ୍ରନ୍ଥ ।୧୧।

 

ହେ ସୁଜନ ଜନେ ମ ଦୁସ ନଧର

 

ମୁହିଁ ହୀନ ମୃଖ ଜନ

 

ବେଦବ୍ୟାସ ପାଦେ ଥାଉ ମୋର ମତି

 

ଦ୍ୱିଜ ଗୋପାଳ ସରଣ ।୧୨।

Image

 

ସତ୍ୟବତୀ ଓ ପରାଶର ପ୍ରସଙ୍ଗ

 

କର୍ଣ୍ଣମନ ଦେଇ ସାବଧାନ ହୋଇ

ସୁଣ ଅପୂର୍ବ ଚରିତ୍ର

ରାଜାର ଦୋହିତୀ ଅଟେ ମଛବତୀ

ତାହାର ଯେବଣ କୃତ୍ୟ

ଦିନେ ମଛବତୀ ସଖିଗଣ ସଙ୍ଗେ

ବନେ ଯାନ୍ତେ ପୁଷ୍ପ ତୋଳି

ମଣିଭଦ୍ରା ନାମେ ୟେକ ନଦୀ ତହିଁ

ଆରମ୍ଭିଲେ ଜଳକେଳି ।୨।

ନାବରେ ବସିଣ କୈବ୍ରତ ନନ୍ଦନୀ

ହରସେ କେଳୀ କରନ୍ତେ

ବାଧାତା ଭିଆଣ କେ କରିବ ଆନ

ଶୁଣ ରସ ୟେଥୁଅନ୍ତେ ।୩।

ତପସ୍ୟା ତେଜିଣ ପରାଶର ମୁନି

ମିଳିଲେ ସେ ନଦୀ କୂଳେ

ଦେଖିଲେ ଯେ ନଦୀ ତରଙ୍ଗ ହୋଇଛି

ଅତି ହିଁ ଜଳ ଉଛୁଳେ ।୪।

ଚଉପାଶେ ଦୃଷ୍ଟି ଦେଲେ ତପୁଧନୀ

ଜଳରେ ନଦିଶେ ପଥ

ଦେଖିଲେ ନାବରେ ୟେକଇ

କୁମାରି କରୁଅଛି କେଳୀରସ ।୫।

ଡାକିଲେ ସେ ମୁନି ତୁ କାହା ନନ୍ଦିନୀ

ନାବ ଆଣ ମୋର ପାସ

ନାବରେ ଆମ୍ଭଙ୍କୁ ପାର କର ନିଅ

ଯୁଗେ ଯୁଗେ ଥିବ ଯଶ ।୬।

ଶୁଣିଣ କୁମାରୀ ଋଷିଙ୍କ ବଚନ

ନାବ ଲଗାଇଲା ନେଇ

ହରସ ହୋଇଣ ପରାଶର ମୁନି

ସେ ନାବେ ବସିଲେ ଯାଇ ।୭।

କୈବ୍ରତ ନନ୍ଦିନୀ ନାବନେଲା ବାହି

ନଦୀ ମଧ୍ୟରେ ପ୍ରବେଶ

ମୁନି ଯେ ବୋଲନ୍ତି କୁମାରୀକି ଚାହିଁ

ହୋଇଣ ଅତି ହରସ ।୮।

କଥା ୟେ କହଇ ଶୁଣଲ କୁମାରୀ

ତୁ ଯେବେ କରିବୁ ସତ୍ୟ

ମୁନିଙ୍କ ବଚନ ଶୁଣିଣ କୁମାରୀ

କହେ ହୋଇ ପ୍ରଣପତ୍ୟ ।୯।

ତୁମ୍ଭେ ମୋହମୁନୀ ମୁଁ ବାଳନନ୍ଦିନୀ

କି ସତ୍ୟ କରିବି ମୁହିଁ

ଋଷିୟେ ବୁଲନ୍ତି ଶୁଣଲୋ ଦୋହିତୀ

କାମେ ଭୋଳ ହୋଇଲଇଁ ।୧୦।

ଦେଇ ରତିଦାନ ରଖ ମୋ ଜୀବନ

ଯୁଗେ ଯୁଗେ ଥିବ କ୍ରୀତି

ଆମ୍ଭ ଆଗ୍ୟାଂ ତୋତେ ପ୍ରାପତ ହେଉସି

ହୁଅତୁ ନବ ଯୁବତୀ ।୧୧।

ଶୁଣି ସନମତ କଲାକ ସେ ସତ୍ୟ

ମୁନି କଲେ ବିଡ଼ମ୍ୱଣ

ରତି ରସେ ମୁନି ହରସ ହୋଇଲେ

ଜନ୍ମିଲା ୟେକ ନନ୍ଦନ ।୧୨।

ବେଦବ୍ୟାସ ନାମେ ସେହୁ ସେ

ହୋଇଲା ୟେଥୁ ଅନ୍ତେ କଥାଶୁଣ

ମୁନିଙ୍କର ସତ୍ୟ ସେ କନ୍ୟା ପାଲିଲା

ସତ୍ୟବତୀ ତାର ନାମ ।୧୩।

ଋଷିୟେ ବୋଇଲେ ସତ୍ୟବତୀ ତୁହି

ସତ୍ୟ ତୁ ପାଲିଲୁ ମୋର

ଯୁଯନଗନ୍ଧା ତୁ ଆମିସର ଦୋଷେ

ଋଷି ଦେଲେ ତାକୁ ବର ।୧୪।

ଋଷିଙ୍କ ଆଗ୍ୟାଂରେ ନବଯୁବା ତେଜି

ନିଜ ଦେହ ସେହୁ ପାଇ

ଠିକ ଠିକ କରି କଥା ପରିବନ୍ଧେ

ଦ୍ୱିଜ ଗୋପାଳ କହଇ ।୧୫।

Image

 

ସତ୍ୟବତୀ ଓ ଶାନ୍ତନୁ ପ୍ରସଙ୍ଗ

 

ୟେମନ୍ତେଣ ପୁଣ ଗଲା କେତେ ଦିନ

ୟେଥୁଅନ୍ତେ ଶୁଣ ଜନେ

ସାୟେନ୍ତନୁ ମୁନି ମୃଗୟା ନିମନ୍ତେ

ଅରନ୍ୟେ ପଶିଲେ ବନେ ।୧।

ମୃଗୟା ଲେଉଟି ଆସନ୍ତେଣ ଯତି

ମଧୁବନରେ ପ୍ରବେଶ

ରାଜାର ତନଈ ସତ୍ୟବତୀ ତହିଁ

ତୁଳୁଣ ଅଛଇ ପୁସ୍ୱ

ଯୁବା ସୁକୁମାରୀ ଅତ୍ୟନ୍ତ ସୁନ୍ଦରୀ

ଦେଖି ତାକୁ ନୃପସାଇଁ

ବୋଲନ୍ତି ସୁନ୍ଦରୀ କାହାର କୁମାରୀ

କହଗୋ ମୋ ଆଗେତୁହି ।୩।

ତାହାର ସଙ୍ଗତେ ଥିଲେ ଗ୍ରାମ ଲୁକେ

ବୋଇଲେ ସୁଣ ରାଜନ

ଦାସ କଇବ୍ରତ ଦୋହିତା ଅଟଇ

ସତ୍ୟବତୀ ତାର ନାମ ।୪।

ଶୁଣି ନୃପସାଇଁ କୈବ୍ରତକୁ ରାଇ

ବୋଇଲେ ଶୁଣ ବଚନ

କନ୍ୟା ଗୋଟି ତୋର ଅଛଇ ନବର

ଦିଅ ଆମ୍ଭଙ୍କୁ ପ୍ରଦାନ ।୫।

କହଇ କୈବ୍ରତ ଶୁଣ ନୃପନାଥ

ତୁମ୍ଭର ଅଛି ଯେ ପୁତ୍ର

ପୁତ୍ର ଦୋହିତା ହିଁ ଯାହାର ନଥିବ

ଦେବଇଂ ତାକୁ ଦୋହିତା ।୬।

ଯାହାର କୁଳରେ ମୋହର ଦୁଲେଣି

ହୋଇବାକ ପାଟରାଣୀ

ତୁମ୍ଭଙ୍କୁ ଯେବେ ମୁଁ ଦେବଇଂ ଦୋହିତି

ହେବସିନା ସପତଣୀ ।୭।

ଶୁଣି ମହାମତି ହୋଇ କୃପ ମୃତୀ

ନଗ୍ରକୁ ବାହୁଡ଼ି ଗଲେ

ଅର୍ନ୍ନଜଳ ଗ୍ରାସ ନକରି ଆପଣେ

ମଉନବ୍ରତେ ହୋଇଲେ ।୮।

ଗଙ୍ଗାଙ୍କ ନନ୍ଦନ ଭିସ୍ମଯେ ରାଜନ

ଏମନ୍ତ ବୃତାନ୍ତ ଶୁଣି

ପିତାର ଚରଣେ ପ୍ରଣମ୍ୱିତ ହେଲେ

କିମ୍ପା ତୁମ୍ଭର ଭାଳୁଣୀ ।୯।

ନୃପତି ବୋଲଇ ଶୁଣରେ କୁମର

ମୃଗୟାକୁ ଥିଲି ଯାଇ

କୈବ୍ରତ କୁମାରୀ ଅତି ସୁକୁମାରୀ

ପଥରେ ଭେଟିଲି ମୁହିଁ ।୧୦।

ସେ କନ୍ୟାକୁ ଦେଖି ଗଲି ପ୍ରେମେ ଲାଖି

ଗୋଡ଼ାଇଲି ତା ସଂଗର

ଯାଇ ତାପୁରକୁ ବହୁତ କହିଲି

ନାସ୍ତି କଲା ନୃପବର ।୧୧।

ପିତାର ବଚନ ଶୁଣିଣ ନନ୍ଦନ

ଗଲେ ରାଜାର ନବର

ଭୀସ୍ମକୁ ଦେଖିଣ ବୋଲଇ ନୃପତି

କିପାଇଁ ବିଜେ ମୋ ପୁର ।୧୨।

ଭୀସ୍ମ ଯେ ବୁଲନ୍ତି ଶୁଣହେ ନୃପତି

ଯେ ଲାଗି ଅଇଲି ମୁହିଁ

ତୁମ୍ଭର ଦୁହିତା ଦେଖି ଆମ୍ଭ ପିତା

ଅଛନ୍ତି ଅସ୍ଥିର ହୋଇ ।୧୩।

ଶୁଣ ହେ ରାଜନ ଆମ୍ଭ ବୋଲ ମାନ

ଦୁହିତା ଦିଅ ପିତାଙ୍କୁ

ଶୁଣି ଦଣ୍ଡଧର ଭୀସ୍ମଙ୍କ ସଂଗର

ଘେନିଣ ଗଲା କନ୍ୟାକୁ ।୧୪।

ସୁବେଶ କରାଇ କନ୍ୟା ଗୋଟି ନେଇ

ବିଭା ଦେଲା ନୃପବର

ଋଷି ବିପ୍ରମିଳି ବିଭା କରାଇଲେ

ଯଥା ଯଥା ଯେ ମନ୍ତ୍ରର ।୧୫।

ଚିତ୍ର ଯେ ବିଚିତ୍ର କାହାର କୁମର

ଏହା ଦେବ ମୋତେ କହି

ଗୁରୁ ସେବି ଥିଲେ ସଭାରେ କହିବ

ଦ୍ୱିଜ ଗୋପାଳ କହଇ ।୧୬।

Image

 

ସତ୍ୟବତୀଙ୍କ ବଂଶାନୁଚରିତ

 

ପ୍ରଶ୍ନ :

 

 

ଶୁଣହେ ଗାୟେକ ମନ କରିୟେକ

 

କଥାଏ ପଚାରେ ମୁହିଁ

 

ସତ୍ୟବତୀ ବୋଲି କେବଣ କୁମାରୀ

 

ଦାସ ରାଜାର ତନଇ ।୧।

 

ପାରେସ୍ୱରତାକୁ ବିଡ଼ମ୍ୱଣ କଲେ

 

ବେଦବ୍ୟାସ ହେଲେ ଜାତ

 

ଯୁଯନ ଗନ୍ଧା ଯେ ମୁନି ନାମ ଦେଲେ

 

ଜଗତ୍ରେ ହୋଇଲେ କ୍ଷାତ ।୨।

 

ସେ କନ୍ୟାକୁ ପୁଣ କେହୁ ବିଭାହେଲେ

 

କେବଣ ଠାବେ ରହିଲା

 

କେତେଗୋଟି ପୁତ୍ର ଦୁହୀତା ତାହାର

 

ସନ୍ଦେହ ମୋତେ ଲାଗିଲା ।୩।

 

ତାହାର ଯେ ବଂଶ ସୁଚିକି ଅସୁଚି

 

କେବଣ ସେ ବୁଲାଇଲେ

 

କେଉଁ ଯୁଗରେ ସେ କେଉଁ କ୍ରୀତି କରି

 

କେବଣ ଧର୍ମେ ରହିଲେ ।୪।

 

କେତେ ଗୋଟି ପୁତ୍ର ଦୁହିତା ତାଙ୍କର

 

ତାଙ୍କ ନାମ ଅଟେ କିସ

 

ସଂସାର ମଧ୍ୟରେ କେବଣ କୀରତି

 

କରିଛନ୍ତି ତାଙ୍କ ବଂଶ ।୫।

 

ସତ୍ୟବତୀ କନ୍ୟା ପୁଣି କେଣେ ଗଲା

 

ୟେହା ଦେବ ମୋତେ କହି

 

କୈବ୍ରତ ଚରିତ୍ର ଅଟେ ମହାଗ୍ରନ୍ଥ

 

ଦିଜ ଗୋପାଳ କହଇ ।୬।

ଉତ୍ତର :

 

 

ଶୁଣହେ ସୁଯନ ହୋଇ ୟେକମନ

 

ଯାହା ପଚାରିଲ ରସ

 

ସତ୍ୟବତୀ ଠାରୁ ଅବିଭାଇ କାଳେ

 

ଜାତ ହେଲେ ବେଦବ୍ୟାସ ।୧।

 

ସେ ସତ୍ୟବତୀକି ଦାସ ଯେ ନୃପତି

 

ଭିସ୍ମଙ୍କୁ ସେ ବରିଥିଲେ

 

ପିତାସତ୍ୟ ପାଳି ଭିସ୍ମ ଯେ ରାଜନ

 

ବିଭା ସେ କେଭେ ନୋହିଲେ ।୨।

 

ସେ କନ୍ୟା ଗୋଟିକୁ ସାୟେନ୍ତନୁ ମୁନି

 

ଭେଟିଲେକ ଦିନେ ଯାଇ

 

ଦାସ କୈବ୍ରତକୁ କହିଣ ନୃପତି

 

କନ୍ୟାଗୋଟି ବିଭା ହୋଇ ।୩।

 

ଚିତ୍ର ବିଚିତ୍ର ଯେ ଦୁଇଟଗୋଟି ପୁତ୍ର

 

ସତ୍ୟବତୀଠାରୁ ଜାତ

 

ଅମ୍ୱା ଅମ୍ୱାଲିକା ଦୁଇଗୋଟି କନ୍ୟା

 

ବିଭା ହେଲେ ସେ ତୁରିତ ।୪।

 

ବ୍ରହ୍ମା ଯେ ବସିଷ୍ଟ ବ୍ୟାସ ମାରକଣ୍ଡ

 

ସପ୍ତଋଷି ଗଣମିଳି

 

ବିଭା କରାଇଲେ ସପ୍ତଋଷିଗଣ

 

ନାରୀ ଦେଲେ ହୁଳାହୁଳି ।୫।

 

ତାର ପୁତ୍ର ସେ ଯେ ଚିତ୍ର ଯେ ବିଚିତ୍ର

 

କିଛିଦିନ ଅନ୍ତେ ମଲେ

 

ଦେଖି ସାୟେନ୍ତନୁ ବିରସ ହୋଇଣ

 

ବେଦବ୍ୟାସ ଡକାଇଲେ ।୬।

 

ଭାଇବହୂ ସଙ୍ଗେ କଲେକ ରମଣ

 

ବେଦବ୍ୟାସ ମହାମୁନି

 

ତାହାଙ୍କ ବୀର୍ଯ୍ୟରୁ ଜନମ ହୋଇଲେ

 

ପଣ୍ଡୁ ଧୃତରାଷ୍ଟ୍ର ବେନି ।୭।

 

ଦାସୀପୁତ୍ର ସେଜେ ଅଟଇ ବିଦୂର

 

ସେହି ରୂପେ ତିନିଜଣ

 

ଧୃତରାଷ୍ଟ୍ର ରାଜା ଅନ୍ଧ ଯେ ଅଟଇ

 

ତାଙ୍କର ସତେ ନନ୍ଦନ ।୮।

 

ପଣ୍ଡୁଙ୍କର ପାଞ୍ଚପୁତ୍ର ଯେ ହୋଇଲେ

 

ପାଞ୍ଚ ବିଷ୍ଣୁ ଅବତାର

 

ଶ୍ରୀ ମହାଭାରଥ କଲେକ ରଞ୍ଚନା

 

ହସ୍ତିନାରେ ଦଣ୍ଡଧର ।୯।

 

ଶୁଣ ହେ ସୁଜନ ସତ୍ୟବତୀ କଥା

 

କିଞ୍ଚିତେ କହିଲି ମୁହିଁ

 

ସତ୍ୟବତୀଠାରୁ ସୁମ ବଂଶ ଜାତ

 

ଦିଜ ଗୋପାଳ କହଇ ।୧୦।

Image

 

ଶରୀର ମଧ୍ୟରେ ଭାରତ ଯୁଦ୍ଧ ଚରିତ

 

ପ୍ରଶ୍ନ :

 

 

ଅର୍ଜୁନ ବୋଲଇ ଶୁଣ ଭାବଗ୍ରାହୀ

 

ଭାରତ ଯୁଦ୍ଧ୍ୟ ଚରିତ୍ର

 

ଏହି ଦେହେଂ ମୋତେ ବୁଝାଇ କହିବ

 

କାହୁଁ ହେଲା କୁରୁକ୍ଷେତ୍ର ।୧।

 

ଦୀର୍ଘତାର କେତେ ପ୍ରତିତାର କେତେ

 

ଏକଥା ଫେଡ଼ି କହିବ

 

କେଉଁ ଦିଗରେ ଯେ ପଣ୍ଡୁରାଜ ସୁତେ

 

ଯୁଦ୍ଧ କଲେକ ଆରମ୍ଭ ।୨।

 

ଦ୍ରୁଯୁଦ୍ଧନ ରାୟେ କେବଣ ଦିଗରେ

 

ଆରମ୍ଭିଲେ ଯୁଦ୍ଧ ମାନ

 

ଶ୍ୱରିର ମଧ୍ୟରେ ଫିଟାଇ କହିବ

 

ଯୁଦ୍ଧମାନଙ୍କର ନାମ ।୩।

 

ମାନଗୋବିନ୍ଦ ଯେ କିୟେସେ ଅଟଇ

 

ଦ୍ରୋଣଗୁରୁ ଅଟେ କିଏ

 

ଶଙ୍କୁନି ବୋଲିଣ କାହାକୁ କହନ୍ତି

 

ଧୁଶାସନ କାହିଁ ରହେ ।୪।

 

ଶଲ୍ୟ କେ ଅଟଇ କହିଦେବ ମୋତେ

 

କେ ଅଟଇ ଅଶ୍ୱସ୍ଥାମା

 

ଧୁତିରାଷ୍ଟ୍ର ବୋଲି କେବଣ ଅଟଇ

 

କେହୁ ଅଟେ କୃପ ବ୍ରହ୍ମା ।୫।

 

କୁରୁବଳ ସୈନ୍ୟ କେ କେଉଁସ୍ଥାନରେ

 

ସ୍ୱରି ମଧ୍ୟରେ ଅଛନ୍ତି

 

ଯୁଧ୍ୟେଷ୍ଠୀ ଅର୍ଜୁନ ଭୀମ ସହଦେବ

 

ନକୁଳ କାହିଁ ଅଛନ୍ତି ।୬।

 

ଭାରଥ ଖୁମ୍ୱ ଯେ କାହାକୁ କହନ୍ତି

 

କେଉଁଠାରେ ଅଛି ରହି

 

ଗୁରୁ ସେବିଥିଲେ ଏହା କହିଦେବ

 

ଦ୍ୱିଜ ଗୋପାଳ କହଇ ।୭।

ଉତ୍ତର :

 

 

ଶ୍ରୀହରି ବୋଲନ୍ତି ଶୁଣ ସର୍ବସାଚି

 

ଯାହା ପଚାରିଲୁ ମୋତେ

 

ଭାରଥ ଚରିତ୍ର ଶ୍ୱରୀର ମଧ୍ୟରେ

 

ବୁଝାଇ କହିବା ତୋତେ ।୧।

 

ଶ୍ୱରୀର ଗୋଟେ ଯେ କୁରୁକ୍ଷେତ୍ର ଭୂମି

 

ଦ୍ୱାଦଶ ଯୋଜନ ଜାଣ

 

ପଞ୍ଚୁପ୍ରାଣ ୟେ ଯେ ପଣ୍ଡୁ ଆଦି ପୁତ୍ରେ

 

ପୂର୍ବେ ଦିଗେ କଲେ ରଣ ।୨।

 

ଏକାଦଶ ବୈରି ଛଡ଼ ଇନ୍ଦ୍ରି ଆଦି

 

ଦ୍ରିଜୁଧନ ଶତେ ଭ୍ରାତ

 

ବରୁଣ ଦିଗରେ ଯୁଦ୍ଧ କଲେ ରହି

 

ଶୁଶ ଧନର୍ଜୟେ ପ୍ରାଥ ।୩।

 

ମନ ଗୋଟି ଅଟେ ମାନ ଯେ ଗୋବିନ୍ଦ

 

ପରମଟି ଦ୍ରୋଣ ଗୁରୁ

 

ଶଙ୍କୁନି ବୋଲିଣ ଯାହାକୁ କହନ୍ତି

 

ଯାତ ସେହୁ ପ୍ରକୃତିରୁ ।୪।

 

କ୍ରୁଧ ଯେ ପୁରୁଷ ଧୁଶାଃସନ ଅଟେ

 

ମାୟା ଯେ ଅଟଇ ଶଲ୍ୟ

 

ହିଂସାରୁ ଯେ ଅଶ୍ୱସ୍ଥାମା ଜନମିଲେ

 

ପାପ ଧୁତିରାଷ୍ଟ୍ର ମଲ୍ଲ ।୫।

 

କୁପ ପୁରୁଷ ଯେ ଅଟେ କୃପ ବ୍ରହ୍ମା

 

ତମ ଅଟେ ବୀର କର୍ଣ୍ଣ

 

ଧର୍ମ ଆତ୍ମା ପଞ୍ଚୁ ଭ୍ରାଥୟେ ଅଟନ୍ତି

 

ଯୁଧେଷ୍ଟି ଭୀମ ଅର୍ଜୁନ ।୬।

Image

 

ଚନ୍ଦ୍ର ଓ ସୂର୍ଯ୍ୟଙ୍କ କଥା

 

ପ୍ରଶ୍ନ :

 

 

ଶୁଣ ହେ ରାଉତ ଏକମନ ହୋଇ

 

କଥାଏ କହଇ ତୋତେ

 

ଚନ୍ଦ୍ର ସୂର୍ଯ୍ୟ ବେନି କି ରୂପେ ସମ୍ଭୂତ

 

ଏହା କହି ଦେବ ମୋତେ ।୧।

 

କେତେକ ଭାରିଯା ଅଟନ୍ତି ତାଙ୍କର

 

କେଉଁ ଅକ୍ଷରରୁ ଜନ୍ମ

 

ଚନ୍ଦ୍ରଙ୍କର କେତେ ଭାରିଯା ଅଟନ୍ତି

 

କୁହ ମତେ ତାଙ୍କ ନାମ ।୨।

 

ନଫୁସକ କିପାଁ ଚନ୍ଦ୍ରମା ହୋଇଲେ

 

ପୂର୍ବେ କାହା ଶାପ୍ୟ ପାଇ

 

ଅମାବାସ୍ୟା ଦିନ ଉଦୟେ ନହୋଇ

 

ଚନ୍ଦ୍ରମା ରୁହଇ କାହିଁ ।୩।

 

କାହାର ଶାପ୍ୟରେ ଖଣ୍ଡ ଖଣ୍ଡ ହେଲେ

 

ଏହା ଦେବୁ ମୋତେ କହି

 

ଛାୟାମାୟା ବୋଲି କାହାର କୁମାରୀ

 

କାହୁଁଥିଲେ ଜନ୍ମ ହୋଇ ।୪।

 

ଛାୟା ମାୟାଙ୍କର କି ରାଶି ନକ୍ଷତ୍ର

 

କହିବ ଫିଟାଇ ମତେ

 

ଓଲଟ ବଟ ଯେ କେଉଁଠାରେ ଅଛି

 

ଏହା ପଚାରଇ ତତେ ।୫।

 

ହଂସ ବୁଲି କରି ବେନି ଯେ ଅକ୍ଷର

 

ଡାକୁଛି ସର୍ବ ଠାବର

 

ସେ ବେନି ଅକ୍ଷର କାହୁଁ ଜାତ ହେଲା

 

ଏହା କହିବ ସଭାର ।୬।

 

ତିନି ଅକ୍ଷର ଯେ ବ୍ରହ୍ମା, ବିଷ୍ଣୁ ,ହର

 

ଏ ତିନି ଅକ୍ଷର କିଏ

 

ସଭାର ଯେ ଦୀର୍ଘ ପ୍ରତି କେତେ ଅଟେ

 

କହିବ ଏଥି ନିର୍ଣ୍ଣୟେ ।୭।

 

ଚଉଦ ଭୁବନ କାହାକୁଟି କହି

 

ଶ୍ୱରୀର ମଧ୍ୟରେ କୁହ

 

ଦ୍ୱିଜ ଗୋପାଳ ଗୀତରେ ବନାଇଲେ

 

ଗୁରୁ ପାଦେ ମନ ଦିଅ ।୮।

ଉତ୍ତର :

 

 

ଶୁଣ ହେ ସୁଜନ ଦେଇ ମନକର୍ଣ୍ଣ

 

ଚନ୍ଦ୍ର ସୂର୍ଯ୍ୟଙ୍କ ଚରିତ୍ର

 

ଯେଉଁ କାଳେ ସୃଷ୍ଟି ପ୍ରଳୟରେ ଥିଲା

 

ନଥିଲାକ ଏ ଜଗତ ।୧।

 

ଆପେ ନିରାକାର ସୁନାମୟେ ପୁର

 

ଜ୍ୟୋତିମୟେ ଥିଲେ ରହି

 

ତାହାଙ୍କ ଅଙ୍ଗରୁ ବିନ୍ଦୁ ୟେକ ଖସି

 

ଜଳେ ପଡ଼ିଲାକ ବହି ।୨।

 

ଜଳ ଲହରୀରେ ଭାସିଣ ସେ ବିନ୍ଦୁ

 

ଡିମ୍ୱ ହେଲା ଏକ ଜାତ

 

ଭାସି ଭାସି ଜଳେ ଲହରୀ ପ୍ରବଳେ

 

ବେନି ଫାଳ ହେଲା ସେତ ।୩।

 

ଉପର ଫାଳ ଯେ ଆଦିତ୍ୟ ହୋଇଲେ

 

ଦ୍ୱାଦଶ ଆଙ୍ଗୁଳ ଜାଣ

 

ତଳ ଫାଳ ଗୋଟି ଚନ୍ଦ୍ର ଯେ ହୋଇଲେ

 

ଷୋଳ ଆଙ୍ଗୁଳ ପ୍ରମାଣ ।୪।

 

ସତାଇଶ ନାରୀ ଚନ୍ଦ୍ରର ଅଟନ୍ତି

 

କାଶ୍ୟପଙ୍କ ଠାରୁ ଜାତ

 

ସୂର୍ଯ୍ୟଙ୍କର ଛାୟା ମାୟା ଯେ ଅଟନ୍ତି

 

ଅଙ୍ଗରୁ ତହୁଁ ସମ୍ଭୂତ ।୫।

 

ଗୁରୁଙ୍କର ପତ୍ନୀ ହରିଣ ଯେ ଚନ୍ଦ୍ର

 

ତେଣୁ ହେଲେ ନଫୁସକ

 

ନିରାକାର ଶାପେ ଉଆଁସରେ

 

ଚନ୍ଦ୍ର ଶିବ ଜଟାରେ ସୁପତ ।୬।

 

ନିରାକାର ପଦ ନେବା ଇଚ୍ଛାକରି

 

ତେଣୁ ହେଲେ ଖଣ୍ଡ ଖଣ୍ଡ

 

ଉଲଟ ବଟ ଯେ ଗିରି କୁଟେ ଅଛି

 

ହଂସ ପରମ ପ୍ରଚଣ୍ଡା ।୭।

 

ତିନି ଅକ୍ଷର ଯେ ବ୍ରହ୍ମା, ବିଷ୍ଣୁ, ହର

 

ସତ, ରଜ, ତମ ଜାଣ

 

ସଭା ଦୀର୍ଘ ପ୍ରତି ଅଟଇ ପହଣ୍ଡ

 

ଦ୍ୱିଜ ଗୋପାଳ ରଞ୍ଚନ ।୮।

Image

 

କୈବ୍ରତୀ ଜନ୍ମକଥା

 

ପ୍ରଶ୍ନ :

 

 

ଶୁଣ ସଭାଜନ ହୋଇ ଏକମନ

 

କଥାଏ ପୁଚ୍ଛଇ ମୁହିଁ

 

କୈବ୍ରତ ବୁଲିଣ କାହୁଁ ଜନମିଲେ

 

ଏହା ଦେବ ମୋତେ କହି ।୧।

 

ଚନ୍ଦ୍ର ଦିବାକର ବରୁଣ କୁବେର

 

ନଥିଲେ ସକଳ କେହି

 

ନିରାକାର ପ୍ରଭୁ ସଲିଳରେ ଥିଲେ

 

କିରୂପେ ଜନ୍ମିଲେ ମହି ।୨।

 

କେଉଟ ବୁଲିଣ କାହୁଁ ଜନମିଲେ

 

କେହୁ ଦେଲା ତାର ନାମ

 

କାହା ଶାପ୍ୟ ପାଇ କେବଣ ପ୍ରକାରେ

 

ହୋଇଲେ ମଞ୍ଚେ ଜନମ ।୩।

 

ଆଦ୍ୟରେ ସଂସାର ସର୍ଜନା ହୋଇଲା

 

କେତେ ଅନ୍ତେ କେଉଁ ଜାତି

 

କେତେ ବର୍ଣ୍ଣ ଅଟେ କେମନ୍ତ ପ୍ରକାରେ

 

କୈବ୍ରତ ହେଲେ ଉତ୍ପତି ।୪।

 

ଆଦ୍ୟେ ଯେ ସଂସାରେ ଜନମ ହୋଇଲା

 

କିସ ଅଟେ ତାର ନାମ

 

କେହୁ ତାର ମାତା କେହୁ ତାର ପିତା

 

କି ରୂପେ ହେଲେ ଜନମ ।୫।

 

କାହା ଠାରୁ ବର ପାଇଣ କୈବ୍ରତ

 

ମୀନ ମାରଇ ସଂସାରେ

 

ନାବ ଗୁଟି ତାଙ୍କୁ କେହୁ ଦେଲା ଆଣି

 

କହିବ ଏହି ସଭାରେ ।୬।

 

କୈବ୍ରତୀ ବୁଲି କାହୁଁ ଜନମିଲା

 

କାହାର ଅଟେ କୁମାରୀ

 

ସେ କନ୍ୟାଗୁଟିକ କେହୁ ବିଭାହେଲା

 

କହିବ ମୋତେ ବିସ୍ତାରି ।୭।

 

କଳ୍ପବଟ ବୁଲି କାହୁଁ ଉତପତି

 

କେଉଁଠାରୁ ଉତପନ

 

ସେ ବଟ ଉପରେ କୈବ୍ରତ ରହିଲା

 

କରିଥିଲା କେଉଁ ପୁନ୍ୟ ।୮।

 

ସେ ବଟ ଗୁଟିର କେତେ ଗୁଟି ଡାଳ

 

କେତେ ଉଛର୍ଗ ଅଟଇ

 

କେତେ ଦୂରକୁ ସେ ଚେର ଲମ୍ୱିଥିଲା

 

କହିବ ମତେ ବୁଝାଇ ।୯।

 

ସେ ବୃକ୍ଷ ଉପରେ କାହର ଆଶ୍ରମ

 

କେତେ ଜଣ ଥାନ୍ତି ରହି

 

ଗୁରୁ ସେବି ଥିଲେ ଏହା କହିଦେବ

 

ଦ୍ୱିଜ ଗୋପାଳ କହଇ ।୧୦।

ଉତ୍ତର :

 

 

ଏଥୁ ଅନ୍ତେ ଶୁଣ ଅପୂର୍ବ ବିଧାନ

 

କହୁ ଅଛି ଏ ସଭାର

 

କେତେ ବର୍ଣ୍ଣ ଅନ୍ତେ କୈବ୍ରତ ଜନ୍ମିଲେ

 

କହିବା ଏଥି ଉତ୍ତର ।୧।

 

ଯେତେବେଳେ ସୃଷ୍ଟି ପ୍ରଳୟରେ ଥିଲା

 

ସଂସାରେ ନଥିଲେ କେହି

 

ନିରାକାର ପ୍ରଭୁ ଜଳରେଣ ଥିଲେ

 

ଯେମନ୍ତେ ଶୁଣ ତା କହି ।୨।

 

ଆପେ ନାରୟଣ ସେ ମହା ଜଳେଣ

 

ସୃଷ୍ଟି କି ସର୍ଜନା କଲେ

 

ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ, ଶୂଦ୍ର ଆଜି

 

ଚାରି ଜାତି ଭିଆଇଲେ ।୩।

 

ଚାରି ବର୍ଣ୍ଣ ଅନ୍ତେ ବିଚାରିଣ ଚିତ୍ତେ

 

କାମକୁ ଜନମ କଲେ

 

କାମଦେବ ବୋଲି ସଂସାର କାରେଣି

 

ମହାମାଇ ଜାଣ ଭଲେ ।୪।

 

ସେ କାମ ସଙ୍ଗେଣ କଲେକ ରମଣ

 

ତହିଁର ବିଧାନ ଶୁଣ

 

ତାହାର ସଙ୍ଗତେ ବିହାର କରନ୍ତେ

 

ପୁତ୍ରେକ ହେଲା ଜନମ ।୫।

 

ବିଷ୍ଣୁଙ୍କ ବୀର୍ଯ୍ୟରୁ ଉତ୍ପତ୍ତି ହୋଇଲା

 

ମହାମାଇ ଗର୍ଭେ ଜାଣ

 

ଦେଖି ନାରାୟଣ ହରସ ହୋଇଣ

 

ତା ନାମ ଦେଲା ପୁଣ ।୬।

 

ପ୍ରଚଣ୍ଡ ବୁଲିଣ ନାମ ଦେଲେ ତାର

 

ତାହାକୁ ସ୍ଥାପିଲେ ମହି

 

ସେହୁ ଯେଉଁଠାରୁ ବିଭା ହୋଇଅଛି

 

ଶୁଣ ତାହା ଦେବା କହି ।୭।

 

ତମାଳ ବୁଲିଣ ଏକ ଗୁଟି ନଗ୍ର

 

ଜମ୍ଭୁ ଦ୍ୱିପର ମଧ୍ୟର

 

ସୁନାଶିର ବୁଲି ତହିଁରେ କୈବ୍ରତ

 

ଜନ୍ମ ସେ ବିଷ୍ଣୁ ଅଂଶର ।୮।

 

ତାହାର କୁମାରୀ ତ୍ରିପୁର ସୁନ୍ଦରୀ

 

ଚନ୍ଦ୍ରରେଖା ତାର ନାମ

 

ପ୍ରଚଣ୍ଡ କୈବ୍ରତ ତାକୁ ବିଭା ହେଲା

 

ବିଷ୍ଣୁ ତା କଲେ ଭିଆଣ ।୯।

 

ତାହାର ଗର୍ଭରୁ ଜନମ ହୋଇଲା

 

ସୁଚଣ୍ଡ ନାମେ କୁମର

 

ସେହୁ ବିଭା ହେଲା ପଦ୍ମସେନ ବୁଲି

 

ନୃପତି ଗୁଞ୍ଜଗଳର ।୧୦।

 

ତାହାର ଦୁହିତା ପଦ୍ମିନୀ ଅଟଇ

 

ସେ କନ୍ୟା ସେ ବିଭା ହୋଇ

 

ରାହୁଦଣ୍ଡ ନାମେ ଏକଇ କୁମର

 

ତାହାଗର୍ଭୁ ଜନ୍ମିଛଇ ।୧୧।

 

ସେହୁ ରାହୁଦଣ୍ଡ ଅତିହି ପ୍ରଚଣ୍ଡ

 

ବଳେ ବଳିଆର ସେହି

 

ତାହା ବାହୁ ବଳେ ମହାଯୁଦ୍ଧ କରି

 

କନ୍ୟାବିଭା ହେଲା ତହିଁ ।୧୨।

 

ସୁକୁମାରୀ ନାମେ ଏକଇ କୁମାରୀ

 

ନାଭିସେନ ନୃପତିର

 

ସେହୁ କନ୍ୟାକୁ ସେ ଯୁଦ୍ଧରେ ଆଣିଲା

 

କହିଲି ଏ ସମାଚାର ।୧୩।

 

ଦିନେ ସେହୁବୀର ପଶିଣ ଜଳର

 

କରନ୍ତି ତହିଁ ସ୍ନାହନ

 

ଏକ ଅପକ୍ଷରି ସ୍ନାହାନ କରୁଛି

 

ସେ ନଦୀ ପୂର୍ବ କୂଳର ।୧୪।

 

ସେ ଅପକ୍ଷରିକି ଦେଖିଣ ନୃପତି

 

ଶ୍ୱରୀରୁ ବୀଜ ଟଳିଲା

 

ସେ ଜଳରେ ରେତ ପଡ଼ନ୍ତେ ତୁରିତ

 

ମୀନ ଏକ ଗିଳି ଦେଲା ।୧୫।

 

ସେ ମୀନର ପୂର୍ବ ଜନ୍ମ ଏବେ ଶୁଣ

 

ସ୍ୱର୍ଗେ ଥିଲା ଅପକ୍ଷରି

 

ବ୍ରହ୍ମା ଶାପ୍ୟ ପାଇ ଅପକ୍ଷରି ତହିଁ

 

ମୀନ ରୂପେ ଅବତରି ।୧୬।

 

ମନଭେଦି ବୁଲି ସେ ମୀନର ନାମ

 

ସେ ଯହିଁ ଗିଳିଲା ରେତ

 

ମହାବୀର୍ଯ୍ୟ ଗର୍ଭେ ଧରି ନପାରିଲା

 

ଜନ୍ମହେଲା ଏକସୁତ ।୧୭।

 

ପ୍ରାଣ ଛାଡ଼ି ମୀନ ହୋଇଲା ଅଜ୍ଞାନ

 

ଗର୍ଭ ହେଲା ବେନି ଫାଳ

 

ତାହାର ଗର୍ଭରୁ ଦୁହିତା ଉତପତି

 

ଭାଗ୍ୟବତୀ ନାମ ତାର ।୧୮।

 

ସେହୁ କନ୍ୟା ଗୁଟି ରାହୁଦଣ୍ଡ ନେଇ

 

ଜତନେ ପାଳିଲା ତାକୁ

 

ଗରୁଡ଼ ଧ୍ୱଜରେ ପଦ୍ମନାଭି ରାଜା

 

ବିଭାଦେଲା ସେ କନ୍ୟାକୁ ।୧୯।

 

ତାହାର ଗର୍ଭରୁ ଜନମ ହୋଇଲା

 

ସୁପଦ୍ମ ନାମେ କୁମର

 

ସୁପଦ୍ମ ବୀଜରୁ ଜନମ ହୋଇଲା

 

ସୁଦର୍ଶନ ନାମ ତାର ।୨୦।

 

ତାହାର ବୀର୍ଯ୍ୟରୁ ଜନମ ହୋଇଲା

 

ଦାସରାଜା ମହିପତି

 

ଗିରିମା କନ୍ୟାକୁ ସେହୁ ବିଭା ହେଲା

 

ସିଂହଳ ଦ୍ୱୀପ ନୃପତି ।୨୧।

 

ଆଦ୍ୟ ପ୍ରାନ୍ତ କରି ଏହା ମୁଁ କହିଲି

 

ସଦଗୁରୁ ପାଦେ ସେବି

 

ସୁଜନେ ମୋହର ଦୋଷ ନଧରିବ

 

ଗୋପାଳ କହଇ ଭାବି ।୨୨।

Image

 

ନାବ ବିଧାନ

 

ଆବର କଥାଏ କହୁଅଛି ମୁହିଁ

ସାବଧାନେ ହୋଇ ଶୁଣ

ଯେଉଁ ବୃକ୍ଷ କାଠ ନାବ ହୋଇଅଛି

କହିବା ତହିଁ ବିଧାନ ।୧।

ସତ୍ୟଯୁଗ ଆଦ୍ୟେ ପ୍ରଳୟ ଜଳରେ

ବିଷ୍ଣୁ ଥିଲେ ତହିଁ ସୁଇ

ତାହାଙ୍କ ଅଙ୍ଗରୁ ଶର୍ମଝାଳ ଖସି

ଜଳରେ ପଡ଼ିଲା ବହି ।୨।

ଯୁତୀ ସଙ୍ଗେ ଯୁତୀ ମିସିଣ ଉତ୍ପତି

କନ୍ୟାୟେ ତହୁଁ ହୋଇଲା

ସ୍ୱର୍ଗ ଅପକ୍ଷରି ପରାଏ ସୁନ୍ଦରୀ

ରୂପତାର ବିକାଶିଲା ।୩।

ସର୍ବଗୁ‌ଣେ ପୂର୍ଣ୍ଣ ଅଟେ ସୁଲକ୍ଷଣ

ନାହିଁ ତାର ଯୁନୀଦ୍ୱାର

ଯୁଗନିଦ୍ରା କାଳେ ଶ୍ରୀଜଗନ୍ନାଥଙ୍କୁ

ତାହା ହୋଇଲା ଗୋଚର ।୪।

ବାମ ଅଙ୍ଗୁଳିର ଚିରି ଯୁନୀ ଦ୍ୱାର

କେତୁକା ନାମ ତା ଦେଲେ

ସେ କନ୍ୟାକୁ ନେଇ ପ୍ରଭୁ ଭାବଗ୍ରାହୀ

ପ୍ରଳୟରେ ମେଲି ଦେଲେ ।୫।

ପ୍ରଳୟ ଜଳର ସେହୁ କନ୍ୟାବର

ବଟରୂପେ ଜନମିଲା

କଳ୍ପବଟ ବୋଲି ତାହାର ଯେ ନାମ

ସଂସାରେ କ୍ଷାତ ହୋଇଲା ।୬।

ଉପରକୁ ତାର ଚାରିଗୁଟି ଡାଳ

ଚାରି ବେଦ ଚାରି ପତ୍ର

ଚେର ତାର ସପ୍ତ ପାତାଳ ଭେଦିଲା

ଲଙ୍ଗର ତହିଁ ସମ୍ଭୂତ ।୭।

ଦ୍ୱାଦଶ ଯୁଯନ ଦୀର୍ଘ ପ୍ରତି ତାର

ଉଛର୍ଗ ଲକ୍ଷେ ଯୁଯନ

ବ୍ରହ୍ମା, ବିଷ୍ଣୁ, ହର ଆଦି ଦେବଗଣେ

କରନ୍ତି ତହିଁ ବିଶ୍ରାମ ।୮।

ସେହି ବଟ ମଧ୍ୟେ ଏକ ଡାଳ ଥିଲା

ଚାରିବେଦୁଁ ସେ ବାହାର

ସେହି ଡାଳକାଟି ନାବ ଭିଆଇଲେ

ଜଗତ୍ରେ ହେଲା ପ୍ରଚାର ।୯।

ପ୍ରଳୟ ଗୀତାରୁ ଏହୁ ଉତପତି

ଠିକେ ଠିକେ ଦେଲି କହି

ସୁଜନେ ମୋହର ଦୋଷ ନଧରିବ

ଦ୍ୱିଜ ଗୋପାଳ କହଇ ।୧୦।

Image

 

ଶିବରାଜା ଚରିତ

 

ପ୍ରଶ୍ନ :

 

 

ଶୁଣରେ ଗାଏକ ଅପୂର୍ବ କଥାଏ

 

ପଚାରୁଛି ତତେ ମୁହିଁ

 

ଅଗ୍ନି କେଉଁଠାରେ କପୋତ ହୋଇଲେ

 

ଏହା ଦେବ ମତେ କହି ।୧।

 

ଇନ୍ଦ୍ର କେଉଁଠାରେ ଛଞ୍ଚାଣ ହୋଇଲେ

 

ପୂର୍ବେ ପାଇ କାହାଶାପ୍ୟ

 

ଯେଉଁଦିନ ଇନ୍ଦ୍ର ଛଞ୍ଚାଣ ହୋଇଲେ

 

କି ବାର ତିଥି ନକ୍ଷତ୍ର ।୨।

 

ଶିବରାଜା ବୁଲି କେହୁ ସେ ଅଟଇ

 

କାହାର ଅଟେ କୁମର

 

କାହିଁ ପାଇଁ ଯଜ୍ଞ ଆରମ୍ଭ ସେ କଲେ

 

କେଉଁ ଦେଶେ ତାର ଘର ।୩।

 

ମାଏଁସ କାଟି ସେ କିପାଁ କଲେ ଦାନ

 

ଏହା ଦେବ ମତେ କହି

 

ସେ ମାଏଁସ କିପାଁ ଇନ୍ଦ୍ର ଯେ ଭକ୍ଷିଲେ

 

ଦ୍ୱିଜ ଗୋପାଳ କହଇ ।୪।

ଉତ୍ତର :

 

 

ଶୁଣହେ ସୁଜନେ ହୋଇ ଏକ ମନ

 

ଯାହା ପଚାରିଲ ମୋତେ

 

ସଦଗୁରୁ ଯେବେ ଆଜ୍ଞା ଦେଇଥିବେ

 

ଫେଡ଼ି କହିବୁ ଜଗତେ ।୧।

 

ଏକ ଦିନକରେ ବସିଣ ନରେନ୍ଦ୍ର

 

ମନରେ କରି ବିଷାଦ

 

ଶିବ ରାଜା ଯଜ୍ଞ ଆରମ୍ଭ କରିଛି

 

ନେବ ମୋର ଇନ୍ଦ୍ରପଦ ।୨।

 

ଅଗ୍ନି କି ବୋଇଲେ କପୋତ ହୋଇଣ

 

ତୁମ୍ଭେ ଯାଅ ବେଗେ ଚଳି

 

ଛଞ୍ଚାଣ ସ୍ୱରୂପ ହୋଇଣ ତୁମ୍ଭଙ୍କୁ

 

ଗୋଡ଼ାଇ ଯିବି ମୁଁ ଧରି ।୩।

 

ସୁନାଶିର ଅଗ୍ନି ବିଚାର କରିଣ

 

ତତପର ଚଳିଗଲେ

 

ଶିବରାଜା ଯଜ୍ଞ ଆରମ୍ଭ କରିଛି

 

ସେଠାରେ ଯାଇ ମିଲିଲେ ।୪।

 

ଶରଣ ଶରଣ ବୋଲିଣ କପୋତ

 

ଉଚ୍ଚେଣ ଯେ ତାକ ଦେଇ

 

ଯଜ୍ଞୁ ଶିବ ରାଜା ଦେଖିଲେ ତାହାକୁ

 

କୋଳାଗ୍ରତ କଲେ ନେଇ ।୫।

 

ରାଜା ମୁଖ ଚାହିଁ ସୁନାଶିର କହି

 

ଆମ୍ଭର ଆଧାର ଦିଅ

 

ରାଜା ବୋଇଲେ ଏ ଶରଣ ପଶିଛି

 

ମୋର ଅସ୍ଥି ମାଂସ ଖାଅ ।୬।

 

କପୋତ ପ୍ରମାଣେ ମାଏଁସ କାଟିଣ

 

ଦେଲେକ ଶିବ ରାଜନ

 

ଦେଖିକରି ଇନ୍ଦ୍ର ସ୍ତମ୍ଭୀଭୂତ ହୋଇ

 

ଗୀତେ ଗୋପାଳ ରଞ୍ଚନ ।୭।

Image

 

ମାଗୁଣି-୧

 

ତରୁଣୀ ମଣିକି ମାଗୁଣି ଏତିକି

କରୁଅଛି ମୁହିଁ ଅଳି

ତୁମ୍ଭେମାନେ ସବୁ ଅନୁଗ୍ରହ କରି (ସୁନ୍ଦରୀଗୋ)

ଦିଅ ଶଙ୍ଖ ହୁଳାହୁଳି ।୧।

ଆଶାକରି ମୁହିଁ ଆସିଅଛି ଧାଇଁ

କାହିଁକି ପୁତିଛ ମୁଖ

ହସିପଦେ ମତେ ବଚନ କହିଲେ

ଯିବଟି ସରି ମୋ ଦୁଃଖ ।୨।

ନ ଚାହିଁ ଏଣିକି ଚାହୁଁଛ କେଣିକି

ଦେଉଛ ମୁଚୁକି ହସା

ଚନ୍ଦ୍ରମା ବଦନ ଦେଖିଲା ବେଳରୁ

ଛାଡ଼ୁନାହିଁ ମୋର ଆଶା ।୩।

କେତେ ଯାଚିକରି ଭାଟ ଯେ ଭିକାରୀ

ଦେଉଅଛ ଅବା କିସ

ମତେ ଦେଖି କରି ଯାଉଅଛ ଡରି

ମୁଁ କରିଛି କେଉଁ ଦୋଷ ।୪।

ତାମ୍ୱୁଳ ମୂଳରେ ଦନ୍ତ ପଚାଇଛ

ତହିଁରେ ଘସିଛ ମିଶି

ମୋତି ଉପରେ କି ଇଶାଣ ଜଡ଼ାଉ

ପରାଏ ଯାଉଛ ଦିଶି ।୫।

ମସ୍ତକରେ ବେଣୀ ତା ଉପରେ ମଣି

ବାନ୍ଧିଛ ଓଲଟ ଖୋସା

ଦେଖିଲେ ତ ଯୁବା ପୁରୁଷମାନଙ୍କ

ଉଡ଼ି ଯାଉଅଛି ହଂସା ।୬।

ବ୍ରହ୍ମା ପ୍ରିୟବତୀ ଯେ ରୂପେ ସାବିତ୍ରୀ

ଦୁର୍ଗା ଶିବଙ୍କ ଘରଣୀ

ଚାଣ୍ଡାଳଠାରୁ ବ୍ରହ୍ମ ପରିଯନ୍ତେ

ବିଜେ ଲକ୍ଷ୍ମୀଠାକୁରାଣୀ ।୭।

ତୁମ୍ଭେମାନେ ଅଟ ଐଶ୍ୱର୍ଯ୍ୟ ଦାୟିନୀ

ସବୁବେଲେ ହୃଦେ ଦୟା

ମୋ କର୍ମକୁ କିମ୍ପା ନିଷ୍ଠୁର ହେଉଛ

ପାସାଣ ହେଲାକି ହିଆ ।୮।

ସରିବ ବୋଲିକି ଡରି ଯାଉଅଛ

ମୁଁ ନୁହଇ ତଣ୍ଡକାର

ଯାହାଦେବ ତୁମ୍ଭେ ସମସ୍ତେ ଦେଖିବେ

ଚାଣ୍ଡେ ଚାଣ୍ଡେ ବିଦାକର ।୯।

ଦ୍ୱାଦଶ ଆଙ୍ଗୁଳ ବସନ ଚିରିଣ

ଦ୍ରୌପଦୀ ଯେ ଥିଲେ ଦେଇ

କୁରୁସଭା ତଳେ କୋଟି କୋଟି ବଶ୍ର

ଦେଲେ ତାଙ୍କୁ ଭାଗଗ୍ରାହୀ ।୧୦।

ପୁତ୍ରଯେ ଗିରସ୍ତ ଏ ସମ୍ପଦ ବିତ୍ତ

କେହି ନୁହଇ କାହାର

ହସ୍ତଟେକି ଯାହା ଦେଇଥିବ ତାହା

ସେଥିବ ଚାରି ଯୁଗର ।୧୧।

ଉଡ଼ିଲାଣି ହଂସା କହିବାକୁ ଭାଷା

ନ ଆସେ ଆଉ ତୁଣ୍ଡର

ହେଉଛି ଉଛୁର ଦେଖି ଥରଥର

ନିଶିଯାକ ଉଜାଗର ।୧୨।

କ୍ଷୀର ସିନ୍ଧୁ ବୋଲି ଭରସା କରିଛି

ଯେବେ ସେ ହୋଇବ ଲୁଣି

ତେବେ ଆପଣାର କର୍ମକୁ ଠୁକିବୁ

କା’ଆଗେ କହିବୁ ପୁଣି ।୧୩।

ଯେତେ ରୂପେ ମୁହିଁ ଅନୁସରିଲିଣି

ପାଷାଣ ହୁଅନ୍ତା ପାଣି

କାଷ୍ଠ ହୋଇଥିଲେ ଦିଅନ୍ତାଣି ବର

ଦେବତା କହନ୍ତେ ବାଣୀ ।୧୪।

ପିଲାଦିନୁ ମୁହିଁ ଏହି ଜୀବିକାରେ

ବୁଲୁଅଛି ଏଣେ ତେଣେ

କଲିକତାଠାରୁ ମାଦରାସଯାଏ

ତୁମ୍ଭପରି ନାହିଁ ଜଣେ ।୧୫।

ହସ୍ତିଦନ୍ତ ଯେବେ ପଛକୁ ଘୁଞ୍ଚିବ

ବୃକ୍ଷ ନଫଳିବ ଫଳ

ମାତା ହୋଇ ଯେତେ ପୁତ୍ର ନପାଳିବ

ବୃଷ୍ଟି ନହୋଇବ ଜଳ ।୧୬।

ଧେନୁ ହୋଇ ଯେବେ କ୍ଷୀର ସେ ନଦେବ

ସ୍ୱାମୀ କି ମାରିବେ ସ୍ତିରୀ

ତେବେ ସତଧର୍ମ କାହିଁକି ରହିବ

ପୃଥିରେ ଥିବ କି ଶିରୀ ।୧୭।

ମୁଁ ତୁମ୍ଭ ଅଧୀନ ପିନ୍ଧିଲା ବସନ

ଦେଲେ ବାନ୍ଧିବି ମୁଣ୍ଡର

ରାଜ୍ୟେ ରାଜ୍ୟେ ବୁଲି ଦେଖାଉଣ ଥିବି

ହାଟବଜାର ଦାଣ୍ଡର ।୧୮।

ଆଖିଗଲା ଲାଖି ଶ୍ରୀମୁଖକୁ ଦେଖି

ଯାଇତେ ନଚଳେ ପାଦ

ମରଣରୁ ଲାଜ ବଳିଯିବ ଆଜ

ଏଡ଼େ କି ଦାରୁଣ ହୃଦ ।୧୯।

ଅନୁଛାୟା ସତୀ ସୀତାକୁ ଯେ ଯାଚି

ଦେଲେ ବସ୍ର ଅମଳାଣ

ସେହି କଥା ଯୁଗେ ରହିଅଛି

ଶୁଣିଥିବ ରାମାୟେଣ ।୨୦।

ଅଧିକ କହିତେ ବେଳ ନାହିଁ ମୋତେ

ତୁମ୍ଭେ ପରମ ଚାତୁରୀ

ବଚନ କହୁଛ ଅତିହିଁ ମଧୁର

ହୃଦେ ରଖିଛ କତୁରୀ ।୨୧।

ଉଛର ହେଉଛ ଦିଅ ଯାହାକିଛି

ଏତିକି ମାଗୁଣି ମୋର

ଦ୍ୱିଜ ଗୋପାଳ ଏ ଗୀତରେ ରଞ୍ଚିଲେ

ବଣିହା ଗ୍ରାମରେ ଘର ।୨୨।

 

ମାଗୁଣି-୨

 

ଧନ୍ୟ ଧନ୍ୟ ଆଜି ଦେଖିଲି ଶ୍ରୀମୁଖ

ଆଜ ପୂର୍ବଭାଗ୍ୟ ମୋର

ସୁ ଅନୁକୂଳରେ ଘରୁ ବାହାରିଛି

କର୍ମ ଫେରିବ ମୋହର ।୧।

ବାଟୁଅଛୁ ଶୁଣି ବାବୁଙ୍କର ନାମ

ତ୍ରିପୁରେ ଉଡ଼ୁଛି ବାନା

ସୁର ସରକାର ଚଉଦ ମାହାଲ

ଏଯେ ବାଇଶି ପ୍ରଗନା ।୨।

ତାରାଗଣ ମଧ୍ୟେ ଚନ୍ଦ୍ରମାଳି ଭଦେ

ଝଟକି ଦିଶେ ବଦନ

ରୂପ ଦେଖିକରି ଯୁବାସ୍ତିରୀଙ୍କର

ଅଙ୍ଗ ଘାରୁଛି ମଦନ ।୩।

ସୁସଞ୍ଚ ଯେ କେଶ ମନୋହର ବେଶ

ଭ୍ରୂଲତା ଦୀର୍ଘନାସିକା

ଆଜନୁଲମ୍ୱିତ ବେନବାହୁ ଦିଶେ

ସର୍ବଗୁଣରେ ରସିକା ।୪।

କନ୍ଧରେ ଉତ୍ତରୀ ମନୋହର ଦିଶେ

ପିନ୍ଧିଛି ଝୀନ ଦୁକୂଳ

ଦେଖି କେ ଯୁବତୀ ଧରିବ ଯେ ଛାତି

ତା ମୁଖ ତାମ୍ୱୁଳ ରୁଳ ।୫।

ମତ୍ତହସ୍ତୀ ଯେହ୍ନେ ଝୁଲି ଆସୁଥାଇ

ଦେଖିଲେ ଆସିବାବେଳେ

ଯେତେବେଳୁ ଆସି ସଭାରେ ବସିଲେ

ରହିଛି ସୁବେନି ଡୋଳେ ।୬।

ଛାତିକୁଣ୍ଢେ କରି ମନକୁ ଭାବୁଛି

ଯିବ ଗରୀବର ଦୁଃଖ

କି ଛାର କଥାକୁ ଉତ୍ତର ନଦିଅ

କାହିଁକି ପୋତିଛ ମୁଖ ।୭।

ଦାନୀରେ ଆପଣ ହରିଶ୍ଚନ୍ଦ୍ର ପରି

ମାନୀ ପଣେ ଦୁର୍ଯ୍ୟୋଧନ

ବିଦ୍ୟାପଣେ ସେତ ବୃହସ୍ପତି ପରି

ଧନୀ କୁବେର ସମାନ ।୮।

ଧନୁର୍ଦ୍ଧର ପଣେ ସମନାହିଁ ଜଣେ

ଯେଉଁ ରୂପେ ପ୍ରଭୁରାମ

ନାମ ଶୁଣି ଦୂରୁ ଶତ୍ରୁ ଚମକନ୍ତି

ପ୍ରତାପରେ ଦୂତୀ ଯମ ।୯।

କେତେକ ଅତିଥି ସାଧୁ ଅଭ୍ୟାଗତ

ଲାଗିଅଛି ସଦାବ୍ରତ

ଦୁଃଖୀ କାଙ୍ଗାଳି କି ଦେଉଅଛ ଯାଚି

କେତେ ସାଲ ବନାଇତ ।୧୦।

ଗରିବ କର୍ମକୁ ସରିବ ବୋଲିକି

ଏବେ ଯାଉଅଛି ତରି

ମୋହରି ପରାୟେ କେତେ ନଦେଉଛ

କେତେହେଁ ଭାଟ ଭିକାରୀ ।୧୧।

ଚଉପାଶେ ବେଢ଼ି ବାଳେକ ଯେ ସ୍ତିରୀ

ସମସ୍ତେ ଅଛନ୍ତି ଚାହିଁ

କଉଡ଼ି ଦେଲେ ତ ଅଣ୍ଟାରେ ଖୁସିବି (ବାବୁହୋ)

ଏହା ନଦେଖିବେ କେହି ।୧୨।

ପିନ୍ଧିଲା ବସନ ଦେଲେ ପାଲଟିଣ

ମୁଣ୍ଡରେ ବାନ୍ଧିଣ ପାଗ

ଗରିବ ହଜୁରେ ଅଳି କରୁଅଛି

ମନରେ ନୋହିବ ରାଗ ।୧୩।

ଦେଖୁଥିବେ ଲୋକ ଏ ଯଗତ୍ର ଯାକ

ତୁମ୍ଭପଣ ରହିଥିବ

ହଜୁରରୁ ଯେବେ ଗରିବ ଫେରିବ

ଏ ନିନ୍ଦା କାହାକୁ ହେବ ।୧୪।

ଅଳପ ଲୋକଙ୍କ କଥା ସତ ନୋହେଁ

ଯେ ରୂପେ କଇଞ୍ଚ ବେକ

ହସ୍ତୀଦନ୍ତ କାହିଁ ପଛକୁ ଘୁଞ୍ଚିବ

ସେ ରୂପେ ମହତ ଲୋକ ।୧୫।

କଟକଠାରୁ ବୁରଟ ପର୍ଯ୍ୟନ୍ତେ

ତୁମ୍ଭନାମ ଅଛି ଶୁଣା

ଜଜ ମେଞ୍ଜେଷ୍ଟର ସମସ୍ତେ ଜାଣନ୍ତି

ରାଜ୍ୟେ ବାଜୁଛି ବାଜଣା ।୧୬।

ହେଉଛି ଉଛର ଚାଣ୍ଡେ ବିଦା କର

ବିଳମ୍ୱ ହେଉଛି ମୋତେ

ଗରିବଠାରେ କି ସୁଦୟା ନୋହୁଛି

ବକି ହେଉଛି ମୁଁ କେତେ ।୧୭।

କଳ୍ପଲତା ଯେବେ ଫଳ ନଫଳିବ

କାହାକୁ ହେବ ଏ ଲାଜ

ଗଙ୍ଗାକୂଳେ ଯେବେ ତୃଷାର୍ଥ ମରିବ

ଏ ନିନ୍ଦା କାହାକୁ ବୁଝ ।୧୮।

ଭୀମରିପୁ ଜ୍ୟେଷ୍ଠ ଜାୟାଯା ମାଗିଲେ

ତହିଁରେ ଆଶା ମୋହର

ଯାହା ଦେବ ଦିଅ ଉଛୁର ହେଉଛି

ଦେଖନ୍ତୁ ସର୍ବେ ସଭାର ।୧୯।

ହଜୁରରେ ମୋର ଗରିବ ଉଜିର

ନ ଧରିବ ମୋର ଦୋଷ

ଦ୍ୱିଜଗୋପାଳ ଏ ଗୀତରେ ରଞ୍ଚିଲେ

ବଣିହା ଗ୍ରାମେ ନିବାସ ।୨୦।

Image